ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀ ଅର୍ଥାତ ଗତ ୨୬ ବର୍ଷରେ ଏ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ବ୍ୟାଟର କିଏ ? ଇଂଲଣ୍ଡର ମହାନ ବୋଲରଙ୍କ ମଧ୍ୟରୁ ଜଣେ ଷ୍ଟୁଆର୍ଟ ବ୍ରଡ ନିଜର ଟପ୍-୧୦ ବ୍ୟାଟରଙ୍କ ତାଲିକା ଚୟନ କରିଛନ୍ତି। ସେ ବିରାଟ କୋହଲିଙ୍କ ସମେତ ତିନି ଭାରତୀୟ ବ୍ୟାଟରଙ୍କୁ ଏହି ତାଲିକାରେ ସ୍ଥାନ ଦେଇଛନ୍ତି। ବ୍ରଡ ନିଜେ ଇଂଲଣ୍ଡର ହୋଇଥିଲେ ହେଁ ଟପ୍-୧୦ ତାଲିକାରେ ସେ କେବଳ ଜଣେ ଇଂଲଣ୍ଡ ଖେଳାଳିଙ୍କୁ ସାମିଲ୍ କରିଛନ୍ତି।

ଏକ ପଡକାଷ୍ଟରେ ଆଲୋଚନା ସମୟରେ ଜୋସ୍ ବଟଲର ଷ୍ଟୁଆର୍ଟ ବ୍ରଡଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ଦୁହେଁ ଗୋଟିଏ ସ୍ଵରରେ କହିଛନ୍ତି ଯେ, ସଚିନ ତେନ୍ଦୁଲକର ହେଉଛନ୍ତି ଏହି ଶତାବ୍ଦୀରେ ଏ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ଟେଷ୍ଟ ବ୍ୟାଟର। ତାଙ୍କ ତାଲିକାରେ ଜୋ ରୁଟ୍ ଏକମାତ୍ର ଇଂଲଣ୍ଡ ଖେଳାଳି ରହିଛନ୍ତି।

Also Read: ଦଳରେ ମୋତେ ଚୟନ କରାଯାଉ ନାହିଁ, ଭୁବନେଶ୍ଵରଙ୍କ ପ୍ରତ୍ୟାବର୍ତ୍ତନ ପରେ ଦୁଃଖ ବଖାଣିଲେ ଶାମି

ତାଲିକାରେ ୩ ଜଣ ଭାରତୀୟ

ଏହି ତାଲିକାରେ ବ୍ରଡ ବିରାଟ କୋହଲି, ରାହୁଲ ଦ୍ରାବିଡ଼ ଏବଂ ସଚିନ ତେନ୍ଦୁଲକରଙ୍କୁ ସାମିଲ୍ କରିଛନ୍ତି। ଏହି ତିନି ବ୍ୟାଟର ମିଶି ଟେଷ୍ଟ କ୍ରିକେଟରେ ୩୮ ହଜାର ୪୩୯ ରନ କରିଛନ୍ତି। ମିଳିତ ଭାବେ ୧୧୭ ଶତକ ମାରିଛନ୍ତି। ଏହି ତିନି ଖେଳାଳି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଛନ୍ତି। ବ୍ରଡଙ୍କ ଏହି ତାଲିକାରେ ଜୋ ରୁଟ୍ ଏକମାତ୍ର ଇଂଲଣ୍ଡ ଖେଳାଳି ଭାବେ ତାଲିକାରେ ରହିଛନ୍ତି। ରୁଟ ସଂପ୍ରତି ଟେଷ୍ଟ କ୍ରିକେଟରେ ସକ୍ରିୟ ଅଛନ୍ତି ଏବଂ ୧୪ ହଜାରରୁ ଅଧିକ ରନ କରି ସାରିଲେଣି। ସେ ସଚିନଙ୍କ ସର୍ବାଧିକ ରନର ରେକର୍ଡ ଭାଙ୍ଗିବାର ନିକଟତର ହେଲେଣି।

ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକାର ୨-୨ ଖେଳାଳି

ଏହି ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ତାଲିକାରେ ଷ୍ଟିଭ ସ୍ମିଥ ଏବଂ ରିକି ପଣ୍ଟିଂଙ୍କ ରୂପେ ଦୁଇ ଜଣ ଅଷ୍ଟ୍ରେଲିଆ ଖେଳାଳିଙ୍କ ଚୟନ କରିଛନ୍ତି ବ୍ରଡ। ଅଷ୍ଟ୍ରେଲିଆର ଏହି ଦୁଇ ପୂର୍ବତନ ଅଧିନାୟକ ଟେଷ୍ଟରେ ମିଳିତ ଭାବେ ୭୮ ଶତକ ହାସଲ କରିଛନ୍ତି। ସ୍ମିଥ ଏବେ ବି ଟେଷ୍ଟ କ୍ରିକେଟ୍ ଖେଳୁଛନ୍ତି। ବ୍ରଡ଼ ଦକ୍ଷିଣ ଆଫ୍ରିକାରୁ ଏବି ଡିଭିଲିୟର୍ସ ଓ ଜ୍ୟାକ୍ସ କ୍ୟାଲିସଙ୍କୁ ଟପ୍-୧୦ ତାଲିକାରେ ସ୍ଥାନ ଦେଇଛନ୍ତି। କ୍ୟାଲିସ ଟେଷ୍ଟ କ୍ୟାରିୟରରେ ୧୩ ହଜାର ୨୮୯ ରନ କରିଛନ୍ତି।

Also Read: IPL 2027 ପୂର୍ବରୁ CSKର ବଡ଼ ନିଷ୍ପତ୍ତି, ଦଳରୁ ବାହାରିଲେ ଆଉ ଜଣେ ଧୂରନ୍ଧର, ଏବେ କାହାର ହେବ ଏଣ୍ଟ୍ରି ?

ଷ୍ଟୁଆର୍ଟ ବ୍ରଡଙ୍କ ଟପ୍-୧୦ ଟେଷ୍ଟ ବ୍ୟାଟର

୧ – ସଚିନ ତେନ୍ଦୁଲକର

୨ – ବ୍ରାଏନ ଲାରା

୩ – ଷ୍ଟିଭ ସ୍ମିଥ

୪ – ଜୋ ରୁଟ୍

୫ - ରିକି ପଣ୍ଟିଂ

୬ – କୁମାର ସାଙ୍ଗାକାରା

୭ – ଜ୍ୟାକ୍ସ କାଲିସ

୮ – ଏବି ଡିଭିଲିୟର୍ସ

୯ – ରାହୁଲ ଦ୍ରାବିଡ଼

୧୦ – ବିରାଟ କୋହଲି

ଷ୍ଟୁଆର୍ଟ ବ୍ରଡ ସଚିନ ତେନ୍ଦୁଲକରଙ୍କୁ ତାଲିକାରେ ସବୁଠୁ ଉପରେ ରଖିଥିବା ବେଳେ ଓ୍ଵେଷ୍ଟଇଣ୍ଡିଜର ମହାନ ବ୍ୟାଟର ବ୍ରାଏନ ଲାରାଙ୍କୁ ଦ୍ଵିତୀୟ ସ୍ଥାନରେ ରଖିଛନ୍ତି। ଟପ-୧୦ରେ ଶ୍ରୀଲଙ୍କା ପାଇଁ ଟେଷ୍ଟରେ ସର୍ବାଧିକ ରନ(୧୨,୪୦୦) କରିଥିବା କୁମାର ସାଙ୍ଗାକାରାଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି। ଜୋ ରୁଟଙ୍କୁ ସେ ଚତୁର୍ଥ ସ୍ଥାନରେ ରଖିଛନ୍ତି।