ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେଲେଣି ସବୁ ରାଜନୈତିକ ଦଳ । ସାଧାରଣ ଲୋକଙ୍କ ସହ ଯୋଡ଼ିହେବା ସହିତ ବୁଥସ୍ତରରେ ଦଳକୁ ମଜବୁତ୍ କରିବାକୁ ପ୍ଲାନ୍ କରିଛି ବିଜେପି । ଆସନ୍ତାକାଲି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଗାଁକୁ ଚାଲ ଅଭିଯାନ କରିବ ଦଳ । ଗାଁ ଗାଁରେ ବଜେଟ୍ ସଭା କରିବା ସହ ବିକାଶର ରୂପରେଖ ସମ୍ପର୍କରେ ବୁଝାଇବେ ବିଜେପି ନେତା । ଶାସକ ଦଳର ଏଭଳି ଯୋଜନାକୁ ଦେଖି ବିଜେଡି କହିଛି ଆଗକୁ ନବୀନ ବାବୁଙ୍କର ଜିଲ୍ଲା ବୁଲିବା କାର୍ଯ୍ୟକ୍ରମ ଥିବାରୁ ଏଥିରେ ଭୟଭୀତ ହୋଇପଡ଼ିଛି ବିଜେପି। ଲୋକେ ସେମାନଙ୍କ ବାହାସ୍ଫୋଟକୁ ବୁଝି ସାରିଲେଣି ।

ଗାଁ ମୁହାଁ ହେବେ ସବୁ ରାଜନୈତିକ ଦଳ

ପାଖେଇଲାଣି ପଞ୍ଚାୟତ ନିର୍ବାଚନ । ଏଥର ତେଜିବ ଗାଁ ରାଜନୀତି । ଗାଁ ମୁହାଁ ହେବେ ସବୁ ରାଜନୈତିକ ଦଳ । ଏମିତିରେ ସାଧାରଣ ଲୋକଙ୍କ ସହ ଯୋଡ଼ିହେବା ସହିତ ବୁଥସ୍ତରରେ ଦଳକୁ ମଜବୁତ୍ କରିବାକୁ ବଡ଼ ପ୍ଲାନ କରିଛି ବିଜେପି । ଆସନ୍ତା କାଲିଠୁ ୧୨ ତାରିଖ ଯାଏଁ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଶାସକ ଦଳ । ପୂର୍ବରୁ ଦଳ ଗାଁ ଗାଁରେ ବଜେଟ୍ ସଭା କରିବାକୁ ଘୋଷଣା କରିଥିଲା । ଏଥିରେ ଗାଁ ବିକାଶ ପାଇଁ ସରକାର ବଜେଟ୍ରେ କେତେ ଗୁରୁତ୍ବ ଦେଇଛନ୍ତି, କ’ଣ କାମ ହୋଇଛି, ଆଗକୁ ଆଉ କେତେ କାମ ହେବ ତା’ର ପ୍ରଚାର କରିବେ ବିଜେପି ନେତା ।

Also Read: ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ, ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ସସ୍ପେଣ୍ଡ

ଘରକୁ ଘର ବୁଲିବା ସହ ଗାଁ-ଗାଁ ରେ ବସିବ ବୈଠକ

ଅନ୍ୟପଟେ ସମବାୟ ଦଖଲ ଅଭିଯାନ ସହ ଗାଁ ରାଜନୀତିକୁ ନିଜ କବ୍ଜାକୁ ଆଣିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି । ଗୋଟିକ ପରେ ଗୋଟିଏ ଗାଁରେ ଅପରେସନ ଲୋଟସ ମାଧ୍ୟମରେ ଦଳର ଶକ୍ତି ବଢ଼ାଇବା ସହ ଗାଁ ଜଗିବାକୁ ଖସଡ଼ା ପ୍ରସ୍ତୁତ କରିଛି ଦଳ । ଗାଁକୁ ଚାଲ ଅଭିଯାନରେ ଗାଁ ଗାଁରେ ଡେରା ପକାଇବେ ବିଜେପି କାର୍ଯ୍ୟକର୍ତ୍ତା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଥ୍ଓ୍ବାରି ଲୋକଙ୍କ ସହ ଯୋଡ଼ି ହେବ ବିଜେପି । ଘରକୁ ଘର ବୁଲିବା ସହ ଗାଁ-ଗାଁ ରେ ବସିବ ବୈଠକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଓ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବେ ଦଳୀୟ ନେତା ।

ବିଜେପିର ଏଭଳି ପ୍ଲାନକୁ କାଉଣ୍ଟର କରିଛି ବିଜେଡି । ଦଳ କହିଛି ଆଗକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହାକୁ ନେଇ ଭୟଭୀତ ହୋଇପଡ଼ିଛି ବିଜେପି । ସେମାନଙ୍କ ଫନ୍ଦି ଫିକରକୁ ଲୋକେ ବୁଝି ଗଲେଣି । ସାଧାରଣ ଜନତା ସେମାନଙ୍କୁ ଗ୍ରହଣ କରିବେ ନାହିଁ ।

Also Read: ପଞ୍ଚାୟତ ନିର୍ବାଚନକୁ ନେଇ ସରକାରଙ୍କ ଅଧିକ ଚାଉଳ ନୀତି, ମନ୍ତ୍ରୀ କହିଲେ ଲୋକଙ୍କ ହିତ ପାଇଁ ନିଷ୍ପତ୍ତି

ମନ୍ତ୍ରୀ ବିଧାୟକଙ୍କୁ ଦାୟିତ୍ବ ଦେଇଛି ଦଳ

ନୂଆପଡ଼ା ଉପନିର୍ବାଚନ ପରେ ରାଜ୍ୟସଭା ନିର୍ବାଚନରେ ବିଜେପିର ଷ୍ଟ୍ରାଟେଜି ସଫଳ ହେବା ପରେ ଏବେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳ ଆରମ୍ଭ କରିଛି କସରତ । ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ମନ୍ତ୍ରୀ ବିଧାୟକଙ୍କୁ ଦାୟିତ୍ବ ଦେଇଛି ଦଳ । ଗାଁ ଗାଁରେ କିଭଳି ସଂଗଠନ ସୁଦୃଢ଼ ହେବ ତା’ ଉପରେ ଫୋକସ କରିଛି ଦଳ । ସେପଟେ ବିଜେଡି ତା’ର ଗଡ଼ ଜଗିବାକୁ ପ୍ରୟାସ ଆରମ୍ଭ କରିଛି । ଏମିତିରେ ଦଳ ଖୋଦ୍ ସୁପ୍ରିମୋଙ୍କୁ ମଇଦାନକୁ ଓହ୍ଲାଇବାକୁ ଷ୍ଟ୍ରାଟେଜି କରିଛି ବିଜେଡି ।

କଂଗ୍ରେସ ମଧ୍ୟ ଗାଁ ରାଜନୀତିରେ ନିଜର ଦବଦବା ବଢ଼ାଇବାକୁ ପ୍ରୟାସ ଚଳାଇଛି ବୋଲି ଆକଳନ କରୁଛନ୍ତି ରାଜନୀତି ସମୀକ୍ଷକ । ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବା ବେଳେ ଏଥିପାଇଁ ପାଗ ଭିଡ଼ିଲେଣି ସବୁ ରାଜନୈତିକ ଦଳ । ସେପଟେ ସୁଯୋଗ ଦେଖି ଦଳ ବଦଳାଇବାରେ ବ୍ୟସ୍ତ ତୃଣମୂଳସ୍ତରର ନେତା ଓ କର୍ମୀ।