ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡର୍‌ବନ୍‌ରେ ଖେଳାଯାଉଛି । ୧୨୪ ରନ୍ ସ୍କୋରରେ ଅଷ୍ଟ୍ରେଲିଆ ୬ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସଂକଟ ସ୍ଥିତିରେ ରହିଥିଲା । କିନ୍ତୁ ମ୍ୟାଟ୍ ରେନ୍‌ଶ ଶେଷ ତିନି ବ୍ୟାଟରଙ୍କ ସହ ଐତିହାସିକ ପାର୍ଟନରଶିପ୍ କରି ବିରାଟ କୋହଲିଙ୍କ ଦଶନ୍ଧି ପୁରୁଣା ରେକର୍ଡକୁ ଧ୍ୱସ୍ତ କରିଛନ୍ତି ।

ଅଷ୍ଟ୍ରେଲିଆ ଟିମ୍ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ୧୨୪ ରନ୍ ସୁଦ୍ଧା ୬ ବ୍ୟାଟରଙ୍କୁ ହରାଇଥିଲା । କିନ୍ତୁ ମ୍ୟାଟ୍ ରେନ୍‌ଶଙ୍କ ୧୯୦ ରନର ଐତିହାସିକ ପାଳି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଛି । ରେନ୍‌ଶଙ୍କ ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୯୦ ରନ୍ ସ୍କୋର ବୋର୍ଡରେ ଲଗାଇବାରେ ସଫଳ ହୋଇଛି ।

ଡର୍‌ବନ୍‌ରେ ୧୯୦ ରନ୍‌ର ପାଳି ଖେଳି ମ୍ୟାଟ୍ ରେନଶ ପୂର୍ବତନ ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଉଲ୍ଲେଖଯୋଗ୍ୟ ଶେଷ କ୍ରମର ବ୍ୟାଟରଙ୍କ ସହ ମିଶି ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ବିରାଟଙ୍କ ନାଁରେ ଥିଲା । କୋହଲି ୨୦୧୬ ମସିହାରେ ଇଂଲଣ୍ଡ ବିପକ୍ଷରେ ମୁମ୍ୱାଇ ମ୍ୟାଚ୍‌ରେ ୨୩୫ ରନ୍ କରିଥିଲେ ଏବଂ ଏଥିରୁ ୧୭୧ ରନ୍ ଶେଷ କ୍ରମ ବ୍ୟାଟରଙ୍କ ସହ ପାର୍ଟନରଶିପରେ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେନ୍‌ଶ ପାଞ୍ଚ ନମ୍ୱରରେ ବ୍ୟାଟିଂ ପାଇଁ ଓହ୍ଲାଇ ଶେଷ ପର୍ଯ୍ୟନ୍ତ କ୍ରିଜ୍ ରହିଥିଲେ । ସେ ଶେଷ କ୍ରମ ବ୍ୟାଟରଙ୍କ ସହ ବ୍ୟାଟିଂ କରି ମୋଟ ୧୭୪ ରନ୍ କରିଥିଲେ । ତେବେ ସେ ନିଜର ଏହି ଇନିଂସରେ ମୋଟ୍ ୧୯୦ ରନ୍ କରିଥିଲେ ।

୨୩୦ ରନରେ ଅଷ୍ଟ୍ରେଲିଆ ୮ ୱିକେଟ୍ ହରାଇ ସାରିଥିଲା । ଏହା ପରେ ନାଥନ ଲାୟନଙ୍କ ସହ ମିଶି ରେନଶ ୧୩୪ ରନ୍ ଭାଗୀଦାରୀ କରିଥିଲେ । ଏହା ବ୍ୟତୀତ ପ୍ୟାଟ୍ କମିନ୍ସଙ୍କ ସହ ୮୬ ରନ ଯୋଡ଼ିଥିଲେ । ମୋଟେ ଉପରେ ନିମ୍ନକ୍ରମର ବ୍ୟାଟରଙ୍କ ସହ ମିଶି ନିଜ ଇନିଂସରେ ୧୭୪ ରନ୍ ଯୋଡ଼ିଥିଲେ ।