ଭୁବନେଶ୍ୱର : ୨୨ଦିନ ପରେ ବି ଓରାଙ୍ଗଉଟାନ ସ୍ମଗଲରଙ୍କ ଟେର ପାଉନି STF । କୁଆଡ଼େ ଗଲେ ଓରାଙ୍ଗଉଟାନ୍ ସ୍ମଗ୍ଲର ? ସେମାନଙ୍କୁ ଆକାଶ ଗିଳିଦେଲା ନା’ ପାତାଳ ଚାପିଦେଲା ? ଗତ ୮ ତାରିଖରେ ବାଲେଶ୍ବର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ୫ ଓରାଙ୍ଗଉଟାନ୍ ଶାବକ । ଏହାର ୨୨ ଦିନ ପରେ ବି ପୂରା ଘଟଣା ଉପରୁ ଉଠିପାରିନି ପରଦା । ଓଡ଼ିଶାକୁ ୫ ଓରାଙ୍ଗଉଟାନ୍ ଶାବକ କେଉଁଠୁ ଓ କେମିତି ଆସିଲେ, ସେମାନଙ୍କୁ କିଏ କେଉଁ ବାଟ ଦେଇ ଆଣିଲେ, ଏପର୍ଯ୍ୟନ୍ତ ତା’ର କିଛି ବି ଖୁଲାସା କରିପାରିନି STF । କୁଆଡ଼େ ଗଲେ ଦୀଘାର ଗ୍ରାଣ୍ଡ ହେରିଟେଜ୍ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ? ଏପର୍ଯ୍ୟନ୍ତ ସେମାନଙ୍କୁ କାହିଁକି ଗିରଫ କରାଯାଇପାରିନି ତାକୁ ନେଇ ଉଠିଛି ପ୍ରଶ୍ନ। ଏହା ଭିତରେ ଭିନ୍ନ ଭିନ୍ନ କାହାଣୀ ସାମ୍ନାକୁ ଆସିଛି । କିଏ କହୁଛି ଓରାଙ୍ଗଉଟାନ ସ୍ମଗ୍ଲରମାନେ ଏହି ଶାବକମାନଙ୍କୁ ବାଂଲାଦେଶର ଏକ ବ୍ରିଡିଂ ସେଣ୍ଟରୁ ଆଣିଛନ୍ତି। ସମୁଦ୍ର ପଥରେ ଏମାନଙ୍କୁ ଭଦ୍ରକ ଜିଲ୍ଲା ଧାମରା ବାଟ ଦେଇ ଓଡ଼ିଶାକୁ ଅଣାଯାଇଛି । ଆଉ କିଏ କହୁଛି ଏମାନଙ୍କୁ ଇଣ୍ଡୋନେସିଆରୁ ମିଆଁମାର ଦେଇ ପଶ୍ଚିମବଙ୍ଗ ଅଣାଯାଇଛି । ସେଠାରୁ ବିଶାଖାପାଟଣା ଚାଲାଣ କରିବାର ଥିଲା । ହେଲେ ଏସବୁ କାହାଣୀ ଯେ କେତେ ସତ ସେନେଇ ଘଟଣାର ତଦନ୍ତ କରୁଥିବା STF ପକ୍ଷରୁ ଏପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ କରାଯାଇ ନାହିଁ ।

ସେପଟେ ନନ୍ଦନକାନନରେ ରଖାଯାଇଥିବା ଏହି ୫ ଓରାଙ୍ଗଉଟାନ ଶାବକ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଏଠାକାର ଜଳବାୟୁ ସେମାନଙ୍କୁ ସୁହାଉଛି । ବିଭିନ୍ନ ବିଶେଷଜ୍ଞ ଡାକ୍ତରୀ ଦଳ ସେମାନଙ୍କ ନିୟମିତ ଚେକ୍ଅପ୍ କରୁଛନ୍ତି । ସେମାନଙ୍କ ଓଜନ ବଢିଛି। ଖୁବ୍ ଶୀଘ୍ର ସେମାନଙ୍କର DNA ଟେଷ୍ଟ କରାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ଗୋଆ ଠାରୁ ଆରମ୍ଭ କରି ଓଡିଶା ପର୍ଯ୍ୟନ୍ତ ସମୁଦ୍ରକୂଳରେ ଯେତେ ହୋଟେଲ ଅଛି ସେସବୁକୁ ଯାଞ୍ଚ କରାଯାଉଛି । ଏଥିରେ କାହାର ଲିଙ୍କ ଅଛି ସେସବୁର ଖୋଳତାଡ଼ ଚଳାଇଛି STF ।

Also Read- Bhadrak woman assault : ଗୁପ୍ତ ଧନ ଓ ଗୁଣି ଗାରେଡ଼ି ସନ୍ଦେହରେ କଙ୍ଗାରୁ କୋର୍ଟ , ମହିଳାଙ୍କୁ ନିସ୍ତୁକ ପିଟିଲେ ...

ସେପଟେ ନନ୍ଦନକାନନରେ ୫ ଓରାଙ୍ଗଉଟାନ ଶାବକ ସୁସ୍ଥ ଅଛନ୍ତି, ଏଠାକାର ଜଳବାୟୁ ସେମାନଙ୍କୁ ସୁହାଉଛି । ଖୁବ୍ ଶୀଘ୍ର ସେମାନଙ୍କର DNA ଟେଷ୍ଟ ହେବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଆଜି ନନ୍ଦନକାନନ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।