ନୂଆଦିଲ୍ଲୀ: ସରିଲା ନୀତୀଶ ଯୁଗ। ଦୀର୍ଘ ୨୦ ବର୍ଷ ପରେ ନୀତୀଶଙ୍କୁ ଛାଡିବାକୁ ପଡିଲା ମୁଖ୍ୟମନ୍ତ୍ରୀ ଆସନର ମୋହ। ଯେଉଁ ଆସନ ମୋହ ପାଇଁ ରାଜନୀତିରେ ସେ ପଲଟୁରାମ ନାଁରେ ବଦନାମ ହୋଇଛନ୍ତି, ଶେଷରେ ଦୁଇ ଦଶନ୍ଧୀ ଧରି କ୍ଷମତା ଭୋଗ କରିବା ପରେ ଆସନ ଛାଡିଛନ୍ତି ନୀତୀଶ। ଏବେ ସେ ଖାଲି ପରାମର୍ଶଦାତାର ଭୂମିକା ନିର୍ବାହ କରିବେ। ମଙ୍ଗଳବାର ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାର ରାଜନୀତିରେ ଏକ ବଡ଼ ଘଟଣା ଘଟିଛି। ୨୦ ବର୍ଷର ମୁଖ୍ୟମନ୍ତ୍ରୀ ଆସନକୁ ଅଲ୍‌ବିଦା କହି ରାଜ୍ୟସଭା ଅଭିମୁଖେ ବାହାରିଛନ୍ତି ୭୫ ବର୍ଷୀୟ ନୀତୀଶ। 

ନୀତୀଶଙ୍କ ଇସ୍ତଫା ପରେ ବିହାରରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି। ଦଳ ସମ୍ରାଟ ଚୌଧୁରୀଙ୍କୁ ବିହାରର ନୂଆ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରିଛି। ଆସନ୍ତକାଲି ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ। ଏନେଇ ମଙ୍ଗଳବାର ବସିଥିବା ବିଧାୟକ ଦଳ ବୈଠକରେ ସମ୍ରାଟଙ୍କୁ ଗୃହର ନେତା ଭାବେ ଚୟନ କରାଯାଇଥିଲା। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଲୋକଭବନରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ ଚୌଧୁରୀ।  ​​​​​​​

ବାରମ୍ବାର ଦଳ ପରିବର୍ତ୍ତନ ପାଇଁ ପଲଟୁରାମ ନାଁରେ ବଦାନମ ନୀତୀଶ, ମଙ୍ଗଳବାର ଲୋକଭବନକୁ ଯାଇ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍ ସୟଦ ଅତା ହସନୈନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୫ ମାସ ତଳେ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ୮୫ ଆସନ ଜିତିଥିଲା। ବିଜେପି ଜିତିଥିଲା ୮୯ଟି ଆସନ। ଜେଡିୟୁର ଏତେ ମଜଭୁତ ପ୍ରଦର୍ଶନ ସତ୍ତ୍ୱେ ବି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବାକୁ ପଡ଼ିଛି।

ଇସ୍ତଫା ଦେବା ପୂର୍ବରୁ ନୀତୀଶ କ୍ୟାବିନେଟ ବୈଠକ ଡକାଇଥିଲେ। ବୈଠକରେ ଅଧ୍ୟକ୍ଷତା କରିଥିବା ନୀତୀଶ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଯାହାଦ୍ୱାରା ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ପାଇଁ ପଥ ପରିଷ୍କାର ହୋଇଛି। ଇସ୍ତଫା ଦେବା ପରେ ନୀତୀଶ ଏକ୍ସରେ ପୋଷ୍ଟ କରି ନୀତିଶ କୁମାର ଲେଖିଛନ୍ତି ଯେ ତାଙ୍କ ସରକାର ସମାଜର ପ୍ରତ୍ୟେକ ବର୍ଗ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଭଳି କ୍ଷେତ୍ରରେ କାର୍ଯ୍ୟ କରିଛି, ବିଶେଷ କରି ମହିଳା ଏବଂ ଯୁବପିଢ଼ି ପାଇଁ କାମ କରିଛି। ଏବେ ନୂଆ ସରକାର ଏହି ଦାୟିତ୍ୱ ତୁଲାଇବ ଏବଂ ଏଥିରେ ନୀତୀଶଙ୍କର ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ରହିବ ବୋଲି ସେ କହିଛନ୍ତି।
Also read- BJP's Tamil Nadu manifesto: ପରିବାରକୁ ୧୦ ହଜାର,ଜିନିଷ କୁଣିବାକୁ ୮ ହଜାରର କୁପନ ଦେବୁ:ତାମିଲନାଡୁ ପାଇଁ ବିଜେପିର ଘୋଷଣା

ନୀତିଶ କୁମାର ପ୍ରଥମେ ୨୪ ନଭେମ୍ବର ୨୦୦୫ରେ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପର ଠାରୁ ଦୁଇ ଦଶନ୍ଧି ଧରି ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହି ଆସନ ପାଇଁ ନୀତୀଶଙ୍କର ଖୁବ୍ ରାଜନୈତିକ ମୋହ ଥିଲା ବୋଲି ବିଶ୍ଳେଷକମାନେ କହୁନ୍ତି। ଏଥିପାଇଁ ସେ ଅନେକ ଥର ଦଳ ପରିବର୍ତ୍ତନ କରିଛନ୍ତି। ୨୦୦୫ରେ ଏନଡିଏ ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୧୦ରେ ସେ ଦୃଢ଼ ଜନାଦେଶ ପାଇଁ ପୁଣିଥରେ ସରକାର ଗଠନ କରିଥିଲେ। ତାଙ୍କ ଶାସନ କାଳରେ ବିକାଶ, ଭିତ୍ତିଭୂମି ପ୍ରୋତ୍ସାହନ ଏବଂ ଆଇନ ଶୃଙ୍ଖଳାରେ ଉନ୍ନତି ଆଣିଥିଲେ। ଫଳରେ ବିହାର ପଛୁଆ ରାଜ୍ୟର ବଦାନାମରୁ ମୁକ୍ତ ହୋଇଥିଲା।

ଏହାପରେ ନୀତୀଶ ୨୦୧୩ରେ ବିଜେପି ସହିତ ସମ୍ପର୍କ ଭାଙ୍ଗିଥିଲେ। ୨୦୧୫ରେ ଆରଜେଡି-କଂଗ୍ରେସ ମେଣ୍ଟ ସହିତ ମେଣ୍ଟ କରିଥିଲେ। ୨୦୧୭ରେ ସେ ପୁଣି ଏନଡିଏ ମେଣ୍ଟକୁ ଫେରିଥିଲେ। ଆଉ ୨୦୨୨ରେ ପୁଣି ଥରେ ନୀତୀଶ କୁମାର କଂଗ୍ରେସ ଓ ଅନ୍ୟାନ୍ୟ ଦଳର ମହାମେଣ୍ଟକୁ ଯାଇଥିଲେ। ଆଉ ଏହି ବିଜେପି ବିରୋଧୀ ମହାମେଣ୍ଟର ଆବାହକ ମଧ୍ୟ ଖୋଦ୍ ନୀତୀଶ କୁମାର ହିଁ ଥିଲେ। ହେଲେ ଏଥିରେ ସମସ୍ତଙ୍କୁ ମନାଇବାରେ ବିଫଳ ହେବାରୁ ତାଙ୍କ ଭବିଷ୍ୟତରେ ଏନଡିଏରେ ସୁରକ୍ଷିତ ବୋଲି ବିବେଚନା କରି ସେ ପୁଣିଥରେ ବିଜେପି ସହିତ ମେଣ୍ଟ କରିଥିଲେ। ତାଙ୍କ ରାଜନୈତିକ ଯାତ୍ରାରେ ଏଭଳି ବାରମ୍ବାର ଦଳ ପରିବର୍ତ୍ତନ ଯୋଗୁ ତାଙ୍କୁ ପଲଟୁ ରାମ ବୋଲି କୁହାଯାଉଥିଲା।

ଯେହେତୁ ସେ ପୂର୍ବରୁ ଦୁଇ ଦୁଇ ଥର ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଛାଡ଼ି ସାରିଥିଲେ, ଶେଷ ଥର ଫେରିବା ପରେ ଦଳରେ ତାଙ୍କର ଗୁରୁତ୍ୱ ଚାପରେ ରହିଥିଲା। ଯେଉଁଥିପାଇଁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇବାର ସଫଳ ହୋଇଛି ବୋଲି ବିଶ୍ଲେଷକମାନେ କହୁଛନ୍ତି। ଆଉ ନୀତୀଶ କୁମାରଙ୍କୁ ତାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବାକୁ ପଡ଼ିଛି।
Also Read- ଷଡ଼ଯନ୍ତ୍ର ପଛରେ ଥାଇପାରେ ପାକିସ୍ତାନୀ ଲିଙ୍କ୍,ନୋଏଡା ହିଂସାକୁ ନେଇ ବଡ଼ ଶ୍ରମ ମନ୍ତ୍ରୀଙ୍କ ବଡ଼ ବୟାନ

ସମ୍ରାଟ ଚୌଧୁରୀ ହେବେ ନୂଆ ବିହାର ମୁଖ୍ୟମନ୍ତ୍ରୀ!

ବିହାରର ୨୪୩ ବିଧାନସଭା ଆସନ ପାଇଁ ୨୦୨୫ ନଭେମ୍ବରରେ ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ଏକାକୀ ୮୯ ଆସନ ଜିତି ଏକକ ବୃହତ୍ତମ ଦଳ ହୋଇଥିଲା। ତେଣୁ ଦଳ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇ ନିଜ ଦଳର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି। ତେଣୁ ଦଳ ପ୍ରଥମ ଥର ପାଇଁ ନିଜର ବିଧାୟକ ଦଳ ନିର୍ବାଚିତ କରିବ। ଯିଏ କି ବିହାରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏନେଇ ଅପରାହ୍ନ ୩ଟା ବେଳେ ବିଜେପି ପାଟନା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି।

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନେତୃତ୍ୱ ଚୟନ ତଦାରଖ କରିବା ପାଇଁ ପାଟନାରେ ଅଛନ୍ତି। ତାଙ୍କୁ ବିଜେପି ସଂସଦୀୟ ବୋର୍ଡ ଦ୍ୱାରା ବିହାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ନୀତୀଶଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ମୁଖ୍ୟନ୍ତ୍ରୀ ହେବାର ସମ୍ଭାବନା ରହିଛି।

ଅପରାହ୍ନ ୪ଟାରେ ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲରେ ସମସ୍ତ ଏନ୍‌ଡିଏ ବିଧାୟକମାନେ ଏକାଠି ହୋଇଥିଲେ। ମେଣ୍ଟ ଅଂଶୀଦାରମାନଙ୍କ ସମର୍ଥନର ଆନୁଷ୍ଠାନିକ ପ୍ରଦର୍ଶନ କରିଥିଲେ। ସମସ୍ତଙ୍କ ସହଯୋଗରେ ସମ୍ରାଟଙ୍କୁ ଦଳର ନେତା ବଛାଯାଇଛି ବୋଲି ଏନ୍‌ଡି କହିଛି।