​​​​​​​ଭୁବନେଶ୍ବର: ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର। କାରଣ ବିଦ୍ୟୁତ ଟାରିଫ୍ ନବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ ବା OERC। ଏନେଇ ମଙ୍ଗଳବାର ଓଇଆରସି ପକ୍ଷରୁ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହାକୁ ମିଶାଇଲେ ଗତ ୫ ବର୍ଷ ହେଲା ବିଜୁଳି ଟାରିଫ ବଢ଼ିନଥିବା ବେଳେ, ଶେଷ ଥର ୨୦୨୩-୨୪ରେ ୧୦ ପଇସା କମିଥିଲା।

ଉପଭୋକ୍ତାଙ୍କ ସୁବିଧା ପାଇଁ ବଡ଼ ପଦକ୍ଷେପ

ବିଦ୍ୟୁତ ଦର ବାଦ୍ ଗଣମାଧ୍ୟମ ସମ୍ମିଳନୀରେ ଓଇଆରସି ପକ୍ଷରୁ ବିଦ୍ୟୁତ ଉପଭୋକ୍ତା ସୁବିଧା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦିଆଯାଇଛି। ଯେଉଁଥିରେ ବିଦ୍ୟୁତ ବିତରକ କମ୍ପାନି କରୁଥିବା ଖର୍ଚ୍ଚର ସିଏଜି ଅଡିଟ ହେବ। ୫୦ ପ୍ରତିଶତରୁ ଅଧିକ କ୍ଷତି ସହୁଥିବା ଫିଡର ଗୁଡ଼ିକରେ ସ୍ମାର୍ଟ ମିଟର ଲାଗିବ।

୬୦% ଅଧିକ ଲୋଡ୍ ନେଲେ ସୋଲାର ସୁବିଧା

ସେହିଭଳି କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଅଧିକ ଲୋଡ ନେଉଥିଲେ ସେଗୁଡ଼ିକ ସୋଲାର ଦ୍ୱାରା ବିଦ୍ୟୁତିକରଣ କରାଯିବ। ସେହିପରି ବାଣିଜ୍ୟିକ ଓ ପରିବହନ କ୍ଷତି ଅଧିକ ହେଉଥିବା ଅଞ୍ଚଳରେ ଟ୍ରାନ୍ସଫରମର ସହ ବିଦ୍ୟୁତ ବିତରକ କମ୍ପାନି ସ୍ମାର୍ଟ ମିଟର ଲଗାଇବେ ।

Also Read: Heat Wave Guidelines: ସରକାରଙ୍କ ବଡ଼ ଘୋଷଣା, ଏତିକି ସମୟ କାମ ବନ୍ଦ

ସ୍ମାର୍ଟ ମିଟରର ସଫ୍ଟଓୟାର ଅଡିଟ ହେବ

ସ୍ମାର୍ଟ ମିଟର ଅଧିକ ବିଲ ଆସୁଥିବା ନେଇ ବିଭିନ୍ନ ସମୟରେ ଆସୁଥିଲା ଅଭିଯୋଗ। ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ମାର୍ଟ ମିଟରର ସଫ୍ଟଓୟାର ଅଡିଟ କରିବାକୁ ତୃତୀୟ ପକ୍ଷ କମ୍ପାନିଙ୍କୁ ଦାୟିତ୍ବ ଦିଆଯିବ। ଆହୁରି ମଧ୍ୟ  କର୍ମଚାରୀ ଖର୍ଚ୍ଚ ଓ ପ୍ରଶାସନିକ ଖର୍ଚ୍ଚ କମାଇବାକୁ ବିଦ୍ୟୁତ ବିତରକ କମ୍ପାନିକୁ OERC ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏହା ସର୍ବ ଭାରତୀୟ ସ୍ତରଠାରୁ ଓଡ଼ିଶାରେ ଏହି ଖର୍ଚ୍ଚ ଅଧିକ ରହୁଥିଲା ବୋଲି ଓଇଆରସି ପକ୍ଷରୁ କୁହଯାଇଛି।