ପୁରୁଷୋତ୍ତମପୁର: ମହିଳା ଏସ୍ଆଇ ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ! ଗୋଟିଏ ପଟେ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମୃତ ପ୍ରଭାସିନୀଙ୍କ ପରିବାର ଲୋକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ଅନ୍ୟପଟେ ଶ୍ୱଶୁର ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଏବେ ଦୁଇ ପକ୍ଷର ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଝିଅର ମୃତ୍ୟୁ ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଦାୟୀ କରି ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ । ମାନସିକ ନିର୍ଯାତନା ସହି ନପାରି ପ୍ରଭାସିନୀ ଏଭଳି ପଦକ୍ଷେପ ନେଇଥିବା ଏତଲାରେ ଦର୍ଶାଯାଇଛି । ଏକ ଲିଖିତ ଅଭିଯୋଗରେ ଭୀମସେନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିଲେ କିନ୍ତୁ ଚାକିରି ନ ଛାଡିବା ପାଇଁ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁଙ୍କ ଚାପ ପକାଉଥିଲେ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକଙ୍କ ଚାପ ତାଙ୍କୁ କଷ୍ଟ ଦେଉଥିଲା । ଅଭିଯୋଗର ଉପଯୁକ୍ତ ତଦନ୍ତ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏନେଇ ପୁରୁଷୋତ୍ତମପୁର ଥାନାରେ କେସ୍ ନମ୍ବର ୮୫୪/୨୬ରେ ମାମଲା ରୁଜୁ ହୋଇଛି । ସେପଟେ ଥାନାରେ ପୋକ୍ସୋ ମାମଲାରେ ଚାପ ଯୋଗୁଁ ପ୍ରଭାସିନୀ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଶ୍ୱଶୁର । ତେବେ ଏହାକୁ ଖଣ୍ଡନ କରିଛନ୍ତି ଏସଡିପିଓ ସୁଜିତ୍ କୁମାର ନାୟକ । ତେବେ ପ୍ରକୃତ ସତ୍ୟ କ'ଣ ? ପାରିବାରିକ ନିର୍ଯାତନା ନା କର୍ମକ୍ଷେତ୍ରର ଚାପ ? ଏହାର ଉତ୍ତର ଏବେ ପୋଲିସ ତଦନ୍ତ ଉପରେ ନିର୍ଭର କରୁଛି ।

ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୧ରେ ପ୍ରଭାସିନୀଙ୍କୁ ତାଙ୍କ ସରକାରୀ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ୍ୟୁ ସମୟରେ ସେ ଦୁଇ ମାସର ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି । ସେ ପୁରୁଷୋତ୍ତମପୁର ପୋଲିସ ଷ୍ଟେସନ ପରିସରରେ ଥିବା କ୍ୱାର୍ଟର୍ସରେ ଏକା ରହୁଥିଲେ । ରେଳବାଇରେ କାମ କରୁଥିବା ତାଙ୍କ ସ୍ୱାମୀଙ୍କ ରାଉରକେଲାରେ ରୁହନ୍ତି । ତାଙ୍କ ମୃତ୍ୟୁର ପ୍ରକୃତ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।