ଭୁବନେଶ୍ବର: ପୂର୍ବରୁ ପୂର୍ବତଟ ରେଳପଥରୁ ୱାଲଟିୟର୍ ଡିଭିଜନ୍ ବାଦ୍ ପଡ଼ିଥିବାବେଳେ ଏବେ ପୁଣି ବାଦ୍ ପଡ଼ିବ ପଲାସା-ଇଚ୍ଛାପୁରମ୍ ସେକ୍ସନ୍। ଏନେଇ ରେଳ ବୋର୍ଡ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଚିଠି ଲେଖାଯାଇଛି। ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାଦ୍ବାରା ପୂର୍ବତଟ ରେଳପଥ ସଙ୍କୁଚିତ ହେବା ସହ ରାଜସ୍ବ ମଧ୍ୟ ହ୍ରାସ ପାଇବା ନେଇ ଆଶଙ୍କା ଉପୁଜିଛି। ତେବେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ରେଳ ମନ୍ତ୍ରଣାଳୟ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରୁ ଗୋଟିଏ ଇଞ୍ଚ ମଧ୍ୟ ରେଳ ପଥ ଅନ୍ୟ ରାଜ୍ୟକୁ ଯାଉନାହିଁ। ଓଡ଼ିଶାରେ ରେଳ ବିକାଶ ପାଇଁ ୯୩ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି। ରେଳ ବଜେଟ ଆବଣ୍ଟନ ଯଥେଷ୍ଟ ବୃଦ୍ଧି ପାଇଛି। ଗତ ୩ ବର୍ଷ ଧରି ନିରନ୍ତର ୧୦ ହଜାର କୋଟି ଟଙ୍କାରୁ ଅଧିକ ରହିଛି। ଯାହା ୨୦୦୯-୧୪ ଅବଧି ଅପେକ୍ଷା ୧୩ ଗୁଣ ଅଧିକ। ରାୟଗଡ଼ା ଡିଭିଜନକୁ ଅନୁମୋଦନ କରାଯାଇଛି। ଏଠାରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ସର୍ବାଧିକ ରାଜସ୍ୱ ସୃଷ୍ଟିକାରୀ KK ଲାଇନ: କୋଥାଭାଲସା-କିରାଣ୍ଡୁଲ (ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶର ଅଞ୍ଚଳ ସମେତ) ରାୟଗଡ଼ା ଡିଭିଜନରେ ଅଛି। ତେଣୁ ପୂର୍ବତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ। ପଲାସା - ଇଚ୍ଛାପୁରମ ସେକ୍ସନରେ କୌଣସି ବଡ଼ ମାଲ ପରିବହନ ଆୟ ଉତ୍ପାଦନ କରୁଥିବା ଷ୍ଟେସନ ନାହିଁ। ତେଣୁ ପୂର୍ବ ତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ ବୋଲି କହିଛି ମନ୍ତ୍ରଣାଳୟ।

ସୂଚନାଥାଉକି, ପଲାସା-ଇଚ୍ଛାପୁରମ୍ ସେକ୍ସନ ଏବେ ପୂର୍ବତଟ ରେଳପଥର ଖୋର୍ଦ୍ଧା ଡିଭିଜନ୍ ଅଧୀନରେ ରହିଛି । ଯାହାକୁ ଆଗାମୀ ଦିନରେ ଦକ୍ଷିଣତଟ ରେଳପଥର ବିଶାଖାପାଟଣା ସବ୍ଡିଭିଜନକୁ ହସ୍ତାନ୍ତର କରାଯିବ। ପୂର୍ବରୁ ଦକ୍ଷିଣତଟ ରେଳପଥର ସୀମାରେଖା ସ୍ଥିର ହୋଇଥିଲା । ମାତ୍ର ପୁଣି ଏଥିରେ ପରିବର୍ତ୍ତନ କରିଛି ରେଳବୋର୍ଡ ।

ଅପରପକ୍ଷେ, ଆନ୍ଧ୍ରର ବିଭିନ୍ନ ରେଳ ଅଞ୍ଚଳ ପୂର୍ବତଟ ରେଳପଥରୁ ବାଦ୍ ପଡୁଥିବା ବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳ କିନ୍ତୁ ପୂର୍ବତଟ ରେଳପଥ ଅଧୀନକୁ ଆସି ପାରୁନି । ଏବେ ବି ବାଲେଶ୍ୱର, ମୟୂରଭଞ୍ଜ, ରାଉରକେଲା ଓ ଝାରସୁଗୁଡ଼ା ଦକ୍ଷିଣ ପୂର୍ବ ରେଳ ଜୋନ୍ ଅଧୀନରେ ଅଛି । ରେଳ ସମ୍ପର୍କିତ କୌଣସି କାର୍ଯ୍ୟ ଥିଲେ ଏହି ଅଞ୍ଚଳର ରେଳଯାତ୍ରୀମାନେ ଖଡ଼ଗପୁର ସବଡିଭିଜନ୍ କିମ୍ବା କୋଲକତା ମୁଖ୍ୟାଳୟକୁ ଯିବାକୁ ପଡ଼ିଥାଏ । ଜମି ଅଧିଗ୍ରହଣ କ୍ଷତିପୂରଣ ପାଇଁ ହେଉ କିମ୍ବା ଦୁର୍ଘଟଣା ରାଶି ମିଳିବାରେ ବିଳମ୍ବ ବାବଦରେ ଯାତ୍ରୀମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼ିଥାଏ । ଦୀର୍ଘ ଦିନ ହେବ ଏହି ଅଞ୍ଚଳଗୁଡ଼ିକ ପୂର୍ବତଟ ରେଳପଥ ଅଧୀନକୁ ଆସିବାକୁ ଦାବି ଉଠୁଥିଲେ ମଧ୍ୟ ରେଳ କର୍ତ୍ତୃପକ୍ଷ ଏହାକୁ ଧ୍ୟାନ ନ ଦେଇ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଅଲଗା କରି ଚାଲିଛନ୍ତି । ଯାହା ଜାଣିବା ପରେ ଓଡ଼ିଶା ରେଳଯାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।