ବାଲିପାଟଣା : କୁନି ପିଲାଟି... ଭଲରେ ପାଟି ଖୋଲିନି। ଠିକ୍ ରେ କଥା କହିବା ବି ଶିଖି ନାହିଁ। ବୟସ ମାତ୍ର ଅଢ଼େଇ ବର୍ଷ। କିନ୍ତୁ ଏତେ କମ୍ ବୟସରେ ତାର ଉପସ୍ଥିତ ବୁଦ୍ଧି ଆଉ ତା କାମ କେବଳ ଆଶ୍ଚର୍ଯ୍ୟ ଚକିତ କରିନି, ବଞ୍ଚାଇଛି ଜୀବନ। ସେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ପୋଖରୀରେ ବୁଡ଼ି ଯାଉଥିବା ଜଣେ ତିନି ବର୍ଷର ଶିଶୁର ଜୀବନ ବଞ୍ଚାଇ ଦେଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଗଡ଼ବନ୍ତପୁର ଗାଁର ଏହି ଘଟଣା କେବଳ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୋଇନି, ହୋଇ ଯାଇଛି ଏକ ମନଛୁଆଁ ଖବର ।

ମଙ୍ଗଳବାର ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ଗ୍ରାମରେ ନଡ଼ିଆ ତୋଳା ଦେଖିବାକୁ ଜେଜେବାପାଙ୍କ ସହ ଯାଇଥିଲେ ଧର୍ମେନ୍ଦ୍ର ଜେନାଙ୍କ ପୁଅ ବିବେକାନନ୍ଦ ଏବଂ ବିକ୍ରମ ଜେନାଙ୍କ ସାଢ଼େ ତିନି ବର୍ଷର ପୁଅ ଦିବ୍ୟାଂଶୁ। ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ପୋଖରୀ ନିକଟରେ ଅଟକି ଯାଇଥିଲେ ଦୁଇ ଶିଶୁ। ଏହି ସମୟରେ ପୋଖରୀ କୂଳରେ ଭାସୁଥିବା ଏକ ରଙ୍ଗୀନ ଡଙ୍ଗାକୁ ଆଣିବା ପାଇଁ ପାଣି ଭିତରକୁ ପଶି ଯାଇଥିଲେ ଦିବ୍ୟାଂଶୁ। ହେଲେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। ଆଖି ସାମ୍ନାରେ ଏଭଳି ଘଟଣା ଦେଖି ଭୟଭୀତ ହୋଇପଡ଼ିଥିଲା କୁନି ବିବେକାନନ୍ଦ। ହେଲେ ଭୟରେ ସେଠାରେ ଅଟକି ନଯାଇ ତୁରନ୍ତ ଘରକୁ ଦୌଡ଼ି ଆସିଥିଲା।

ଘରେ ପହଞ୍ଚି ଦାଦାଙ୍କୁ ଡାକି ଡାକି କହିଥିଲା, "ଦାଦା, ଦାଦା... ସୋନୁ ଭାଇ ବୁଡ଼ିଗଲା।" ଅଢ଼େଇ ବର୍ଷର ଶିଶୁ ମୁହଁରୁ ଏହି କଥା ଶୁଣି ପରିବାର ଲୋକ ତୁରନ୍ତ ପୋଖରୀ ନିକଟକୁ ଦୌଡ଼ି ଯାଇଥିଲେ। ସେତେବେଳକୁ ଦିବ୍ୟାଂଶୁ ପୋଖରୀର ମଝି ଭାଗରେ ମୁହଁ ତଳକୁ କରି ଭାସୁଥିଲେ। ପରିବାର ଲୋକ ତାଙ୍କୁ ଅଚେତ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ। ଆଉ ତୁରନ୍ତ ତାଙ୍କୁ ପ୍ରଥମେ ବାଲିପାଟଣା ଏବଂ ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ଦୀର୍ଘ ଚେଷ୍ଟା ପରେ ଦିବ୍ୟାଂଶୁଙ୍କ ଜୀବନ ରକ୍ଷା ହୋଇପାରିଛି। ଶୁଣନ୍ତୁ ତ ସେହି କୁନି ଓଠର କଥା, ଯିଏ ସାଜିଥିଲା ଦେବଦୂତ।

Also Read- ଛାଡ଼ଖାଇରେ ଆମିଷକୁ ନେଇ ବିଧାନସଭାରେ ବଡ଼ ଖୁଲାସା, ବର୍ଷକୁ କେତେ ମାଛ-ମାଂସ ଖାଉଛନ୍ତି ଓଡ଼ିଶାବାସୀ ?

ଏବେ ସମସ୍ତଙ୍କ ମୁହଁରେ କୁନି ବିବେକାନନ୍ଦର ପ୍ରଶଂସା। ଯଦି ସେ ଠିକ୍ ସମୟରେ ଘରକୁ ଯାଇ ଖବର ଦେଇନଥାନ୍ତା, ତେବେ ପରିଣାମ କେତେ ଦୁଃଖଦ ହୋଇଥାନ୍ତା ଭାବିଲେ। ବୟସରେ ସିନା ଛୋଟ, ହେଲେ କୁନି ବିବେକାନନ୍ଦର ଉପସ୍ଥିତ ବୁଦ୍ଧି ଓ ସାହସ ଆଜି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି। ତା ସୋନୁ ଭାଇ ଭାଇ ଫେରି ଆସିଛି। ଏହାଠୁ ସୁନ୍ଦର ଖବର ଆଉ କଣ ହୋଇପାରେ।