ସମ୍ବଲପୁର ୧୪।୯: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ମାଆ ଓ ଶିଶୁକନ୍ୟା ମୃତ । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଖିଣ୍ଡାର CTR ଛକ ନିକଟରେ ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଏକ କୋଇଲା ବୋଝେଇ ଟ୍ରକ୍ ବାଇକ୍କୁ ପଛପଟୁ ଜୋରଦାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ମାଆ ଓ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।

ସୋମବାର ସକାଳେ ପରିବାର ଲୋକେ ବାଇକ୍ ଯୋଗେ ଯାଉଥିବା ସମୟରେ ଦ୍ରୁତଗାମୀ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ି ପଛରେ ବସିଥିବା ମହିଳା ଓ ସାନ ଝିଅ ରାସ୍ତାରେ ପଡ଼ିଯାଇ ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ବାଇକ୍ ଚାଳକ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି ।

Also Read:- ଓମ୍‌ଫେଡ୍‌ର ନୂଆ ଧମାକା; ଖୁବ୍‌ଶୀଘ୍ର ବଜାରକୁ ଆସିବ ପାଣି, ମିଳିବ ବିଭିନ୍ନ ଫ୍ଲେଭରର ଆଇସକ୍ରିମ୍

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରକ୍ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଏବେ ସେହି ସମ୍ପୃକ୍ତ ରୁଟ୍ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।