ଭୁବନେଶ୍ୱର : କେଉଁଠି ଢିଲା ତ କେଉଁଠି ଟାଇଟ୍ । ବନ୍ଦର ପ୍ରଭାବ ଆଂଶିକ ଥିଲା, କିନ୍ତୁ ଲୋକେ ହଇରାଣ ହୋଇଥିଲେ । ନବ ନିର୍ମାଣ କୃଷକ ସଂଗଠନ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ ଏହାର କର୍ମୀମାନେ ।

ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ମୁଖ୍ୟ ଗେଟ୍ ସାମ୍ନାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଏନଏନକେଏସର କର୍ମୀ । ତେବେ କଟକରେ  ବନ୍ଦ୍ ର ପ୍ରଭାବ ସେତେଟା ଦେଖିବାକୁ ମିଳି ନଥିଲା । ସହର ଭିତରର ଯାତାୟତ ସ୍ବାଭାବିକ ଥିବା ବେଳେ ବସ୍ ଯାତାୟାତ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ନେତାଜୀ ସୁଭାଷ ବସ୍ ଟର୍ମିନାଲରେ ଦୂର ଦୁରାନ୍ତକୁ ଯିବାକୁ ଥିବା ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେହିପରି ଅଟୋ ଚାଳକଙ୍କ ବ୍ୟବସାୟ ଓ ଦୋକାନୀ ମାନଙ୍କ ବ୍ୟବସାୟ ବାଧା ପ୍ରାପ୍ତ ହୋଇଥିଲା । ଆଉ ବନ୍ଦର ପ୍ରଭାବରେ ବିଭିନ୍ନ ସହରରେ ସକାଳୁ ହନ୍ତସନ୍ତ ହୋଇଥିଲେ ଲୋକେ ।

ପାଠ୍ୟ ପୁସ୍ତକ ବିଭ୍ରାଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ୪୨ ଦିନ ହେଲା ଲୋୟର ପିଏମଜିରେ ହଙ୍ଗର ଷ୍ଟ୍ରାଇକ ଚଳାଇଥିଲା ନବ ନିର୍ମାଣ କୃଷକ ସଂଗଠନ । ତେବେ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ନବନିର୍ମାଣ ଯୁବଛାତ୍ର ସଂଗଠନ ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଥିଲା । ଭୁବନେଶ୍ବରରେ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଭଳି ସ୍ଥାନରେ ଟାୟାର ଜାଳି ବନ୍ଦ ପାଳନ କରିବାକୁ ଚେଷ୍ଟା କରିଥିଲେ ଏନଏନକେଏସର କର୍ମୀ । ସେହିପରି କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କୋଣାର୍କ, ଭଦ୍ରକ ଆଦି ସ୍ଥାନରେ ନବ ନିର୍ମାଣ କୃଷକ ସଂଗଠନର କର୍ମୀମାନେ ବନ୍ଦକୁ ସଫଳ କରିବାକୁ ଚେଷ୍ଟା କରିଥିଲେ । ସେପଟେ ପୋଲିସ ନବ ନିର୍ମାଣ ଛାତ୍ର କୃଷକ ସଂଗଠନ ସଭାପତି ମହମ୍ମଦ ଅନୱର୍ ଅଲି ଓ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିଲା।

 Also Read- Orangutan smuggling case : ଓରାଙ୍ଗଉଟାନ କେମିତି ଅଛନ୍ତି, ନନ୍ଦନକାନନ ଯାଇ ସ୍ଥିତି ଅନୁଧ୍ୟାନ କଲେ ଉପମୁଖ୍ୟମନ୍ତ୍ରୀ

ତେବେ ସକାଳେ କିଛି ଘଣ୍ଟାକୁ ଛାଡ଼ିଦେବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା । ବନ୍ଦର ପ୍ରଭାବ ସେଭଳି କିଛି ଅନୁଭୂତ ହୋଇନାହିଁ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । ପରିସ୍ଥିତିକୁ ନଜରରେ ରଖି ସବୁଠି ପୋଲିସ ଫୋର୍ସ ମୁତୟନ କରାଯାଇଥିବା କହିଥିଲେ ଡିସିପି। ଆଜି ବନ୍ଦକୁ କଂଗ୍ରେସ ଓ ବାମଦଳ ନୈତିକ ସମର୍ଥନ ଦେଇଥିଲେ । ସେପଟେ ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।