Samrat Choudhary: ବହୁ ବିଚାର ବିମର୍ଶ ଓ ସମୀକ୍ଷା ପରେ ସମ୍ରାଟ ଚୌଧୁରୀ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ତାଙ୍କ ନାଁ ଉପରେ ବାଜିଛି ମୋହର। ମଙ୍ଗଳବାର ବସିଥିବା ବିଧାୟକ ଦଳ ବୈଠକରେ ସମ୍ରାଟଙ୍କୁ ଗୃହର ନେତା ଭାବେ ଚୟନ କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଲୋକଭବନରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ ଚୌଧୁରୀ।  ଅନ୍ୟପଟେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। 

ବିଜେପି ବିଧାୟକ ଦଳ ବୈଠକରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ପୁନର୍ବାର ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଅନ୍ୟ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ତାଙ୍କ ନାଁରେ ପ୍ରସ୍ତାବ ରଖିଥିଲେ। ଏହା ସହିତ ପ୍ରଥମ ଥର ବିହାରରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ। ନୀତିଶଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ  ଥିବା ସମ୍ରାଟ ଚୌଧୁରୀ ଏବେ ବିହାରରେ ଏନଡିଏ ସରକାର ମଙ୍ଗ ସମ୍ଭାଳିବେ। ତାଙ୍କ ନାଁରେ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଲାଗି ରହିଥିଲା।

Also Read: ଅଜିତ୍‌ଙ୍କ ଭଳି ସେମିତି ଜ୍ୟାକେଟ୍ ଆଉ ସେହି ଅନ୍ଦାଜ...ରାଜ୍ୟସଭା ଭାବେ ଏମିତି ଥିଲା ଶପଥ

ବୁଧବାର ନୂଆ ସରକାରର ଶପଥଗ୍ରହଣ ସମାରୋହ ଆୟୋଜିତ ହେବ। ଲୋକଭବନରେ ରାଜ୍ୟପାଲ ସୈୟଦ ଅତା ହସନେନ ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହିତ ଆଉ କିଛି ନେତା ମଧ୍ୟ ଶପଥ ନେଇ ପାରନ୍ତି। କିନ୍ତୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବହୁତ ଛୋଟ ରହିବ। ଜନତା ଦଳ ୟୁନାଇଟେଡ(ଜେଡିୟୁ)ରୁ ଜଣେ କିମ୍ବା ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏହା ପୂର୍ବରୁ ଏନଡିଏ ବିଧାୟକ ଦଳର ବୈଠକରେ ସମ୍ରାଟଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା। ଏହା ପରେ ସେ ରାଜ୍ୟପାଳଙ୍କ ନିକଟକୁ ଯାଇ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବେ।

ପ୍ରସ୍ତାବ ଦେଲେ ବିଜୟ ସିହ୍ନା

ବିହାରର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପିର ହାଇକମାଣ୍ଡ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ବିହାର ପଠାଯାଇଥିଲା। ଏହା ପୂର୍ବରୁ ଦିଲ୍ଲୀରେ ସମ୍ରାଟ ଚୌଧୁରୀଙ୍କ ନାଁରେ  ମୋହର ମରା ଯାଇଥିଲା। ଏହା ପରେ ଶିବରାଜ ନୂଆ ମୁଖ୍ୟମନ୍ତ୍ରୀ ନାଁ ନେଇ ପାଟନା ପହଞ୍ଚିଥିଲେ।

ପାଟନାରେ ଆୟୋଜିତ ବିଧାୟକ ଦଳ ବୈଠକରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ମୁଖ୍ୟମନ୍ତ୍ରୀ ରୂପେ ସମ୍ରାଟ ଚୌଧୁରୀଙ୍କ ନାଁରେ ପ୍ରସ୍ତାବ ରଖିଥିଲେ। ଏହା ଉପରେ ସବୁ ବିଧାୟକ ସହମତି ପ୍ରଦାନ କରିଥିଲେ। ଏହାପରେ ଶିବରାଜ ସିଂ ଚୌହାନ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟଙ୍କ ନାଁ ଘୋଷଣା କରିଥିଲେ।

Also Read: ପରିବାରକୁ ୧୦ ହଜାର,ଜିନିଷ କୁଣିବାକୁ ୮ ହଜାରର କୁପନ ଦେବୁ:ତାମିଲନାଡୁ ପାଇଁ ବିଜେପିର ଘୋଷଣା

ତୃତୀୟ ଥର ବିଜେପି ବିଧାୟକ ଦଳ ନେତା ଭାବେ ହେଲେ ଚୟନ

ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସମ୍ରାଟ ଚୌଧୁରୀ ଲଗାତାର ତୃତୀୟ ଥର ବିଜେପି ବିଧାୟକ ଦଳ ନେତା ଭାବେ ଚୟନ ହୋଇଛନ୍ତି। ୨୦୨୪ରେ ଯେବେ ନୀତିଶ କୁମାର ମହାମେଣ୍ଟ ଛାଡ଼ି ଏନଡିଏ ଫେରିଥିଲେ, ସେହି ସମୟରେ ସରକାର ଗଠନ ପୂର୍ବରୁ ସମ୍ରାଟ ଚୌଧୁରୀଙ୍କୁ ବିଜେପିର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ସେହି ସମୟରେ ସେ ପ୍ରଥମ ଥର ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ପୁଣି ୨୦୨୫ ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ଜିତିବା ପରେ ଏନଡିଏ ସରକାରରେ ମଧ୍ୟ ସମ୍ରାଟଙ୍କୁ ବିଜେପିର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ଏବେ ନୀତିଶଙ୍କ ଇସ୍ତଫା ପରେ ନୂଆ ସରକାର ଗଠନ ପୂର୍ବରୁ ତାଙ୍କୁ ଲଗାତାର ତୃତୀୟ ଥର ବିଜେପିର ନେତା ଭାବେ ଚୟନ କରାଯାଇଛି।