ଭୁବନେଶ୍ଵର: ୨୦୨୭ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ବାୟତ୍ତ ଶାସନ ଦିବସରେ ନିର୍ବାଚନର ମୁଳଦୁଆ ପକେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ପ୍ରତି ପଞ୍ଚାୟତ ପାଇଂ ଆର୍ଥିକ ଅନୁଦାନ ଘୋଷଣା ହୋଇଥିବା ବେଳେ ଆଜି ୨୮ ଟି ନୂତନ ଅର୍ବାନ ଲୋକାଲ ବଡି ପାଇଁ ୫୬୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଭୋଟର ତାଲିକାର ତ୍ରୁଟି ସଂଶୋଧନ ପାଇଁ ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ପାଇଲଟ୍ ସର୍ଭେ ଆରମ୍ଭ ହେବାକୁ ଯାଉଛି। ଏହାପରେ ଆଗାମୀ ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ବୁଲି ସର୍ଭେ ପ୍ରକ୍ରିୟା ଆରମ୍ଭ ହେ।

ପୌର ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ ଉପହାର । ୨୮ ନୂତନ ଅର୍ବାନ ଲୋକାଲ ବଡି ପାଇଁ ୫୬୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାୟତ୍ତ ଶାସନ ଦିବସ ଅବସରରେ ପୌର ନିର୍ବାଚନର ମୂଳଦୁଆ ପକେଇଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ନୂଆ ULB ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଘୋଷଣା କରାଯାଇଛି । ଏଥିରେ କାର୍ଯ୍ୟାଳୟ ପାଇଁ ୬ କୋଟି ୪୦ ଲକ୍ଷ, ରାସ୍ତା ଓ ଡ୍ରେନ ପାଇଁ ୩ କୋଟି ଟଙ୍କା, ମଡେଲ ମାର୍କେଟ ପାଇଁ ୨ କୋଟି ଟଙ୍କା, ମଡେଲ ସହରୀ ହାଟ ପାଇଁ ୧ କୋଟି, ଶ୍ମଶାନ ପାଇଁ ୬୦ଲକ୍ଷ୍ ଟଙ୍କା, EV ଚାର୍ଜିଙ୍ଗ ପଏଣ୍ଟ ପାଇଁ ୫୦ ଲକ୍ଷ ଟଙ୍କା, ପାର୍କ ଓ ଖେଳସ୍ଥାନ ଉନ୍ନତି କରଣ ପାଇଁ ଓ କମ୍ୟୁନିଟି ସେଣ୍ଟର ପାଇଁ ୩କୋଟି ,ପ୍ରାଣୀ କଲ୍ୟାଣ ପାଇଁ ୫୦ ଲକ୍ଷ , ଜଳାଶୟ ଉନ୍ନତି କରଣ ପାଇଁ ୧ କୋଟି, ଷ୍ଟ୍ରିଟ୍ ଲାଇଟ୍ ପାଇଁ ୧ କୋଟି ଏଵଂ ସାନିଟେସନ ପାଇଁ ୧ କୋଟି ଟଙ୍କା ଦିଆଯିବ । ଖୁବ ଶୀଘ୍ର DPR ତିଆରି କରାଯାଇ ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Also Read: ‘OJC’ରୁ ଲଢିବା ପ୍ରସଙ୍ଗରେ ସୋଫିଆଙ୍କୁ ଭକ୍ତ ଦାସଙ୍କ କଟାକ୍ଷ, କହିଲେ ନୈତିକ ଦୃଷ୍ଟିକୋଣରୁ ଇସ୍ତଫା ଦିଅନ୍ତୁ...

ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ । ଏଥିରେ ଭୋଟର ତାଲିକା ସଂଶୋଧନ କରାଯିବ । ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ ଥିବା ୩ଟି ବିଧାନସଭା କ୍ଷେତ୍ରରେ ୱାର୍ଡ ନଂ ୧୦, ୱାର୍ଡ ନଂ ୩୫ ଏବଂ ୱାର୍ଡ ନଂ ୫୨ରେ ଘରକୁ ଘର ସର୍ଭେ କାର୍ଯ୍ୟ ହାତକୁ ନିଆଯାଇଛି।

ସେହିଭଳି ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ କରାଯାଇ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ର ଗୁଡିକର ଭୋଟର ତାଲିକାକୁ ନିର୍ଭୁଲ ଓ ବ୍ୟବସ୍ଥିତ କରାଯିବ। ଗୋଟିଏ ପରିବାରର ସଦସ୍ୟମାନେ କିଭଳି ଗୋଟିଏ ବୁଥ୍ରେ ଭୋଟ ଦେବେ ସେ ଦିଗରେ ପ୍ରକ୍ରିୟା ଆରମ୍ଭ ହେବ । ଏହାସହ ସହରାଞ୍ଚଳରେ ଗୋଟିଏ ୱାର୍ଡର ଭୋଟର ଯେଭଳି ଅନ୍ୟ ଏକ ୱାର୍ଡରେ ଭୋଟ ଦେବାକୁ ଯିବେନାହିଁ ସେ ଦିଗରେ ପଦକ୍ଷେପ ନିଆଯିବ ।

Also Read: ଓଡ଼ିଶାରେ କଂଗ୍ରେସ ଇତିହାସ ହୋଇଗଲାଣି, ବିଜେଡିର ସ୍ଥିତି ଭଲ ନାହିଁ: ମହମ୍ମଦ ମୋକିମ

ପ୍ରତ୍ୟେକ ପଞ୍ଚାୟତର ବିକାଶ ପାଇଁ ଦେଢରୁ ତିନି କୋଟି ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି । ସେପଟେ ସରକାରୀ ସ୍ତରରେ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ମଧ୍ୟ ବେଶ୍ ପ୍ରସ୍ତୁତି ଚାଲିଛି। ଏବେ ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ସଂରକ୍ଷଣ ତାଲିକାର ଚିଠା ପ୍ରକାଶ ପାଇସାରିଛି।