ଭୁବନେଶ୍ୱର,୦୨/୦୬: ରାଜ୍ୟରେ ମୋହନ ସରକାରଙ୍କ କାର୍ଯ୍ୟକାଳକୁ ୨ ବର୍ଷ ହେବାକୁ ଯାଉଛି । ୨ ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ । ଆଜିଠୁ ବିଭିନ୍ନ ବିଭାଗ ଓ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷା କରାଯିବ । ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧୀନରେ ଥିବା କୃଷି ଓ ଶକ୍ତି ବିଭାଗର କାର୍ଯ୍ୟର ସମୀକ୍ଷା ହେବ ବୋଲି ଜଣାପଡ଼ିଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯିବ ।

ଏହାସହିତ ପ୍ରତିଦିନ ବିଭିନ୍ନ ବିଭାଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜ ନିଜର ଉପଲବ୍ଧି ବଖାଣିବେ । ସରକାର ୨ ବର୍ଷରେ କେଉଁ ସବୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ତାହାର ହିସାବ ରଖିବେ । ନୂଆ ଯୋଜନା, ନୂଆ ଘୋଷଣା, ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପର ତାଲିକା ରଖିବେ ପ୍ରତି ବିଭାଗ । ଏମିତି କି ସରକାର ଗଠନ ପରଠାରୁ କେଉଁ ବିଭାଗ କେତେ ଲକ୍ଷ୍ୟ ହାସଲ କରିଛି, କେଉଁ ପ୍ରକଳ୍ପ ସଫଳ ହୋଇଛି ଏବଂ କେଉଁ କ୍ଷେତ୍ରରେ ଆହୁରି ସୁଧାର ଆବଶ୍ୟକ ରହିଛି, ସେ ସମସ୍ତ ବିଷୟରେ ତଥ୍ୟ ଉପସ୍ଥାପନ କରିବେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀମାନେ । ପ୍ରତ୍ୟେକ ବିଭାଗକୁ ଦୁଇ ବର୍ଷର କାର୍ଯ୍ୟକଳାପ, ବଜେଟ୍ ବ୍ୟୟ, ଯୋଜନା କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ଉପରେ ପଡ଼ିଥିବା ପ୍ରଭାବ ସମ୍ବନ୍ଧୀୟ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀମାନେ ଗତ ଦୁଇ ବର୍ଷର ସମସ୍ତ ତଥ୍ୟ ସଂଗ୍ରହ ଏବଂ ଯାଞ୍ଚରେ ଲାଗିପଡ଼ିଛନ୍ତି । କେଉଁ ଯୋଜନା କେତେ ଆଗକୁ ବଢ଼ିଛି, କେତେ ଲୋକ ଏଥିରୁ ଉପକୃତ ହୋଇଛନ୍ତି ଏବଂ କେଉଁଠି ସମସ୍ୟା ରହିଛି, ସେନେଇ ବିସ୍ତୃତ ତଥ୍ୟ ପ୍ରସ୍ତୁତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ କେବଳ ସଫଳତାର ତାଲିକା ଯାଞ୍ଚରେ ସୀମିତ ରହିବ ନାହିଁ । ବରଂ କେଉଁ ବିଭାଗ ଲକ୍ଷ୍ୟ ଅନୁଯାୟୀ କାମ କରିପାରିନାହିଁ, କେଉଁ ପ୍ରକଳ୍ପରେ ବିଳମ୍ବ ହୋଇଛି ଏବଂ ଲୋକଙ୍କ ଅଭିଯୋଗ କେଉଁଠି ରହିଛି, ତାହାର ମଧ୍ୟ ସମୀକ୍ଷା କରାଯିବ । ଆବଶ୍ୟକ ହେଲେ ବିଭାଗଗୁଡ଼ିକୁ ନୂଆ ଟାର୍ଗେଟ୍ ଦିଆଯିବ ଏବଂ କାର୍ଯ୍ୟଦକ୍ଷତା ବଢ଼ାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇପାରେ । ରାଜନୈତିକ ମହଲରେ ଏହି ସମୀକ୍ଷାକୁ ବେଶ ଗୁରୁତ୍ୱର ସହ ଦେଖାଯାଉଛି । କାରଣ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାର ନିଜର ସଫଳତା ଏବଂ ଭବିଷ୍ୟତ କାର୍ଯ୍ୟଯୋଜନାକୁ ଲୋକଙ୍କ ସାମ୍ନାରେ ରଖିବାକୁ ଯୋଜନା କରୁଛନ୍ତି । ଏହା ସହ ଜୁନ୍ ୧୨ରେ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୋହନ ସରକାର ନିଜ କାର୍ଯ୍ୟଦକ୍ଷତାର ହିସାବ ଲୋକଙ୍କ ସାମ୍ନାରେ ରଖିବାକୁ ପ୍ରସ୍ତୁତ ହେଉଛନ୍ତି ।

 Also Read- Balianta Murder Case : ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍