ଭୁବନେଶ୍ୱର ୨୨।୦୪ : ବୁଧବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ଗୁଳୁଗୁଳି ହେବ। ଆର୍ଦ୍ରତା ଅଧିକ ଯୋଗୁ ଗରମ ଓ ଗୁଳୁଗୁଳି ନାକେଦମ୍ କରିବ । ସେପଟେ ୨୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ମଙ୍ଗଳବାର ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୩.୬ ଡିଗ୍ରୀ ରହିଥିଲା । ସମ୍ବଲପୁର ଓ ଟିଟିଲାଗଡ଼ରେ ୪୨.୫, ହୀରାକୁଦରେ ୪୨.୪, ବଲାଙ୍ଗୀରରେ ୪୨.୨, ଅନୁଗୁଳରେ ୪୨.୧ ଓ ସୋନପୁରରେ ୪୧.୭ ଡିଗ୍ରୀ ରେକର୍ଡ ହୋଇଛି ।

ପ୍ରଚଣ୍ଡ ତାତି ପାଇଁ ବଲାଙ୍ଗୀର ଜିଲ୍ଲାରେ ସବୁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ଛୁଟି ୨୫ ତାରିଖ ଯାଏ ବୃଦ୍ଧି କରାଯାଇଛି । ଗୁରୁବାର(୨୩ ତାରିଖ) ଝାରସୁଗୁଡ଼ା, ବଲାଙ୍ଗୀର ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ । କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର ଓ ସମ୍ବଲପୁରରେ ରାତି ବେଳା ଗରମ ଅନୁଭୂତ ହେବ । ୨୪ ଓ ୨୫ ତାରିଖରେ ମଧ୍ୟ ଏଭଳି ସ୍ଥିତି ରହିବ ।

Also Read:-Horoscope Today : ଏପ୍ରିଲ ୨୨ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ସେହିପରି ଆସନ୍ତା ୪ ଦିନ ଯାଏ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବନି । ଏହାପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ୨୨ ତାରିଖ(ବୁଧବାର)ଠାରୁ ୨୫ ତାରିଖ ଯାଏ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ । ଏହା ପ୍ରଭାବରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ୩୦ କିମି ବେଗରେ ପବନ ବି ବହିପାରେ । ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୫ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ ଓ ଏହା ପ୍ରଭାବରେ ବର୍ଷା ହୋଇପାରେ ।