ଭୁବନେଶ୍ୱର ୧୭।୧୦: ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ । ଏବେ ଯାଏଁ ଘରୁ ମିଳିଲାଣି ୨୧ଲକ୍ଷରୁ ଅଧିକ ନଗଦ ଟଙ୍କା । ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ବେଳେ ଜବତ ହୋଇଥିଲା ୭.୨୮ ଲକ୍ଷ ଟଙ୍କା । ଭଡ଼ା ଘର ଫ୍ଲାଟରୁ ମିଳିଲା ଆହୁରି ୧୪.୬୦ ଲକ୍ଷ ଟଙ୍କା । ଲାଞ୍ଚ କାରବାର ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ଗିରଫ ହୋଇଛନ୍ତି । ଭୁବନେଶ୍ୱର ଏଜି ଛକ ନିକଟରୁ କାବୁ କରିଛି ଭିଜିଲାନ୍ସ।

ଖବର ଅନୁଯାୟୀ, ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ବିଳମ୍ବିତ ରାତିର ଅପରେସନରେ କଟକ ଜଗତପୁର ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଘରେ ରେଡ୍ କରିଥିଲା । ବିଭିନ୍ନ କଣ୍ଟ୍ରାକ୍ଟରଙ୍କଠାରୁ ଲାଞ୍ଚ ଆଦାୟ ଅଭିଯୋଗରେ ଭୁବନେଶ୍ୱର ଏଜି ଛକ ନିକଟରେ ତାଙ୍କୁ ତାଙ୍କ ସରକାରୀ ବୋଲେରୋ ଗାଡ଼ି ସହ ଅଟକ ରଖାଯାଇଥିଲା। ପ୍ରାଥମିକ ତଲାସି ବେଳେ ତାଙ୍କ ପାଖରୁ ୭,୨୮,୬୨୦ ଟଙ୍କାର ସନ୍ଦେହଜନକ ନଗଦ ଅର୍ଥ ଜବତ ହୋଇଥିଲା।

Also Read:-Weather Forecast : ଦଶହରାରେ ଭଲ ପାଗ, କୁମାର ପୂର୍ଣ୍ଣିମାରେ ଘାଣ୍ଟିବ ବର୍ଷା..ଅକ୍ଟୋବର ଶେଷକୁ ଲଘୁଚାପ !

ସେହିପରି ଶନିବାର ସକାଳେ ତାଙ୍କର ଭୁବନେଶ୍ୱର ଘାଟିକିଆ ସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସି ଭଡ଼ାଘର ଏବଂ ବଡ଼ଗଡ଼ ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତେବେ ଭଡ଼ା ଫ୍ଲାଟରୁ ଆହୁରି ୧୪,୬୦,୦୦୦ ଟଙ୍କା ମିଳିଥିଲା । ଭିଜିଲାନ୍ସ ମୋଟ ୨୧,୮୮,୬୨୦ ଟଙ୍କା ଜବତ କରିଛି। ତେବେ ଜବତ ହୋଇଥିବା ଏହି ବିପୁଳ ଅର୍ଥର କୌଣସି ସନ୍ତୋଷଜନକ ହିସାବ ଦେଇନପାରିବାରୁ ଶ୍ରୀ ଦାସଙ୍କୁ ଅଧିକ ପଚରାଉଚରା କରାଯାଉଛି। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।