ଭୁବନେଶ୍ୱର: ଯୁବବର୍ଗଙ୍କୁ ନିଯୁକ୍ତି ଦେବା ଦିଗରେ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ୨ ବର୍ଷ ୩ ମାସ ମଧ୍ୟରେ ଆୟୋଜିତ ହୋଇଛି ୧୭ତମ ନିଯୁକ୍ତି ମେଳା। ଆଗାମୀ ୫ ବର୍ଷ ମଧ୍ୟରେ ଦେଢ଼ ଲକ୍ଷରୁ ଅଧିକ ନିଯୁକ୍ତି ଦେବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନବନିଯୁକ୍ତ ଅଧିକାରୀମାନଙ୍କୁ ଶୃଙ୍ଖଳିତ, ଦାୟିତ୍ୱବାନ ଓ ଦୁର୍ନୀତିମୁକ୍ତ ପ୍ରଶାସନର ଅଂଶ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ୨୦୨୪ ଜୁନ୍ ମାସରୁ ଏଯାଏଁ ରାଜ୍ୟରେ ୪୬ ହଜାର ୫୭୫ ଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି। ଆଗାମୀ ସେପ୍ଟେମ୍ବର ମାସ ମଧ୍ୟରେ ଏହି ସଂଖ୍ୟା ୫୦ ହଜାର ଅତିକ୍ରମ କରିବା ନେଇ ଲକ୍ଷ୍ୟ ରହିଛି। ଏଥିସହ ଓଡ଼ିଶାର ଜନସଂଖ୍ୟାର ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ସରକାରୀ ଚାକିରି ଦେବା ଦିଗରେ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।

ଶିଳ୍ପ କ୍ଷେତ୍ରରେ ୧୮ ଲକ୍ଷ ନିଯୁକ୍ତି ସମ୍ଭାବନା

ସରକାରୀ ଚାକିରି ସହିତ ଘରୋଇ ଓ ଶିଳ୍ପ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟକୁ ୨୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ଏହାଦ୍ୱାରା ୧୮ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାସହ ୧୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୭୨ ହଜାର ନିଯୁକ୍ତି ସୃଷ୍ଟି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସରକାରୀ ଓ ଶିଳ୍ପ କ୍ଷେତ୍ରର ନିଯୁକ୍ତିକୁ ମିଶାଇ ଏଯାଏଁ ମୋଟ ୧ ଲକ୍ଷ ୧୮ ହଜାର ୫୭୫ ଜଣଙ୍କୁ ନିଯୁକ୍ତି ମିଳିଥିବା ସେ ଦାବି କରିଛନ୍ତି । ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଶିଳ୍ପାନୁଷ୍ଠାନ ସ୍ଥାପନ କରିବା ସହ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା ଉପରେ ସରକାର ଧ୍ୟାନ ଦେବେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ଓ ଭିତ୍ତିଭୂମି ବିକାଶ

ରାଜ୍ୟରେ ଡାକ୍ତରଙ୍କ ଅଭାବ ଓ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ଡାକ୍ତର ତିଆରି କରିବା ପାଇଁ ଯୋଜନା କରାଯାଉଛି। ବର୍ତ୍ତମାନ ରାଜ୍ୟରେ ୧୪ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିବା ବେଳେ ଆହୁରି ୪ଟି ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ଯୋଜନା ଚାଲିଛି। ଏହାସହ ୮୯୨ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Also Read: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ତମ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଶ୍ରମିକଙ୍କ ପାଇଁ ‘ଦୀନଦୟାଲ କର୍ମଚାରୀ ନିବାସ’,

ପ୍ରଶାସନିକ ସେବାରେ ନବନିଯୁକ୍ତ ଅଧିକାରୀଙ୍କୁ ଆହ୍ୱାନ

ନିଯୁକ୍ତି ମେଳାରେ ରାଜସ୍ୱ ଓ ପ୍ରଶାସନିକ ସେବାରେ ନବନିଯୁକ୍ତ ଅଧିକାରୀଙ୍କ ଦାୟିତ୍ୱକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ମତ ରଖିଛନ୍ତି। ୩୦ ଜଣ ଓଏଏସ୍ ଓ ୪୨ ଜଣ ଓଆରଏସ୍ ଅଧିକାରୀଙ୍କ ସହ ୪୦ ଜଣ ଓଏଫ୍ଏସ୍ ଏବଂ ୬୦ ଜଣ ଓଟିଏସ୍ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି।

ନବନିଯୁକ୍ତ ଅଧିକାରୀମାନେ ସରକାରଙ୍କ ମେରୁଦଣ୍ଡ ଏବଂ ସାଧାରଣ ଲୋକଙ୍କ ସେବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ନିଯୁକ୍ତି ପାଇବା ପରେ ସେମାନେ ଜଣେ ଶୃଙ୍ଖଳିତ ସରକାରୀ କର୍ମଚାରୀ ଭାବେ ଜୀବନଯାପନ କରିବା ସହ ଆନ୍ତରିକତା ଓ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବା ଉଚିତ ବୋଲି ସେ କହିଛନ୍ତି।

ଦୁର୍ନୀତିମୁକ୍ତ ପ୍ରଶାସନ ଓ ରାଜସ୍ୱ ବୃଦ୍ଧି ହେଲେ ଏକ ସମୃଦ୍ଧ ଓଡ଼ିଶା ଗଠନ ସମ୍ଭବ ହେବ। ଏଥିପାଇଁ ନବନିଯୁକ୍ତ ଅଧିକାରୀମାନେ ନିଜ ଦାୟିତ୍ୱକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ନିଜ ଜୀବନରେ ଗ୍ରହଣ କରିବେ ଏବଂ ଦାୟିତ୍ୱ ନିଷ୍ଠାର ସହ ତୁଲାଇବେ ବୋଲି ନବନିଯୁକ୍ତ ପ୍ରାର୍ଥୀମାନେ କହିଛନ୍ତି।