କଟକ: ବାରମ୍ୱାର ତୁଣ୍ଡ ଖୋଲୁଛନ୍ତି ବିଜେଡି ବିଧାୟକ । ଯେତେ ଆକ୍ସନ ହେଲେ ବି ମୁହଁରେ ନାହିଁ କଣ୍ଟ୍ରୋଲ୍ । ବାରମ୍ୱାର ବିଜେଡି ଉପରେ ବର୍ଷୁଛନ୍ତି ଦେବୀ ରଞ୍ଜନ ତ୍ରିପାଠୀ । ଆଜି ଇଦ୍ ପାଳନ ବେଳେ ସାମିଲ ହୋଇଥିଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଏହି ଅବସରରେ ସେ କହିଥିଲେ ରାଜ୍ୟସଭା ନିର୍ବାଚନରେ ହ୍ୱିପ ଜାରୀ ହୋଇପାରିବ ନାହିଁ ।

ଏପରିକି ହ୍ୱିପ ଜାରି କରିବାର ଅଧିକାର କାହାର ନାହିଁ । ହ୍ଵିପ ଜାରି କରିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି ଚର୍ଚ୍ଚିତ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। ମୁଁ ଆଜି ବିଜେଡି ରେ ଅଛି, କିନ୍ତୁ ଆଗକୁ କଣ ହେବ ତାହା କହିପାରିବି ନାହିଁ। ମୋର ରାଜନୈତିକ ଭବିଷ୍ୟତ କଣ ହେବ ତାହା ବାଙ୍କୀର ଜନସାଧାରଣ ନିର୍ଦ୍ଧାରଣ କରିବେ ବୋଲି କହୁଛନ୍ତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ।

୨ ପ୍ରଭାତ ନନ୍ଦନ କରିଥିଲେ କ୍ରସ ଭୋଟିଂ

ବିଜେଡି ବିଧାୟକ ଥାଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ସବୁଠୁ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଦୁଇ ପ୍ରଭାତ ନନ୍ଦନ। ଜଣେ ବିଜେଡିରୁ ବହିଷ୍କୃତ ପ୍ରଭାତ ବିଶ୍ବାଳଙ୍କ ପୁଅ ତଥା ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ। ଆଉ ଜଣେ ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। ଉଭୟେ ଦଳ ବିରୋଧରେ ଯାଇ ଦିଲ୍ଲୀପଙ୍କୁ ଭୋଟ୍ ଦେଇଛନ୍ତି।

ସୌଭିକ କ୍ରସ୍ ଭୋଟିଂ କରିବେ ପୂର୍ବରୁ ଜଣା ଥିଲେ ବି ସମସ୍ତଙ୍କୁ ସରପ୍ରାଇଜ୍ କରିଦେଇଥିଲେ ଦେବୀ ରଞ୍ଜନ ତ୍ରିପାଠୀ । ବିଜୁ ଲିଗାସୀକୁ ଆଗକୁ ନେବା ଓ ଅସାଧୁ ମେଣ୍ଟ ବିରୋଧରେ ମତଦାନ କରିଥିବା କହିଥିଲେ ଏହି ଯୁବ ବିଜେଡି ନେତା । ପରେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକମାନଙ୍କୁ ବିଜେଡି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ।

ସୋ କଜ ନୋଟିସର ଉତ୍ତର:

ଶୁକ୍ରବାର ଏହାର ଉତ୍ତର ରଖିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ ଓ ଚକ୍ରମଣୀ କହଁର । ସେମାନେ ଉତ୍ତରରେ ଲେଖିଛନ୍ତି କି, ଦଳ ଆମ ଉପରେ ଭିତ୍ତିହୀନ କାରଣ ଦର୍ଶାଅ ନୋଟିସ ଜାରି କରିଛି, ଏହା ବେଆଇନ ଓ ଦଳୀୟ ନେତୃତ୍ୱଙ୍କ ସ୍ୱେଚ୍ଛାଚାରିତା ବୋଲି ସେମାନେ କହିଛନ୍ତି । ଏହାସହ ସେମାନେ କହିଛନ୍ତି କି, ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଦଳର ନେତୃତ୍ୱ ସୀମା ଅତିକ୍ରମ କରିଛନ୍ତି । ଏହାସହ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ନେତୃତ୍ୱ ଭାରତୀୟ ନ୍ୟାୟ ସଂହିତାର ଧାରା ଭାଙ୍ଗି ଦଣ୍ଡନୀୟ ଅପରାଧ କରିଛି ଦଳ ।

୩ ବିଧାୟକ କହିଛନ୍ତି, ଆମେ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ । ଆମେ ଦଳର ନିର୍ଦ୍ଦେଶରେ ୧୫ ତାରିଖରେ ହୋଇଥିବା ଦଳୀୟ ବୈଠକ ନିଷ୍ପତ୍ତି ଉଲ୍ଲଘଂନ କରିଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । କାରଣ ଦର୍ଶାଅ ନୋଟିସରେ ଏପରି କିଛି ଉଲ୍ଲେଖ ନାହିଁ । ଆମେ କେବେ ବି ଦଳର ନିଷ୍ପତ୍ତି କି ନିର୍ଦ୍ଦେଶ ଉଲ୍ଲଘଂନ କରିନାହୁଁ ।

Also Read: ବଳ ଗୋଟାଉଛି ଓଡ଼ିଶା ଜନତା କଂଗ୍ରେସ, ବାପା କହିଲେ ମୋ ଝିଅର ଭବିଷ୍ୟତ...

ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ମତଦାନ କରିବା ପାଇଁ ଜଣେ ଭୋଟରଙ୍କୁ ସମ୍ବିଧାନର ଦଶମ ସୂଚୀ ମୁତାବକ ଦଣ୍ଡ ବ୍ୟବସ୍ଥାର ଲାଗୁ ହୁଏ ନାହିଁ । କାରଣ ଦର୍ଶାଅ ନୋଟିସ କେବ ବେଆଇନ, ମନମୁଖୀ ନୁହେଁ ବରଂ ଏହା ଆଇନ ପ୍ରକ୍ରିୟାରେ ସମ୍ବିଧାନର ଅପବ୍ୟବହାର ମଧ୍ୟ । ତେଣୁ ଆମେ ଅନୁରୋଧ କରୁଛୁ ଯେ ନୋଟିସ ପ୍ରତ୍ୟାହାର କରାଯାଉ, ନଚେତ ନୋଟିସ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଧ୍ୟହେବୁ । 

Watch:

ଅଧିକ ଓଡିଶା ଖବର ପାଇଁ ଆମ ୱେବସାଇଟ୍ ଭିଜିଟ୍ କରନ୍ତୁ ।