ଭୁବନେଶ୍ୱର ୨୫।୦୫ : ପଶ୍ଚିମ ଓଡ଼ିଶା ଜଳୁଥିଲା, ଜଳୁଛି। ଉପକୂଳ ଓଡ଼ିଶାବାସୀ ସେମିତି ଛଟପଟ ହେଉଛନ୍ତି। ପାଗ ବଦଳୁନି। ଏ ନିଆଁ ଲାଗି ଗ୍ରୀଷ୍ମ ତାଉରେ ଜନଜୀବନ ଭାଜି ହୋଇଗଲେଣି। ଅଂଶୁଘାତ ମୃତ୍ୟୁ ଅଭିଯୋଗ ସଂଖ୍ୟା ବଢ଼ି ୧୮ରେ ପହଞ୍ଚିଛି।

ରବିବାର ୨୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ପଶ୍ଚିମର ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିଲା । ସବୁଠୁ ଉତ୍ତପ୍ତ ଥିଲା ଟିଟିଲାଗଡ଼, ଏଠି ତାପମାତ୍ରା ୪୫.୮ ଡିଗ୍ରୀ ଛୁଇଁଥିଲା । ବୌଦ୍ଧ ୪୫.୬, ଭବାନୀପାଟଣା ୪୫.୪, ସମ୍ବଲପୁର ୪୫.୩, ସୋନପୁର ୪୫.୨, ବଲାଙ୍ଗୀର ୪୫ ଡିଗ୍ରୀ ତାତିରେ ହୁତୁ ହୁତୁ ହୋଇ ଜଳିଥିଲା । ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରୀ ତଳକୁ ଖସିଥିଲେ ମଧ୍ୟ ଆଶ୍ୱସ୍ତି ନଥିଲା । ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁଥିଲା । ହୀରାକୁଦ ଓ ନୂଆପଡ଼ା ସହର ବି ୪୪ ପାର୍ କରିଥିଲା । ଉପକୂଳ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା, କିନ୍ତୁ ୪୫ରୁ ୫୦ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଥିଲା ଗୁଳୁଗୁଳି ପ୍ରକୋପରୁ । ପଶ୍ଚିମରୁ ଉପକୂଳ ଯାଏଁ ରାତିରେ ବିନିସ୍ତାର ମିଳୁନି ଗରମରୁ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ତାତିର ଏ ଲହରରୁ ମୁକୁଳି ପାରିବନି ଓଡ଼ିଶା ।

ପଶ୍ଚିମ ସେମିତି ଜଳିବ, ଉପକୂଳ ବି ସିଝିବ । ଆସନ୍ତା ୪ ଦିନ ଯାଏଁ ଲାଗି ରହିବ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଏବଂ ଭୀଷଣ ଗୁଳୁଗୁଳି । କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ସୂର୍ଯ୍ୟ ତାପ ଏବଂ ଶୁଷ୍କ ଉତ୍ତର-ପଶ୍ଚିମା ପବନ ଯୋଗୁ ଝାରସୁଗୁଡ଼ା, ସମ୍ବଲପୁର ଏବଂ ବଲାଙ୍ଗୀର ଭଳି ଜିଲ୍ଲାଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ।

Also Read:-Horoscope Today : ମେ'୨୫ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଉପକୂଳବର୍ତ୍ତୀ ଅଞ୍ଚଳ ଭୁବନେଶ୍ୱର, କଟକ ଏବଂ ପୁରୀରେ ବାୟୁମଣ୍ଡଳର ତାପମାତ୍ରା ସାମାନ୍ୟ କମ୍ ରହିଲେ ମଧ୍ୟ ଶାରୀରିକ ଅସ୍ୱାଭାବିକତା ଓ ଗୁଳୁଗୁଳି ବହୁତ ଅଧିକ ହେବ । ବଙ୍ଗୋପସାଗରରୁ ପ୍ରଚୁର ପରିମାଣରେ ଆର୍ଦ୍ରତା ପ୍ରବେଶ କରୁଥିବାରୁ ଗରମର ପ୍ରକୃତ ଅନୁଭୂତି ଆହୁରି ବଢ଼ିଯିବ । ତେବେ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ କାଳବୈଶାଖୀ ଜନିତ ସୀମିତ ବର୍ଷା ହୋଇପାରେ । ଏଥିରେ ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବନି । ଆସନ୍ତା ୨୮–୨୯ ପରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ତଥାପି ପାଗ ଗରମ ଓ ଗୁଳୁଗୁଳିପୂର୍ଣ୍ଣ ରହିବ । ଏହି ସମୟରେ ବାୟୁମଣ୍ଡଳୀୟ ଅସ୍ଥିରତା ବଢ଼ିପାରେ । ପୂର୍ବ ଭାରତରେ ମେଘୁଆ ପାଗ, ଝଡ଼ ପବନ ଏବଂ ସଂଗଠିତ ସନ୍ଧ୍ୟାକାଳୀନ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ । ବିଭିନ୍ନ ପାଣିପାଗ ମଡେଲ୍ ସୂଚନା ଅନୁଯାୟୀ ମାସର ଶେଷ ଆଡ଼କୁ କିମ୍ବା ଜୁନ୍ ପ୍ରାରମ୍ଭରେ ପଶ୍ଚିମ-କେନ୍ଦ୍ରୀୟ କିମ୍ବା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏବେଠାରୁ ତୀବ୍ରତାକୁ ନେଇ ସ୍ପଷ୍ଟ ଭାବେ କହି ହେବନି । ଏହା ସକ୍ରିୟ ହେଲେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିପାରେ ।

ପ୍ରଫେସର ପଶୁପାଳକ କହିଛନ୍ତି, ବର୍ତ୍ତମାନର ଗତିପଥ ଅନୁସାରେ ଦକ୍ଷିଣ- ପଶ୍ଚିମ ମୌସୁମୀ ଜୁନ୍ ୭ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଯାହାକି ମୌସୁମୀ ଆଗମନର ସ୍ୱାଭାବିକ କିମ୍ବା ସାମାନ୍ୟ ଆଗୁଆ ହୋଇପାରେ । ମୌସୁମୀ ଆଗମନର ଠିକ୍ ପୂର୍ବରୁ ବିସ୍ତୃତ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଜୁନ୍ ଦ୍ୱିତୀୟ ସପ୍ତାହରେ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ମୌସୁମୀ ଜଳବାୟୁ ସକ୍ରିୟ ହୋଇଯିବ । ଦିନ ତାପମାତ୍ରା ଆହୁରି କମିଯିବ ।

ପାଣିପାଗ ବିଭାଗ କହିଛି, ସୋମବାର ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ସମ୍ବଲପୁର ଓ ବଲାଙ୍ଗୀରେ ରାତିରେ ବି ଅସ୍ୱାଭାବିକ ଗରମ ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଗରମ ଓ ଗୁଳୁଗୁଳି କଲବଲ କରିପାରେ । ଏ ସ୍ଥିତି ୨୮ ଯାଏଁ ରହିବ । ପ୍ରତିଦିନ ରାଜ୍ୟର କିଛି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଚଳିତବର୍ଷ ଅଂଶୁଘାତ କାରଣରୁ ୧୮ଜଣଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଛି । ୩ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ୪ଟି ଅଭିଯୋଗ ଖାରଜ ହୋଇଛି । ବାକି ମାମଲା ଗୁଡ଼ିକରେ ପ୍ରଶାସନିକ ତଦନ୍ତ ଜାରି ରହିଛି ।