ନୂଆଦିଲ୍ଲୀ: ଓଡ଼ିଶା ଡିଜିପି (DGP) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ସ୍ଥଗିତ ରହିଛି। ଆଜି କୋର୍ଟରେ ଚାଲିଥିବା ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୭ ତାରିଖ (ସୋମବାର) ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ତେଣୁ ରାଜ୍ୟକୁ ନୂତନ ଡିଜି ମିଳିବାକୁ ଆହୁରି ସମୟ ଲାଗିପାରେ। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ କୋର୍ଟଙ୍କୁ ଜଣାଇଥିଲେ ଯେ, ଗତକାଲି ସନ୍ଧ୍ୟାରେ ମାମଲାର 'ରିଜଏଣ୍ଡର' ଦାଖଲ କରାଯାଇଛି। ଏହାସହ ଏହି ମାମଲାରେ ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନ୍ ନିଜର ରିପୋର୍ଟ ଦାଖଲ କରିବାର ଥିବାରୁ ଏହାକୁ ଯାଞ୍ଚ କରିବା ପାଇଁ ଅଧିକ ସମୟର ଆବଶ୍ୟକତା ରହିଛି। ତେଣୁ ସୋମବାର ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇବାକୁ ସେ ଅନୁରୋଧ କରିଥିଲେ।

ଅନ୍ୟପଟେ, ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ମଧ୍ୟ ବିଚାରପତିଙ୍କୁ ଅଧିକ ସମୟ ଦେବା ପାଇଁ ନିବେଦନ କରିଥିଲେ। ଦୁଇ ପକ୍ଷର ଅନୁରୋଧକୁ ବିଚାରକୁ ନେଇ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶୁଣାଣିକୁ ଆସନ୍ତା ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆସନ୍ତା ସୋମବାର ଶୁଣାଣି ବେଳେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଆଧାରରେ ସମସ୍ତ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରିବାର ସମ୍ଭାବନା ରହିଛି।

Also Read: ଦିଶା ସାଲିଆନ୍ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ସିବିଆଇ କରିବ ତଦନ୍ତ

ସୂଚନାଯୋଗ୍ୟ, ଓ୍ଵାଇବି ଖୁରାନିଆଙ୍କ ଅବସର ରାଜ୍ୟରେ ପୂର୍ଣ୍ଣକାଳୀନ ଡିଜି ପଦ ଖାଲି ପଡ଼ିଛି। ଡିଜି ପଦକୁ ନେଇ ଜାରି ବିବାଦକୁ ନେଇ ଉପୁଜିଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଡିଜି ନିଯୁକ୍ତିରେ ରାଜ୍ୟ ସରକାର ନିୟମର ଉଲ୍ଲଂଘନ କରିଥିବା ନେଇ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଛି।

'ପ୍ରକାଶ ସିଂହ ମାମଲା' ନିୟମାବଳୀର ଉଲ୍ଲଂଘନ ଅଭିଯୋଗ

ସୁପ୍ରିମକୋର୍ଟଙ୍କ ୨୦୦୬ 'ପ୍ରକାଶ ସିଂହ ମାମଲା'ର ନିର୍ଦ୍ଦେଶାନୁସାରେ, ରାଜ୍ୟଗୁଡ଼ିକ ଡିଜିପି ଚୟନ ପାଇଁ ସଂଘ ଲୋକସେବା ଆୟୋଗ (UPSC) ନିକଟକୁ ବରିଷ୍ଠ ଆଇପିଏସ (IPS) ଅଫିସରଙ୍କ ନାମ ପଠାଇବା କଥା। UPSC ତିନିଜଣିଆ ସର୍ଟଲିଷ୍ଟ୍ ପ୍ରସ୍ତୁତ କଲା ପରେ ରାଜ୍ୟ ସରକାର ସେଥିରୁ ଜଣଙ୍କୁ ନିଯୁକ୍ତ କରିବେ। ଏହାସହ ନିଯୁକ୍ତ ଡିଜିପିଙ୍କ କାର୍ଯ୍ୟକାଳ ଅତିକମରେ ୨ ବର୍ଷ ରହିବା ବାଧ୍ୟତାମୂଳକ। ଓଡ଼ିଶାରେ ଏହି ନିୟମର ସଠିକ୍ ପାଳନ ହୋଇନଥିବା ନେଇ ଆବେଦନ ହୋଇଛି। ଏପରିକି ବରିଷ୍ଠତା ଆଧାରରେ ଯୋଗ୍ୟ ଆଇପିଏସ ଅଫିସରଙ୍କୁ ଏଡ଼ାଇ ଦିଆଯାଉଥିବା ଏବଂ UPSC କୁ ନାମ ପଠାଇବାରେ ବିଳମ୍ବ କରାଯାଉଥିବା ନେଇ ପୂର୍ବତନ ଅଫିସର ଓ ଆବେଦନକାରୀମାନେ ଅଭିଯୋଗ ଆଣିଛନ୍ତି।