ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ଏହି ଅବପାତ। ଆଜି ସକାଳ ୮ଟା ୩୦ ସୁଦ୍ଧା ଏହା କଳିଙ୍ଗପଟ୍ଟନମ୍ଠାରୁ ପ୍ରାୟ ୭୦ କିଲୋମିଟର ପଶ୍ଚିମ-ଉତ୍ତର-ପଶ୍ଚିମ, ରାୟଗଡ଼ାଠାରୁ ୮୦ କିଲୋମିଟର ଦକ୍ଷିଣ-ପୂର୍ବ, କୋରାପୁଟଠାରୁ ୯୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଏବଂ ଛତିଶଗଡ଼ର ଜଗଦଲପୁରଠାରୁ ୧୭୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଥିଲା।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ଏହି ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଆଇଏମ୍ଡିର ନିର୍ଦ୍ଦେଶିକା ଡ଼ଃ ମନୋରମା ମହାନ୍ତିଙ୍କ ଅନୁସାରେ ଅବପାତର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ଭାରିରୁ ଅତି ଭାରି ବର୍ଷାର ଆଶଙ୍କା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧ରୁ ୨ଟି ସ୍ଥାନରେ ଅତ୍ୟଧିକ ଭାରୀ ବର୍ଷା ହୋଇପାରେ।

ସେହିପରି ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ବରଗଡ଼, ଦେବଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଜୁନ୍ ୧ରୁ ଏଯାଏଁ ରାଜ୍ୟରେ ହାରାହାରି ୧୧୨୦.୩ ମିଲିମିଟର ବର୍ଷା ହେବା କଥା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୩୮୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅର୍ଥାତ୍ ରାଜ୍ୟରେ ସ୍ୱାଭାବିକଠାରୁ ପ୍ରାୟ ୨୪ ପ୍ରତିଶତ ଅଧିକ ବର୍ଷା ହୋଇଛି।

ବୌଦ୍ଧ ଜିଲ୍ଲାରେ ସ୍ୱାଭାବିକଠାରୁ ୭୧ ପ୍ରତିଶତ ଅଧିକ ବର୍ଷା ହୋଇଥିବାରୁ ଏଠାରେ ‘ଲାର୍ଜ ଏକ୍ସେସ୍’ ବର୍ଷା ରେକର୍ଡ ହୋଇଛି। ଅନ୍ୟପଟେ ୧୦ଟି ଜିଲ୍ଲା- ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଯାଜପୁରରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ଅର୍ଥାତ୍ ଏହି ଜିଲ୍ଲାଗୁଡ଼ିକରେ ବର୍ଷାର ଅଭାବ ନାହିଁ।

ଏହାସହ ୧୯ଟି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି। ବରଗଡ଼, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, କଟକ, ଦେବଗଡ଼ ସମେତ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଗଭୀର ଅବପାତର ପ୍ରଭାବ ଏବଂ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ୨୫ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି।