ଭୁବନେଶ୍ୱର, ୨୬/୧୦ : ଧର୍ମମାସ କାର୍ତ୍ତିକରେ ମହାକାର୍ତ୍ତିକ ବ୍ରତ ପାଳନ କରିବାକୁ ରବିବାର ରାତି ସୁଦ୍ଧା ଶ୍ରୀକ୍ଷେତ୍ର ପୁରୀରେ ୧୮୦୦ ହବିଷ୍ୟାଳି ପହଞ୍ଚି ସାରିଛନ୍ତି। ଆଉ ଅବଶିଷ୍ଟ ୬୦୦ ଜଣଙ୍କ ବୁକିଂ ସରିଛି ଓ ସମସ୍ତେ ସୋମବାର ସକାଳେ ପହଞ୍ଚିବେ। କିନ୍ତୁ ଦୁର୍ଭାଗ୍ୟର କଥା ଚକ୍ରକ୍ଷେତ୍ର ଏକାମ୍ରରେ କାର୍ତ୍ତିକ ବ୍ରତ ପାଳନ କରିବାକୁ କେହି ଜଣେ ବି ହବିଷ୍ୟାଳି ପହଞ୍ଚି ନାହାନ୍ତି। ରବିବାର ରାତି ସୁଦ୍ଧା ଏଠାକାର ୨ଟି ଯାକ ଧର୍ମଶାଳାରେ ହବିଷ୍ୟାଳିଙ୍କ ଅବସ୍ଥାନ ପାଇଁ ହୋଇନି ଗୋଟିଏ ବି ଅଗ୍ରୀମ ବୁକିଂ । ଏଭଳି ଅଭାବନୀୟ ଦୁଃସ୍ଥିତି ଆଗରୁ କେବେ ବି ଏକାମ୍ର ମାଟି ଦେଖି ନଥିଲା ବୋଲି ବିଭିନ୍ନ ମନ୍ଦିର ସେବାୟତମାନେ କହିଛନ୍ତି। ଯଦି ବାସ୍ତବରେ ସୋମବାର ପହିଲି କାର୍ତ୍ତିକରେ କେହି ବି ହବିଷ୍ୟାଳି ଏଠାରେ ବ୍ରତ ପାଳନ ନ କରନ୍ତି, ତାହା ଏହି କ୍ଷେତ୍ର ପାଇଁ ଅଶୁଭ ସଙ୍କେତ ସଦୃଶ ହେବ ବୋଲି ବହୁ ଆଧ୍ୟାତ୍ମ୍ୟବାଦୀ ମତ ରଖୁଛନ୍ତି।

ସେମାନେ କହିଛନ୍ତି, କୌଣସି ଧାର୍ମିକ ସ୍ଥାନରେ ବାରମ୍ବାର ନୀତି ବିଭ୍ରାଟ ପରି ସ୍ଥିତି ଉପୁଜିବା କିମ୍ବା ଦେବାଦେବୀଙ୍କ ସେବା ପୂଜାରେ ଅବହେଳା ହେଲେ ସେହି ସ୍ଥାନକୁ ଦେବ ବଂଶ ପରିତ୍ୟାଗ କରନ୍ତି। ଆଉ ଯଦି ଦେବାଦେବୀ ସ୍ବୟଂ ଅନୁପସ୍ଥିତ, ତେବେ ଭକ୍ତ କାହିଁକି ଆସିବେ। ଯାହା ବି ହେଉ କୌଣସି ଏକ ପ୍ରସିଦ୍ଧ କ୍ଷେତ୍ରରେ କାର୍ତ୍ତିକ ପରିକା ଧର୍ମ ମାସରେ ହବିଷ୍ୟାଳି ଓ କାର୍ଷିକ ବ୍ରତଧାରୀଙ୍କ ସକାଳ ସନ୍ଧ୍ୟା ହୁଳହୁଳି ହରିବୋଲ ନ ଶୁଭିବା ଓ ଆକାଶ ଦୀପ ଦୃଶ୍ୟମାନ ନ ହେବା ଖୁବ ପରିତାପର ବିଷୟ। ନିଶ୍ଚୟ ଏ ସବୁକୁ ଝୁରିବ ବିନ୍ଦୁ ସାଗର, ଗୁମୁରୀ କାନ୍ଦିବ ଏକାମ୍ର ମାଟି। ତେଣୁ ଏହାକୁ ଗୁରୁତର ଭାବେ ବିଚାର କରି ସମସ୍ତେ ସମୀକ୍ଷା କରିବା ଉଚିତ୍।

ଅନ୍ୟପକ୍ଷରେ କିଛି ସେବାୟତ ଓ ଧର୍ମଶାଳା କର୍ତ୍ତୃପକ୍ଷ କହିଛନ୍ତି, ଶ୍ରୀକ୍ଷେତ୍ରରେ ଯଦି ହବିଷ୍ୟାଳିଙ୍କୁ ସମସ୍ତ ସୁବିଧା ବିନା ଦେୟର ଉପଲବ୍ଧ କରାଯାଉଛି, ତେବେ ଏଠାକୁ ହାତରୁ ଖର୍ଚ୍ଚ କରି କିଏ କାହିଁ କି ବା ଆସିବ। ଏହା ବ୍ୟତୀତ ଆଗାମୀ ବାତ୍ୟାକୁ ନଜରରେ ରଖି ହୁଏତ କୌଣସି ହବିଷ୍ୟାଳି ଆସି ନଥିବେ । ବାତ୍ୟା ପରେ କିଛି ହବିଷ୍ୟାଳି ଆସି ପାରନ୍ତି । କିନ୍ତୁ ଏଠାକୁ ବିଗତ ୧୦ ବର୍ଷ ହେବ ହବିଷ୍ୟାଳିଙ୍କ ଆଗମନ କ୍ରମାଗତ ଭାବେ ହ୍ରାସ ପାଉଛି । ତାହା ଅତ୍ୟନ୍ତ ଉଦବେଗର ବିଷୟ। ଆମେ ମଧ୍ୟ ସ୍ଵିକାର କରୁଛୁ। ତେଣୁ ଏକାମ୍ରକୁ ସେମାନଙ୍କ ଆଗମନ ପାଇଁ ସରକାରୀ ଭାବେ କିଛି ସ୍ବତନ୍ତ୍ର ଘୋଷଣା ହେଲେ ହିଁ ଫଳପ୍ରଦ ହୋଇପାରନ୍ତା।