ଭୁବନେଶ୍ୱର: ଧାନ କିଣାକୁ ନେଇ ବିଧାନସଭାରେ ସରଗରମ ଆଲୋଚନା। ମଣ୍ଡିରେ ଚାଷୀଙ୍କ ସମସ୍ୟା, ଟୋକନ ଲାପ୍ସ ଓ ଧାନ ବିକ୍ରିକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମୁଲତବୀ ପ୍ରସ୍ତାବ ଉପରେ ବିବୃତ୍ତି ରଖି ମନ୍ତ୍ରୀ କହିଛନ୍ତି, ଚଳିତ ଖରିଫ ଧାନ କିଣାରେ ଟୋକନ ଲାପ୍ସ ହାର ମାତ୍ର ୪ ପ୍ରତିଶତ ରହିଛି। ଚାଷୀଙ୍କଠାରୁ ସମସ୍ତ ଧାନ କିଣିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। କୌଣସି ଚାଷୀଙ୍କୁ ଅବହେଳା କରାଯିବ ନାହିଁ ବୋଲି ସେ ଗୃହରେ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଧାନ ବିକ୍ରି ପାଇଁ ୨୨ ଲକ୍ଷ ୨୭ ହଜାରରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ୨୩ ଲକ୍ଷ ୪୩ ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୪୮ ହଜାର ଚାଷୀ ଧାନ ବିକ୍ରି କରିଥିଲେ।  ଅର୍ଥାତ ଟୋକନ ଲାପ୍ସ ମାତ୍ର ୪ ପ୍ରତିଶତ  ହୋଇଥିଲା। ଏଥର ଟୋକନ ଅବଧି ଶେଷ ହେବା ପରେ ଚାଷୀଙ୍କୁ ଅଧିକ ୧୫ ଦିନ ସମୟ ଦିଆଯାଉଛି। ଟୋକନ ଲାପ୍ସ ଯୋଗୁଁ ଯେପରି ଚାଷୀ କ୍ଷତିଗ୍ରସ୍ତ ନ ହେବେ, ସେଥିପାଇଁ ସରକାର ପଦକ୍ଷେପ ନେଇଛନ୍ତି।

Also Read: ଗ୍ୟାସ୍ କଳାବଜାରୀ ଉପରେ ଯୋଗାଣ ବିଭାଗର କଡ଼ା ପ୍ରହାର, ୩ ବର୍ଷରେ ଜବତ ହେଲାଣି ୯ହଜାରରୁ ଉର୍ଦ୍ଧ୍ୱ ସିଲିଣ୍ଡର

ପୂର୍ବ ସରକାରଙ୍କ ସମୟର ଧାନ କିଣା ବ୍ୟବସ୍ଥା ସହ ବର୍ତ୍ତମାନର ସ୍ଥିତିକୁ ତୁଳନା କରି ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ରେ ୨୦ ଲକ୍ଷ ୮୮ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। କିନ୍ତୁ ମାତ୍ର ୧୫ ଲକ୍ଷ ଚାଷୀ ଧାନ ବିକ୍ରି କରିଥିଲେ। ସେହି ସମୟରେ ୫ ଲକ୍ଷ ୧୭ ହଜାର ଟୋକନ ଲାପ୍ସ ହୋଇଥିବା ମନ୍ତ୍ରୀ ଦାବି କରିଛନ୍ତି। ଏହା ପ୍ରାୟ ୨୫ ପ୍ରତିଶତ ଥିଲା ବୋଲି ସେ କହିଛନ୍ତି।

୧୦୦ ମଡେଲ ମଣ୍ଡି ପାଇଁ ୩୦୦ କୋଟି

ଚାଷୀଙ୍କୁ ମଣ୍ଡିରେ ଉନ୍ନତ ସୁବିଧା ଯୋଗାଇବାକୁ ସରକାର ୧୦୦ଟି ମଡେଲ ମଣ୍ଡି ନିର୍ମାଣ ପାଇଁ ୩୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆଗେଇଛି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୪ଟି ମଣ୍ଡିର ନିର୍ମାଣ କାମ ଆରମ୍ଭ ହୋଇଛି। ଆଉ ୩୪ଟି ମଣ୍ଡି ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। ସେହିପରି ୬୪ଟି ମଣ୍ଡି ପାଇଁ ଜମି ଚିହ୍ନଟ କରାଯାଉଛି। ପୂର୍ବରୁ ମଣ୍ଡିଗୁଡ଼ିକର ଅବସ୍ଥା ଭଲ ନଥିବା ଅଭିଯୋଗ କରି ମନ୍ତ୍ରୀ କହିଛନ୍ତି, ନୂଆ ବ୍ୟବସ୍ଥାରେ ମଣ୍ଡିର ଭିତ୍ତିଭୂମି ଓ ସୁବିଧାକୁ ଉନ୍ନତ କରାଯିବ।

Also Read: ୩ ବର୍ଷରେ ୨୭୩ଟି ଅନିୟମିତତା ଅଭିଯୋଗ, ୩୪୭ ଡିଲରଙ୍କ ଲାଇସେନ୍ସ ରଦ୍ଦ; ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଚାଷୀଙ୍କୁ ୮୦୦ ଟଙ୍କା ବୋନସ 

ଧାନର ମୂଲ୍ୟକୁ ନେଇ ମଧ୍ୟ ମନ୍ତ୍ରୀ ପୂର୍ବ ସରକାରଙ୍କୁ ଘେରିଛନ୍ତି। ପୂର୍ବ ସରକାର ୧୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଦେଇପାରିନଥିବା ସେ କହିଛନ୍ତି। ଅନ୍ୟପଟେ ବର୍ତ୍ତମାନର ସରକାର ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେଉଥିବା ଦାବି କରିଛନ୍ତି। ଏହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇଥିବା ମନ୍ତ୍ରୀ ଗୃହରେ କହିଛନ୍ତି। ଧାନ କିଣାରେ ଜାଲିଆତି ରୋକିବାକୁ ସରକାର ସାଟେଲାଇଟ୍ ମାଧ୍ୟମରେ ଚାଷ ଜମିର ସର୍ଭେ କରୁଥିବା ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ପ୍ରକୃତ ଚାଷ ଜମି ଚିହ୍ନଟ ହେଉଛି ଏବଂ ଜାଲ ପଞ୍ଜୀକରଣକୁ ରୋକାଯାଇପାରୁଛି।