ଭୁବନେଶ୍ୱର,|୦୬:ରାଜ୍ୟରେ ମହିଳାଙ୍କ ସଶକ୍ତୀକରଣ ଉପରେ ଯଥେଷ୍ଟ ଧ୍ୟାନ ଦେଉଛନ୍ତି ମୋହନ ସରକାର | ରାଜ୍ୟରେ ମହିଳାଙ୍କ ଉନ୍ନତି ଦିଗରେ ଅନେକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ସରକାର । ପ୍ରତି ଗ୍ରାମ ପଞ୍ଚାୟତରେ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଣ୍ଟା ଭିଡିଛନ୍ତି | ବର୍ତ୍ତମାନ ଆସନ୍ତା ୨୧ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ଶକ୍ତି ସମାବେଶ' ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏଥିସହ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଅଧିକରୁ ଅଧିକ ‘ଲକ୍ଷପତି ଦିଦି ଓ ‘ମହା ଲକ୍ଷପତି ଦିଦି’ ସୃଷ୍ଟି ଦିଗରେ ମଧ୍ୟ ସଚେତନ କରାଯିବ । ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ଓ ସଫଳ ଆୟୋଜନ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ପନ୍ନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ରଜ ପର୍ବର ଶେଷ ଦିନରେ ଶ୍ରୀମତୀ ପରିଡ଼ା ମିଶନ ଶକ୍ତି ଭବନଠାରେ ‘ସୁଭଦ୍ରା ଶକ୍ତି ସମାବେଶ' କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ବୈଠକ କରିଥିଲେ। ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଡ଼ିହୋଇଥିଲେ। ଏହାପରେ ମିଶନ ଶକ୍ତି ଭବନର ସମ୍ମିଳନୀ ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ସେମାନଙ୍କ କାର୍ଯ୍ୟ ଅନୁଭୂତି, ସଫଳତା, ସମସ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ଅବଗତ କରାଇଥିଲେ। ଏହାବ୍ୟତୀତ ଜିଲ୍ଲା ଓ ବ୍ଳକ୍ ସ୍ତରରେ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ, ଆଜୀବିକା ବୃଦ୍ଧି ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇ କହିଥିଲେ, ମିଶନ ଶକ୍ତିର ସଫଳତା ପଛରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ନିଷ୍ଠା, ପରିଶ୍ରମ ଓ କର୍ମଦକ୍ଷତା ହିଁ ପ୍ରମୁଖ ଶକ୍ତି I ସେମାନଙ୍କ ନିରନ୍ତର ପ୍ରୟାସ ଯୋଗୁ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରୁଛି।