ଭୁବନେଶ୍ଵର: ନୂଆଦିଲ୍ଲୀର ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ଓଡ଼ିଶାରେ ଅତିରିକ୍ତ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମାନ୍ୟତା ପ୍ରଦାନ କରିଛି । କୋରାପୁଟର ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ (SLNMCH)କୁ DNB (ଡିପ୍ଲୋମେଟ୍ ଅଫ୍ ନ୍ୟାସନାଲ ବୋର୍ଡ), ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ (O&G) ୪ଟି ସିଟକୁ ସ୍ୱୀକୃତି ମିଳିଛି । ପୁରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଶିଶୁରୋଗରେ ୨ଟି ଏମବିବିଏସ ଡିପ୍ଲୋମା ସିଟ୍ ସ୍ୱୀକୃତି ମିଳିଛି ।

ଏହା ଫଳରେ ରାଜ୍ୟରେ ଡାକ୍ତରୀ ଶିକ୍ଷା ଏବଂ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ । ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ ଦ୍ଵାରା ଏହି ମାନ୍ୟତା ପ୍ରଦାନ କରାଯାଇଛି ଯାହା କେବିକେ ଅଞ୍ଚଳ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟାବସ୍ଥା ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରୋଗୀ- ଡାକ୍ତର ଅନୁପାତରେ ଉନ୍ନତି ଏବଂ ମାତୃ ଏବଂ ଶିଶୁ ଯତ୍ନ ସେବା ସୁନିଶ୍ଚିତ କରିବା ପାଇଁ ସହଜ ହେବ ।

Also Read: ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ, ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ

ଏଥି ନିମନ୍ତେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ପ୍ରୟାସରେ ଏହି ସିଟ ବଢିବା ଦ୍ଵାରା ଓଡିଶାର ସ୍ୱାସ୍ଥ୍ୟ ସେବା ସୁଦୃଢ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।