ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଟେକ୍ କମ୍ପାନୀ ଆପଲ୍ ନିଜର ଆଇଫୋନ୍ ଲଞ୍ଚ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିପାରେ। ମିଡିଆ ରିପୋର୍ଟ ଅନୁସାରେ, iPhone 18 ମଡେଲ୍ ୨୦୨୬ରେ ଲଞ୍ଚ ହେବ ନାହିଁ। ବରଂ ଏହାକୁ ୨୦୨୭ ମସିହାର ପ୍ରଥମ ତ୍ରୟମାସିକରେ ବଜାରକୁ ଆଣାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆପଲ ସାଧାରଣତଃ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ସ୍ମାର୍ଟଫୋନ ଲଞ୍ଚ କରିଥାଏ। ହେଲେ ଏଥର ହୁଏତ ଲଞ୍ଚ ଦେଖିବାକୁ ମିଳି ନପାରେ।

ଆପଲ୍ ଏହାର ଫ୍ଲାଗସିପ୍ ଫୋନଗୁଡ଼ିକୁ ଦୁଇଟି ଭିନ୍ନ ସମୟରେ ଲଞ୍ଚ୍ କରିବାକୁ ଯୋଜନା କରୁଛି। ଯୋଜନା ଅନୁଯାୟୀ, ପ୍ରିମିୟମ୍ ମଡେଲଗୁଡ଼ିକ (iPhone 18 Pro ଏବଂ Pro Max) ଏବଂ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ସେପ୍ଟେମ୍ବର ୨୦୨୬ରେ ଲଞ୍ଚ୍ ହୋଇପାରେ। ସେହିପରି ସାଧାରଣ iPhone 18, iPhone 18e ଏବଂ ଅନ୍ୟାନ୍ୟ ମଡେଲଗୁଡ଼ିକ ୨୦୨୭ ମସିହାର ବସନ୍ତ ଋତୁ ପର୍ଯ୍ୟନ୍ତ ବିଳମ୍ବ ହୋଇପାରେ।

Also Read- ଯୁଦ୍ଧ ବନ୍ଦ ପରେ ସେୟାର ବଜାରରେ ଉତ୍ସାହ : ଝୁମିଲା ମାର୍କେଟ୍, ଶକ୍ତିଶାଳୀ ହେଲା ଟଙ୍କା

ଆପଲର କ୍ୟାମେରା ଲେନ୍ସ ସପ୍ଲାୟର୍ 'Largan Precision' ର ଚେୟାରମ୍ୟାନ୍ ଲିନ ଇନ ପିଙ୍ଗ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆପଲର ଏଭଳି ଯୋଜନା ବିଷୟରେ ସଂକେତ ଦେଇଥିଲେ। ଯଦିଓ ସେ କମ୍ପାନୀର ନାଁ ନେଇ ନଥିଲେ। ତେବେ ସେ କହିଥିଲେ ଯେ ଜଣେ ପ୍ରମୁଖ କମ୍ପାନୀ ନିଜର ନୂଆ ଉତ୍ପାଦର ଲଞ୍ଚକୁ ୨୦୨୭ର ପ୍ରଥମ ତ୍ରୈମାସିକକୁ ଘୁଞ୍ଚାଇ ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ ସେହି ପ୍ରମୁଖ କମ୍ପାନୀଟି ଆପଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ବିଶେଷଜ୍ଞଙ୍କ ମତରେ, ଆପଲ୍ର ବଢ଼ୁଥିବା ଉତ୍ପାଦ ପୋର୍ଟଫୋଲିଓକୁ ସୁବ୍ୟବସ୍ଥିତ କରିବା ଏବଂ ବର୍ଷସାରା ବିକ୍ରି ବଜାୟ ରଖିବା ପାଇଁ କମ୍ପାନୀ ଏହି ପଦକ୍ଷେପ ନେଉଛି। ଏହା ବ୍ୟତୀତ, ଏହା କମ୍ପାନୀକୁ ଉତ୍ପାଦନ ଚାପ କମାଇବାରେ ସାହାଯ୍ୟ କରିବ। ଆପଲ୍ ପକ୍ଷରୁ ଏ ସମ୍ପର୍କରେ କୌଣସି ସରକାରୀ ବୟାନ ଆସି ନାହିଁ, କିନ୍ତୁ ଯଦି ଏହା ସତ ହୁଏ, ତେବେ ଏହା ଗତ ଦଶନ୍ଧିର ସବୁଠାରୁ ବଡ଼ ପରିବର୍ତ୍ତନ ହେବ।