ଭୁବନେଶ୍ଵର: ଦିବଙ୍ଗତ ନେତା ବିଜୁ ପଟ୍ଟନାୟକ ବଞ୍ଚିଥିବା ସମୟରେ ତାଙ୍କୁ ନେଇ ଯେମିତି ରାଜନୀତି ହେଉଥିଲା, ଠିକ୍ ସେମିତି ରାଜନୀତି ତାଙ୍କ ପରଲୋକର ୩୦ ବର୍ଷ ପରେ ହେଉଛି। ବିଜୁଙ୍କ ନାଁରେ ଗଠନ ହୋଇ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରିଛି ବିଜୁ ଜନତା ଦଳ। ଆଉ ଏବେ ସେହି ବିଜୁ ବାବୁଙ୍କ ନାଁରେ ଆଉ ଏକ ତୃତୀୟ ସାମ୍ମୁଖ୍ୟ କିମ୍ବା ନୂତନ ଦଳ ଗଠନ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଜୁଙ୍କ ଅନୁଗତ।

ବିଜୁ ଲିଗାସୀ ନେତାଙ୍କ ବଡ଼ ବୈଠକ

ଏ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ବସିଛି ବିଜୁ ଲିଗାସୀ ନେତାଙ୍କ ବଡ଼ ବୈଠକ । ଆସନ୍ତା ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ୫ହଜାରରୁ ଅଧିକ ଲୋକଙ୍କ ସହ ଏକାଠି ହେବେ ବିଜୁ ଲିଗାସୀର ତମାମ୍ ବରିଷ୍ଠ ନେତା । ଓଡ଼ିଶା ନାଗରିକ ମଞ୍ଚରେ ବିଜୁବାବୁଙ୍କ ଅଣକଂଗ୍ରେସ ରାଜନୀତିର ସ୍ମୃତି ଚାରଣ କରିବେ ବିଜୁ ଅନୁଗତ । ଏହି ଦିନ ତୃତୀୟ ସାମ୍ମୁଖ୍ୟର ମୁଳଦୂଆ ପଡ଼ିବାକୁ ଥିବାରୁ ଆଜି ବିଜୟ ମହାପାତ୍ରଙ୍କ ଘରେ ବସିଥିବା ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି । ବୈଠକରେ ସାମିଲ ହୋଇଛନ୍ତି ସାଂସଦ ଦିଲ୍ଲୀପ ରାୟ, ବରିଷ୍ଠ ରାଜନେତା ଅମର ଶତପଥୀ, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ।

୧୭ରେ ଶକ୍ତି ପ୍ରଦର୍ଶନ

ଅପରାହ୍ଣ ୩ଟା ବେଳେ ବିଜୟ ମହାପାତ୍ରଙ୍କ ଘରେ ଏହି ବୈଠକ ବସିଥିଲା। ଓଡ଼ିଶା ନାଗରିକ ମଞ୍ଚ ନାଁରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯିବ ବୋଲି ସୂଚନା ମିଳିଛି।ଏହି ବ୍ୟାନର ଜରିଆରେ ତୃତୀୟ ସାମ୍ମୁଖ୍ୟ ବା ନୂଆ ଦଳ ଗଠନର ମୂଳଦୁଆ ପଡ଼ିବ। ଏହି କାର୍ଯ୍ୟକ୍ରମରେ ବିଜୁ ଅନୁଗତ ନିଜର ଶକ୍ତି ପ୍ରଦର୍ଶନ କରିବେ। ୧୭ ତାରିଖ ରାଜ୍ୟ ରାଜନୀତି ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହେବାକୁ ଯାଉଛି। ଯେଉଁ ନେତାମାନେ ବିଜେଡିରେ ଅବହେଳାର ଶିକାର ହୋଇଥିଲେ, ନିଲମ୍ବିତ ହୋଇଥିଲେ କିମ୍ବା ବିତାଡ଼ିତ ହୋଇଥିଲେ ସେ ସମସ୍ତ ନେତାଙ୍କୁ ବିଜୁଙ୍କ ଶ୍ରାଦ୍ଧ ଦିବସରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ।

Also Read: ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର, କାରଣ କ'ଣ ?

ଏହି ମଞ୍ଚର ମୁଖ୍ୟ ଆବାହକ ହେଉଛନ୍ତି ଦିଲୀପ ରାୟ। ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଦିନ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ପାଖାପାଖି ୫ ହଜାର ଲୋକ ସାମିଲ୍ ହେବେ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ବରରେ OUAT କନଭେନସନ ହଲରେ ଆୟୋଜିତ ହେବ ବିଜୁବାବୁଙ୍କ ଶ୍ରାଦ୍ଧ ପାଳନ ସଭା । ଏ ନେଇ ବରିଷ୍ଠ ନେତା ଓ ବିଜୁ ଅନୁଗତଙ୍କ ଦ୍ଵାରା ପ୍ରସ୍ତୁତି ଜୋରଦାର ଚାଲିଛି।

ଏବେ ବି ରାଜନୀତିର କେନ୍ଦ୍ରରେ ବିଜୁ ବାବୁ 

ସୂଚନାଯୋଗ୍ୟ, ବିଜୁ ବାବୁଙ୍କ ନୀତି ଆଦର୍ଶ ସହ ଓଡ଼ିଶାରେ ଅଣକଂଗ୍ରେସ ରାଜନୀତିରୁ ବିଜୁ ଜନତା ଦଳର ଗଠନ ହୋଇଥିଲା । କିନ୍ତୁ ରାଜ୍ୟସଭା ନିର୍ବାଚନରେ ବିଜେଡି, କଂଗ୍ରେସ ସହ ହାତ ମିଳାଇବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅନେକ ବିଜୁ ଅନୁଗତ । ଆଉ ଆଗକୁ ବିଜୁଙ୍କ ନାଁରେ ନୂଆ ସାମ୍ମୁଖ୍ୟ ଗଠନ କରି ଅଣକଂଗ୍ରେସ ଲଢ଼େଇକୁ ଜୋରଦାର୍ କରିବାକୁ ଏବେ କମର କଷିଛନ୍ତି ଅନେକ ବରିଷ୍ଠ ନେତା ଓ ବିଜୁ ଅନୁଗତ ।

Also Read: ରାଜ୍ୟରେ ଏବେ ପାଓ୍ୱାରଲେସ୍ ବିଜେଡି, ବିଜେପି କଣ୍ଟାକ୍ଟରେ ଅନେକ ଅସନ୍ତୁଷ୍ଟ

ସାଂପ୍ରତିକ ରାଜନୀତି ଏହା ପ୍ରମାଣିତ କରୁଛି ଯେ, ଏବେ ବି ବିଜୁ ବାବୁଙ୍କ ଲୋକପ୍ରିୟତା କାଏମ ରହିଛି। ଯଦ୍ଵାରା ତାଙ୍କ ନାଁକୁ ନେଇ ବିଜେଡି ଗଠନ ପରେ ଏବେ ଆଉ ଏକ ନୂତନ ଦଳ ମୁଣ୍ଡ ଟେକିବାକୁ ଯାଉଛି। ବିଜୁ ବାବୁ ସିନା ୧୯୯୭ ମସିହାରୁ ଚାଲି ଯାଇଛନ୍ତି, କିନ୍ତୁ ଏବେ ବି ସେ ଓଡ଼ିଶା ରାଜନୀତିର କେନ୍ଦ୍ର ବିନ୍ଦୁରେ ରହି ରାଜ୍ୟର ଆଗାମୀ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରୁଛନ୍ତି।