ନୂଆଦିଲ୍ଲୀ ୨୫।୧୧; ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମ୍ଭାବ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ତେଜନା ବଢ଼ୁଥିବା ବେଳେ ପଶ୍ଚିମବଙ୍ଗର ନେତା ଅର୍ଜୁନ ସିଂହ ଏକ ବିବାଦୀୟ ବୟାନ ଦେଇଛନ୍ତି। ଡିସେମ୍ବର ୧୬ ତାରିଖ ସୁଦ୍ଧା ଭାରତ ବାଂଲାଦେଶକୁ ଦଖଲ କରିବ ବୋଲି ସେ ଦାବି କରିଛନ୍ତି। ଏହାସହ ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

ଶେଖ୍ ହସିନା ଡିସେମ୍ବର ୧୬ ତାରିଖରେ ବାଂଲାଦେଶ ଫେରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଥିବା ବେଳେ ଅର୍ଜୁନ ସିଂହଙ୍କ ଏଭଳି ବୟାନ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଅନ୍ୟପଟେ ହସିନାଙ୍କୁ ସ୍ୱଦେଶ ଫେରାଇ ନେବା ପାଇଁ ଆୱାମୀ ଲିଗ୍ ବାଂଲାଦେଶ ସରକାରଙ୍କୁ ଏକ ବିମାନ ଯୋଗାଇଦେବାକୁ ଦାବି କରିଛି। ତେବେ ଏହାକୁ ନେଇ ବାଂଲାଦେଶ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହସିନାଙ୍କୁ କେବଳ ଜଣେ ବନ୍ଦୀ ଭାବେ ହାତରେ ହାତକଡ଼ି ପକାଇ ସ୍ୱଦେଶ ଫେରାଇ ଅଣାଯାଇପାରିବ ବୋଲି ସରକାର କହିଛନ୍ତି।

‘ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶ ଦଖଲ କରିବୁ’

ମଙ୍ଗଳବାର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଅର୍ଜୁନ ସିଂହ କହିଛନ୍ତି, ‘ଆମେ ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶକୁ ଦଖଲ କରିନେବୁ। ଏବେ ବହୁତ ହୋଇଗଲା। ବାଂଲାଦେଶ ପ୍ରସଙ୍ଗରେ ଆଉ କୌଣସି ବାହାନା ଚଳିବ ନାହିଁ। ବାଂଲାଦେଶରେ ଯେଉଁଭଳି ଭାବେ ହିନ୍ଦୁମାନଙ୍କୁ ହତ୍ୟା କରାଯାଇଛି, ଆମେ ନିଶ୍ଚିତ ଭାବେ ଏହାର ପ୍ରତିଶୋଧ ନେବୁ। ଏଥିରେ କୌଣସି ସନ୍ଦେହ ନାହିଁ।’ ଭାରତ ଓ ବାଂଲାଦେଶ ମଧ୍ୟରେ ପୂର୍ବରୁ ସମ୍ପର୍କ ତିକ୍ତ ରହିଥିବା ବେଳେ ତାଙ୍କର ଏହି ବୟାନ ନୂଆ ବିତର୍କ ସୃଷ୍ଟି କରିଛି।

ଶେଖ୍ ହସିନାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ଖବର ଉପରେ ପ୍ରତିକ୍ରିୟା ରଖି ବାଂଲାଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି ଯେ, ହସିନାଙ୍କୁ କେବଳ ଜଣେ ବନ୍ଦୀ ଭାବେ ହାତରେ ହାତକଡ଼ି ପକାଇ ଏବଂ କଡ଼ା ସୁରକ୍ଷା ନିରୀକ୍ଷଣରେ ଦେଶକୁ ଫେରିବାକୁ ଅନୁମତି ଦିଆଯିବ। ଡିସେମ୍ବର ୧୬ ତାରିଖରେ ବାଂଲାଦେଶରେ ‘ବିଜୟ ଦିବସ’ ପାଳନ କରାଯାଏ। ସେହି ଦିନ ଶେଖ୍ ହସିନା ନିଜ ଦେଶକୁ ଫେରିବାକୁ ଚାହୁଁଥିବା ନେଇ ପ୍ରକାଶିତ ଖବରକୁ ହୁମାୟୁନ କବୀର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ଇଚ୍ଛା ଏବଂ ବାସ୍ତବତା ଦୁଇଟି ଭିନ୍ନ କଥା। ବାସ୍ତବତା ହେଉଛି, କୌଣସି ଆତଙ୍କବାଦୀଙ୍କୁ ପ୍ରତ୍ୟର୍ପଣ ପ୍ରକ୍ରିୟା ବ୍ୟତୀତ ଅନ୍ୟ କୌଣସି ଉପାୟରେ ଦେଶକୁ ଫେରିବାକୁ ଅନୁମତି ଦିଆଯିବ ନାହିଁ।’ ଏଭଳି ପରିସ୍ଥିତିରେ ଶେଖ୍ ହସିନାଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ଏବଂ ଅର୍ଜୁନ ସିଂହଙ୍କ ବୟାନକୁ ନେଇ ଉଭୟ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।