କଟକ ୨୬।୯: ଘରୋଇ ହସ୍ପିଟାଲ୍ ପରିସରରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ କଲେ ପରିବାର ଲୋକେ । କଟକ ରାଣୀହାଟ କଲେଜ ଛକରେ ଥିବା ଏକ ଘରୋଇ ହସ୍ପିଟାଲର ସିଡି ଘରୁ ହସ୍ପିଟାଲ କର୍ମଚାରୀଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ମାହଙ୍ଗା ଅଞ୍ଚଳର ୩୦ ବର୍ଷୀୟ ତପନ ବଳ । ସେ ହସ୍ପିଟାଲରେ ଚିକିତ୍ସା ସହାୟକ ଭାବେ କାମ କରୁଥିଲେ ।

ଶନିବାର ଭୋର ୫ଟା ବେଳେ ହସ୍ପିଟାଲର ତୃତୀୟ ମହଲା ସିଡି ଘରୁ ତପନଙ୍କର ଝୁଲନ୍ତା ମୃତଦେହ ମିଳିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଗାମୁଛା କାଟି ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ । ପରେ ମୃତଦେହକୁ ଏସସିବିକୁ ନେବା ପାଇଁ ଯୋଜନା କରିଥିଲେ । ତେବେ ପୋଲିସ ଆସିବା ପୂର୍ବରୁ କାହିଁକି ମୃତଦେହ ପଠାଯାଉଥିଲା ବୋଲି ମୃତ ତପନଙ୍କ ପରିବାର ଲୋକ ପ୍ରଶ୍ନ କରିଛନ୍ତି । ଏଥି ସହ ହତ୍ୟା ଅଭିଯୋଗ ଆଣିଛନ୍ତି ।

Also Read:-ଅପମିଶ୍ରିତ ଛେନା ପନିର ପରେ ଆକ୍ସନ, କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ରାଇରଙ୍ଗପୁରକୁ ବଦଳି

ତପନଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଉଥିଲେ ଓ ବାରମ୍ବାର ତାଙ୍କୁ ଧମକ ଚମକ ଦେଉଥିଲେ ତେଣୁ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ମାଲଗୋଦାମ ଥାନା ପୋଲିସ, ଜୋନ ୧ ଏସିପି ଓ ସାଇଣ୍ଟିଫିକ୍ ଟିମ୍ ହସ୍ପିଟାଲ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ତପନଙ୍କର ମୃତ୍ୟୁ ଘଟିଛି ସେନେଇ ପୋଲିସ ତଦନ୍ତ କରୁଛି ।