ଭୁବନେଶ୍ୱର ୨୯।୧୦ : ଏଣିକି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା ଚାଲିଛି । ଧାଡ଼ି ଦର୍ଶନ ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ (OBCC) ଦ୍ୱାରା ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏହି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ ଶୀଘ୍ର ଆରମ୍ଭ ହେବ । ପ୍ରତ୍ୟେକ ଭକ୍ତ ଯେପରି ସୁଗମ, ସୁବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି । ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Also Read:-ନଈ ଫୁଲୁଛି, ଗାଁରେ ପାଣି ପଶୁଛି ! ନଈ କୁଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି

ଶ୍ରୀମନ୍ଦିର ଧାଡ଼ି ଦର୍ଶନ ପାଇଁ ଉଚ୍ଚସ୍ତରୀୟ ବୈଠକରେ ମହାପ୍ରଭୁଙ୍କ ଦର୍ଶନ କିପରି ଶୃଙ୍ଖଳିତ ହେବ ସେନେଇ ତର୍ଜମା ହୋଇଛି। ମନ୍ଦିର ନିତିକାନ୍ତି ଓ ଲୋକଙ୍କ ଦର୍ଶନରେ ସମସ୍ୟା ନ ହେବା ପାଇଁ ପାଇଲଟ ମଡେଲ କରାଯାଇଛି। ୮- ୧୦ ଦିନ ମଧ୍ୟରେ ବୈଷୟିକ ଟିମ୍ ମଡେଲ ଦେଖାଇବେ। ୩- ୪ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ । ୫ଟି ରାମ୍ପରେ ଆନୁମାନିକ ୫୦ ଜଣ ଲୋକ ଏକସଙ୍ଗେ ଦର୍ଶନ କରିପାରିବେ। ଗୋଟିଏ ଘଣ୍ଟାରେ ୮ ରୁ ୧୦ ହଜାର ଲୋକ ସୁରୁଖୁରୁ ଦର୍ଶନ କରିପାରିବେ । ସାତ ପାହଚ ମଧ୍ୟ ଦେଇ ଭିତରକୁ ଭକ୍ତମାନେ ପଶୁଛନ୍ତି । ଗରୁଡ଼ ସ୍ତମ୍ଭଠୁ ବାହାର କାଠ ପର୍ଯ୍ୟନ୍ତ ରାମ୍ପ ହେଉଛି। ଏହାଦ୍ବାରା ମନ୍ଦିର ଭିତରେ ଭିଡ଼ ହ୍ରାସ ପାଇବ। ଭିତରକୁ ପ୍ରବେଶ କଲା ପରେ ଯେଉଁ ୯ ଲାଇନ୍ ରହିଛି,ତାକୁ କିପରି କାର୍ଯ୍ୟକ୍ଷମ କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।