ଭୁବନେଶ୍ଵର: ରାସନ୍ ଚାଉଳ ହଡ଼ପ୍ ଓ ଅନିୟମିତତା ମାମଲାକୁ ନେଇ ଆସିଛି ବଡ଼ ଖବର।  ୨ ବର୍ଷରେ ୪୦ ମାମଲା ରୁଜୁ ହେବା ସହ ୧୩୯ ରାସନ୍ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ ବର୍ଷରେ ୨୭୩ଟି ଅନିୟମିତତା ଅଭିଯୋଗ ଆସିଥିବା ବେଳେ ୩୪୭ ଡିଲରଙ୍କ ଲାଇସେନ୍ସ ରଦ୍ଦ ହୋଇଛି ଏବଂ ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ବିଧାନସଭାରେ କଳାହାଣ୍ଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ତଥ୍ୟ ରଖିଛନ୍ତି।

ବିଧାନସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଉତ୍ତର ରଖି  ମନ୍ତ୍ରୀ କହିଛନ୍ତି,  ଗତ ଦୁଇ ବର୍ଷରେ ରାଜ୍ୟରେ ପିଡିଏସ୍ ବ୍ୟବସ୍ଥାରେ ୪୦ଟି ଅନିୟମିତତା ମାମଲା  ଚିହ୍ନଟ ହୋଇଛି | ଏଥିରେ ପ୍ରାୟ ୧୫୯୪ କ୍ୱିଣ୍ଟାଲ ଖାଦ୍ୟଶସ୍ୟ ସମ୍ପୃକ୍ତ ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି | ସେହି ସମୟ ମଧ୍ୟରେ ୧୩୯ ଜଣ ରାସନ୍ ଡିଲରଙ୍କୁ ଦଣ୍ଡିତ କରାଯାଇଛି କିମ୍ବା ଲାଇସେନ୍ସ ବାତିଲ କରାଯାଇଛି | କଟକ ଜିଲ୍ଲାରେ ସର୍ବାଧିକ ୨୭ଟି ମାମଲା ଚିହ୍ନଟ ହୋଇଛି।  

Also Read: ଛାଡ଼ଖାଇରେ ଆମିଷକୁ ନେଇ ବିଧାନସଭାରେ ବଡ଼ ଖୁଲାସା, ବର୍ଷକୁ କେତେ ମାଛ-ମାଂସ ଖାଉଛନ୍ତି ଓଡ଼ିଶାବାସୀ ?

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଖାଦ୍ୟଶସ୍ୟ ହଡ଼ପ, ଚୋରାଚାଲାଣ ଓ ଅନ୍ୟାନ୍ୟ ଅନିୟମିତତା ଉପରେ ନଜର ରଖିଛି ଯୋଗାଣ ବିଭାଗ | ରାସନ୍ ବ୍ୟବସ୍ଥାରେ ହେଉଥିବା ଲିକେଜ୍ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଶତ ପ୍ରତିଶତ ଆଧାର ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଛି | ଆଇରିସ୍ ସ୍କାନର ଓ ଇ-ପିଓଏସ୍ ମେସିନ୍ ମାଧ୍ୟମରେ ରାସନ୍ ବଣ୍ଟନ ହେଉଛି | ଏହାସହ ଫେୟାର ପ୍ରାଇସ୍ ସପ୍‌ ଏବଂ ପିଡିଏସ୍ ଯୋଗାଣ ଶୃଙ୍ଖଳାର ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ, ଅଚାନକ ଚଢ଼ାଉ ଓ ମନିଟରିଂ କରାଯାଉଛି।