ଭୁବନେଶ୍ୱର: ହାତରେ ଚାଉଳ ଚୁନାର ଗୁଳା। ସାମ୍ନାରେ ତେଲ କଡ଼େଇ। ଆଉ ସେହି କଡ଼େଇରୁ ଛଣା ହୋଇ ବାହାରୁଛି ସୁନ୍ଦର ସୁନ୍ଦର ଆରିସା। ଯାହାଙ୍କ ହାତ ତିଆରି ପିଠା ଓଡ଼ିଆ ପାରମ୍ପରିକ ଖାଦ୍ୟରେ ଆଣିଛି ବିପ୍ଳବ। ଏହି ପିଠାର ମହକ ଆଉ ସ୍ୱାଦ ଆଜି ଓଡ଼ିଶାର ସୀମା ଡେଇଁ ଦେଶ ବିଦେଶରେ। ଆଉ ଏହାର ସାରଥୀ ତାରା ଦାସ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଯାଏଁ। ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ। ତାରାଙ୍କ ହାତର ସ୍ୱାଦ, ନିଷ୍ଠା ଆଉ ଓଡ଼ିଆ ପରମ୍ପରା ପ୍ରତି ଅସୀମ ଭଲପାଇବା ତାଙ୍କୁ ଦେଇଛି ନୂଆ ପରିଚୟ। କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଛି ଅନେକ ଯନ୍ତ୍ରଣା ଆଉ ଅସରନ୍ତି ସଂଘର୍ଷ।ମିଡ୍ ପିଟୁସି- ଚନ୍ଦନ ଶିଶୁଭୁବନେଶ୍ୱର ଶୈଳଶ୍ରୀ ବିହାରର ତାରା ଦାସ।

ରାଜଧାନୀର ଛାତି ଉପରେ ତାଙ୍କ ଗଢ଼ା ଆରିସା ସ୍ନାକ୍ସ ସପ୍। ଯାହାର ନାଁ ରାଜମଣି ଫୁଡ୍ସ। କିନ୍ତୁ ତାରା ଦାସ କେବେ ଦେଖିନଥିଲେ ଉଦ୍ୟୋଗୀ ହେବାର ସ୍ୱପ୍ନ। ଶାଶୂ ମାଆଙ୍କ ପାଖରୁ ଶ୍ରଦ୍ଧାରେ ଶିଖିଥିବା ଆରିସା ପିଠା ଯେ ତାଙ୍କୁ ଏପରି ପରିଚିତ କରାଇବ ସେ କଥା କେବେ ଭାବିନଥିଲେ ସେ। ଦିଲ୍ଲୀରେ ରହୁଥିବା ବେଳେ ଓଡ଼ିଆ ଷ୍ଟଲରେ ଓଡ଼ିଆ ଖାଦ୍ୟ ନରହିବା ତାରାଙ୍କ ମନକୁ ଆନ୍ଦୋଳିତ କରିଥିଲା, କିନ୍ତୁ ସେ ଜାଣିନଥିଲେ- ତାଙ୍କ ତିଆରି ଖାଦ୍ୟ ଦିନେ ଦେଶ ବିଦେଶରେ ତାଙ୍କୁ ପରିଚୟ ଦେବ। ଦୀର୍ଘ ୨୭ ବର୍ଷ ଧରି ଆରିସା ପିଠା ପ୍ରସ୍ତୁତ କରିଆସୁଛନ୍ତି ତାରା ଦାସ। ଏହି ଅଢ଼େଇ ଦଶନ୍ଧିର ଆରିସା ପିଠା ଯାତ୍ରା ପଛରେ ରହିଛି ସଂଘର୍ଷର କାହାଣୀ। ସ୍ୱାମୀ ଓ ପୁଅଝିଅଙ୍କ ସହ ହସଖୁସିରେ ଦିନ କଟୁଥିଲା। ସ୍ୱାମୀ ବନ ବିଭାଗର ଥିଲେ ଜଣେ ବରିଷ୍ଠ ଅଧିକାରୀ । କିନ୍ତୁ ଦୀର୍ଘକାଳ ରୋଗରେ ପୀଡ଼ିତ ହେବା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ସେ ଭାଙ୍ଗିପଡ଼ିନଥିଲେ ତାରା।

ନିଜ ଶାଶୂଙ୍କଠାରୁ ଶିଖିଥିବା ଆରିସା ପିଠା ତାଙ୍କୁ ଦେଇଥିଲା ରୋଜଗାରର ମାଧ୍ୟମ। ମାତ୍ର ୨ କିଲୋ ଚାଉଳ ଓ ୨ କେଜି କିଲୋ ଗୁଡ଼ରେ ସେ ଆରମ୍ଭ କରିଥିଲେ ଆରିସା ପିଠାର ଯାତ୍ରା। ସ୍ୱାମୀଙ୍କୁ ହରାଇବାର ଦୁଃଖ, ଛାତି ଭିତରେ ଅସମ୍ଭାଳ କୋହ। କିନ୍ତୁ ଗଡ଼ାଇନଥିଲେ ଲୁହ। ପିଲାଙ୍କ ଭବିଷ୍ୟତ ପାଇଁ, ନିଜକୁ ଭାଗ୍ୟସହ ଲଢ଼ିବାକୁ ପ୍ରସ୍ତୁତ କରିନେଇଥିଲେ। ତାଙ୍କୁ ହିଁ ହେବାକୁ ଥିଲା ଶକ୍ତ, ନିଜକୁ ନିଜେ ଦେବାକୁ ଥିଲା ସାହସ। ମନ ଭିତର ଯନ୍ତ୍ରଣାକୁ ଛାତିରେ ଚାପି, ଆଖିର ଲୁହକୁ ଓଠରେ ଅଟକାଇ ସେ ଆରମ୍ଭ କରିଥିଲେ ଜୀବନର ଏକ ନୂଆ ଯାତ୍ରା। ସେହି ଯାତ୍ରା ଥିଲା ସଂଘର୍ଷର, ଆତ୍ମବିଶ୍ୱାସର ଆଉ ହାର୍ ନମାନିବାର ଜିଦର।

ଓଡ଼ିଶାରୁ ବିଦେଶ ଯାଏଁ ବଢ଼ିଲା ତାରାଙ୍କ ଆରିସା ପିଠାର ଚାହିଦା। ତାରା ଦାସଙ୍କ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଘିଅର ଆରିସା ପିଠା ଆଜି କେବଳ ଓଡ଼ିଶାରେ ସୀମିତ ନାହିଁ। ଏହା ଦେଶ ତଥା ଦେଶ ବାହାରେ ବି ପହଞ୍ଚୁଛି। ଦେଶବିଦେଶରେ ରହୁଥିବା ଓଡ଼ିଆମାନେ ବିଭିନ୍ନ ପର୍ବପର୍ବାଣି, ବିବାହ ଓ ସ୍ୱତନ୍ତ୍ର ଅବସରରେ ଏହି ପିଠା ମଗାଇଥାନ୍ତି। ଗ୍ରାହକଙ୍କ ଆବଶ୍ୟକତା ଓ ପସନ୍ଦ ଅନୁସାରେ ପିଠା ପ୍ରସ୍ତୁତ କରିବା ସହ ଉତ୍ତମ ଗୁଣବତ୍ତା ବଜାୟ ରଖିବାକୁ ତାରା ସର୍ବଦା ଗୁରୁତ୍ୱ ଦେଇଥାନ୍ତି।ସ୍ୱାମୀଙ୍କୁ ହରାଇବାର ଦୁଃଖ, ପିଲାଙ୍କ ଭବିଷ୍ୟତର ଚିନ୍ତା ଆଉ ସଂଘର୍ଷମୟ ଜୀବନ ତାଙ୍କୁ ଭାଙ୍ଗି ପାରିନଥିଲା। ବରଂ ମାଆ ଦୁର୍ଗାଙ୍କ ପରି ଅପାର ଶକ୍ତି ଓ ଧୈର୍ଯ୍ୟର ସହ ନିଜ ହାତର କଳାକୁ କରିଥିଲେ ଜୀବନ ଜୀଇଁବାର ଅସ୍ତ୍ର।

ଶିଶୁ ନିଜର ଅନନ୍ୟ ସଫଳତା ପାଇଁ ତାରା ଦାସ ଜାତୀୟସ୍ତରରେ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍ କି ବାତ୍’ରେ ତାରା ଦାସଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି ତାରା ଦାସ। ଆଜି ଭୁବନେଶ୍ୱରରେ ତାରାଙ୍କ ସ୍ନାକ୍ସ ସପ୍ ରାଜମଣି ଫୁଡ୍ସ କେବଳ ବ୍ୟବସାୟର ଠିକଣା ନୁହେଁ, ବରଂ ଓଡ଼ିଆ ପରମ୍ପରା, ସ୍ୱାଦ ଓ ସଂସ୍କୃତିକୁ ଆଗକୁ ନେବାର ଏକ ପ୍ରୟାସ। ନିଜ ହାତର ସ୍ୱାଦ ଓ ନିଷ୍ଠା ବଳରେ ତାରା ଦାସ ପ୍ରମାଣ କରିଛନ୍ତି ଯେ ବଡ଼ ସ୍ୱପ୍ନ ଦେଖିବା ପାଇଁ ସବୁବେଳେ ବିରାଟ ଯୋଜନା, ପୁଳାଏ ଟଙ୍କା ଦରକାର ନାହିଁ। ବେଳେବେଳେ ଏକ ଛୋଟ ଅନୁଭବ ହିଁ ଜୀବନରେ କିଛି ବଡ଼ କରିବାର ସଫଳତାକୁ ହାତରେ ଧରାଇଦେଇପାରେ।