ଭୁବନେଶ୍ୱର : ଭୁବନେଶ୍ୱର ବାଲିଅନ୍ତା ଜି.ଆର୍. ପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ଅଭିଯୁକ୍ତ ଜଣକ ହେଲେ ପ୍ରଦୀପ ମଙ୍ଗରାଜ ଓରଫ ଦିପୁ। ପ୍ରଦୀପ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ। ପ୍ରଦୀପର ଘର ବାଲିଅନ୍ତା ବେଣୁ ପୁର ଅଞ୍ଚଳରେ ହୋଇଥିବା ବେଳେ ହତ୍ୟାକାଣ୍ଡ ଘଟଣା ଦିନଠାରୁ ଫେରାର ଥିଲା। ଗତକାଲି ଢେଙ୍କାନାଳରୁ ପ୍ରଦୀପ ମଙ୍ଗରାଜକୁ ଗିରଫ କରାଯାଇଥିବା ବେଳେ ମୋଟ୍ ଗିରଫ ସଂଖ୍ୟା ପହଞ୍ଚିଲା ୧୮ ରେ ବୋଲି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ମିଳିଛି।

ସେପଟେ ସୌମ୍ୟ  ହତ୍ୟା ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିଛନ୍ତି ଜାତୀୟ ମାନବାଧିକାର କମିଶନ। ଏନଏଚଆରସିର ୪ ଜଣିଆ ଟିମ୍ ୫ ତାରିଖ ପର୍ଯ୍ୟନ୍ତ ତଦନ୍ତ କରିବେ। ଏହିକ୍ରମରେ ଟିମ୍ ସୋମବାର ସୌମ୍ୟଙ୍କ ପରିବାର ନିକଟରେ ପହଞ୍ଚି ଆଲୋଚନା କରି ସମସ୍ତ ତଥ୍ୟ ବୁଝିଛନ୍ତି। ତା’ ସହ ପରିବାରକୁ ସମବେଦନା ଜଣାଇବା ସହ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆହୁରି ୧୦ଜଣଙ୍କୁ ଚିହ୍ନଟ କରାଯାଇଥିବା ଡିଆଇଜି କହିଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଟେକ୍ନିକାଲ ୱିଙ୍ଗ୍ ସ୍ଥାନୀୟ ଗୁଇନ୍ଦା ଓ ଭିଡିଓ ଫୁଟେଜକୁ ନେଇ ତଦନ୍ତକୁ ଆଗକୁ ବଢ଼ାଉଛି । ଅନ୍ୟ ଅଭିଯୁକ୍ତ ଖୁବଶୀଘ୍ର ଗିରଫ ହେବେ ବୋଲି କହିଥିଲେ ଡିଆଇଜି।

 Also Read-ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ନିଲମ୍ବିତ ଆଇଆଇସିଙ୍କ ନାଁରେ ମାମଲା ରୁଜୁ, ଏଥର ଖସିବା ମୁସ୍କିଲ