ଭୁବନେଶ୍ବର ୮।୯: ଦୁଇ ବର୍ଷ ମଧ୍ୟରେ ଜଗନ୍ନାଥ ଜମିର ହେବ ସେଟେଲମେଣ୍ଟ । ୨୦୦୭ ପୂର୍ବରୁ ଦଖଲରେ ଥିଲେ ହୋଇପାରିବ ସେଟେଲମେଣ୍ଟ । ମାସେ ଭିତରେ ଆରମ୍ଭ ହେବ ପୋର୍ଟାଲ । ମଠ ପାଇଁ ୧୦୦ ଡିସିମିଲ ମାଗଣା ଜମି ଯୋଗାଇ ଦିଆଯିବ । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ନଜର ପକାନ୍ତୁ କେମିତି କରିବେ ଆବେଦନ:

ଶ୍ରୀଜଗନ୍ନାଥ ମନ୍ଦିର ଭୂମି ସଂଚାଳନ କମିଟି ଗଠନ କରିବେ ଜିଲ୍ଲାପାଳ । ଆଡମିନ ରହିବେ କମିଟିର ନୋଡାଲ୍ ଅଫିସର । ପୋର୍ଟାଲରେ ଆବେଦନ କରିବାକୁ ହେବ । ଆବେଦନକାରୀଙ୍କୁ ରେକର୍ଡ, ରେଜିଷ୍ଟର୍ଡ ଡିଡ୍, ଭଡ଼ା ରସିଦ, ଆବଶ୍ୟକ ହେଲେ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ ଏବଂ ଭୋଗଦଖଲ ସମ୍ପର୍କିତ ଦଲିଲ ଦେବାକୁ ହେବ। ଆବେଦନ ସମୟରେ ୧,୦୦୦ ଟଙ୍କାର ନନ୍-ରିଫଣ୍ଡେବଲ୍ ଫି’ ମଧ୍ୟ ରହିଛି । ଆବେଦନ ପରେ ମାମଲା ସମ୍ପୃକ୍ତ ଜିଲ୍ଲା କଲେକ୍ଟରେଟ୍କୁ ଯିବ ।

ଆବେଦନର ୭ ଦିନ ମଧ୍ୟରେ ନୋଡାଲ ଅଫିସର ପ୍ରାଥମିକ ଯାଞ୍ଚ କରିବେ । ଏହାପରେ ସମ୍ପୃକ୍ତ ତହସିଲଦାରଙ୍କ ଦ୍ୱାରା ଫିଲ୍ଡ ଇନକ୍ୱାରି ହେବ । ସାଇଟ୍ ଭିଜିଟ୍, ଜମିର ସ୍କେଡ୍ୟୁଲ୍ ଓ ଟ୍ରେସ୍ ମ୍ୟାପ୍, ସାବିକ-ହାଲ୍ ତୁଳନା, ଭୋଗଦଖଲ ଓ ଟାଇଟ ଯାଞ୍ଚ ସହ ଅନ୍ୟାନ୍ୟ ଦଲିଲ ଯାଞ୍ଚ କରାଯିବ । ୩୦ ଦିନ ମଧ୍ୟରେ ତହସିଲଦାର ରିପୋର୍ଟ ଦାଖଲ କରିବାରେ ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଲ୍ଲା ସ୍ତରୀୟ କମିଟି ତାର ଯାଞ୍ଚ କରିବ । ଏହାପରେ ମନ୍ଦିର ମ୍ୟାନେଜିଂ କମିଟିର NOC ଜରୁରୀ । ଜିଲ୍ଲା କମିଟି ଯାଞ୍ଚ ପରେ ମାମଲା ଶ୍ରୀଜଗନ୍ନାଥ ଟେମ୍ପଲ୍ ମ୍ୟାନେଜିଂ କମିଟି ନିକଟକୁ ପଠାଇବ । NOC ମିଳିବା ପରେ ଜିଲ୍ଲା ସ୍ତରୀୟ କମିଟି ସେଟଲମେଣ୍ଟ, ପ୍ରତ୍ୟାଖ୍ୟାନ କିମ୍ବା ଅଧିକ ତଦନ୍ତ ପାଇଁ ସୁପାରିସ୍ କରିପାରିବ । ୩ ସ୍ତରରେ ହେବ ଅନୁମୋଦନ ଜମିର ପରିମାଣ ଅନୁଯାୟୀ ତିନିଟି ସ୍ତରରେ Competent Authority ନିଷ୍ପତ୍ତି ନେବେ ।

* ଜିଲ୍ଲାପାଳ: ୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡି ଜମି ଏବଂ ୧ ଏକର ପର୍ଯ୍ୟନ୍ତ କୃଷି ଜମି ।

* RDC: ୫୦ରୁ ୧୦୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧ରୁ ୨ ଏକର ପର୍ଯ୍ୟନ୍ତ କୃଷି ଜମି ।

* ଆଇନ ବିଭାଗ ସଚିବ: ୧୦୦ରୁ ୧୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧୫୦ ଡେସିମିଲ୍ ପର୍ଯ୍ୟନ୍ତ କମର୍ସିଆଲ୍ ଜମି ।

DLSC ସୁପାରିସ୍ ପରେ Competent Authority ଏକ ମାସ ମଧ୍ୟରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି । ସେଟେଲମେଣ୍ଟ ଅନୁମୋଦନ ହେବା ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଡିମାଣ୍ଡ ନୋଟିସ୍ ଜାରି ହେବ । ଆବେଦନକାରୀଙ୍କୁ ନିର୍ଦ୍ଧାରିତ ରାଶି ୩ ମାସ ମଧ୍ୟରେ ଜମା କରିବାକୁ ହେବ । ଅନଲାଇନ୍ ପେମେଣ୍ଟ, ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ବ୍ୟାଙ୍କର୍ସ ଚେକ୍ ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଇପାରିବ । ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ପରେ ଡିଡ୍ ଏକ୍ଜିକ୍ୟୁସନ୍ ଓ ରେଜିଷ୍ଟ୍ରେସନ୍ କରାଯିବ । ପରେ ତହସିଲଦାରଙ୍କ ଦ୍ୱାରା ଜମି ରେକର୍ଡ ଓ ମ୍ୟାପ୍ରେ ଆବଶ୍ୟକ ସଂଶୋଧନ କରାଯାଇ ପ୍ରକ୍ରିୟାକୁ ବନ୍ଦ କରାଯିବ । ସବୁଠାରୁ ବଡ଼ କଥା ହେଉଛି, ଏହି ସମଗ୍ର ସେଟଲମେଣ୍ଟ ପ୍ରକ୍ରିୟାକୁ ଦୁଇ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଦୀର୍ଘ ସମୟ ଧରି ମନ୍ଦିର ଜମିରେ ଭୋଗଦଖଲରେ ଥିବା ଯୋଗ୍ୟ ଲୋକମାନଙ୍କୁ କନ୍ସେସନାଲ୍ ରେଟ୍ରେ ସେଟେଲମେଣ୍ଟର ସୁଯୋଗ ଦେବା ନେଇ ମଧ୍ୟ ବ୍ୟବସ୍ଥା ରହିଛି ।

ସେଟେଲମେଣ୍ଟ ପ୍ରକ୍ରିୟାକୁ ଅନଲାଇନ୍ ଓ ପାରଦର୍ଶୀ କରାଯିବା ଫଳରେ ଆବେଦନରୁ ଆରମ୍ଭ କରି ଯାଞ୍ଚ, NOC, ଅନୁମୋଦନ, ପେମେଣ୍ଟ, ରେଜିଷ୍ଟ୍ରେସନ୍ ଓ ରେକର୍ଡ ସଂଶୋଧନ—ସମସ୍ତ ପର୍ଯ୍ୟାୟକୁ ଏକ ବ୍ୟବସ୍ଥିତ ଅନଲାଇନ୍ ପ୍ରକ୍ରିୟାରେ ଅଣାଯିବ । ଏଥି ପାଇଁ ଖୁବଶୀଘ୍ର ପୋର୍ଟାଲ ଶୁଭରମ୍ଭ କରିବେ ସରକାର ।

Also Read:- ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲେ ମାଆ, ବଞ୍ଚାଇବାକୁ ଯାଇ ଝିଅ ମୃତ

ଏବେ ନଜର ପକାନ୍ତୁ ବିଭିନ୍ନ ସ୍ଲାବ ଉପରେ-

କୃଷି ଜମି ପାଇଁ ମଧ୍ୟ ଭିନ୍ନ ଦର ଓ ନିୟମ ସ୍ଥିର ରହିଛି । ଘରବାଡି ପାଇଁ ୨୦୦୭ ପୂର୍ବରୁ ଦଖଲରେ ରହିଥିବା ଆବଶ୍ୟକ । ୩୦ ବର୍ଷରୁ ଅଧିକ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୧୦ ପ୍ରତିଶତ, ସେବକଙ୍କ ପାଇଁ ୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୭.୫ ପ୍ରତିଶତ ଦେବାକୁ ପଡିବ । ୨୦ରୁ ୩୦ ବର୍ଷ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୧୫ ପ୍ରତିଶତ, ସେବକଙ୍କ ପାଇଁ ୭.୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୧୦ ପ୍ରତିଶତ ଧାର୍ଯ୍ୟ ହୋଇଛି ।

ସେହିପରି ୧୨ରୁ ୨୦ ବର୍ଷ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୨୫ ପ୍ରତିଶତ, ସେବକଙ୍କ ପାଇଁ ୧୨.୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୧୫ ପ୍ରତିଶତ ଦେବାକୁ ପଡିବ । ତେବେ ୧୦୦ ଡ଼ିସିମିଲରୁ ଅଧିକ ଏବଂ ୨୫୦ ଡ଼ିସିମିଲ ପର୍ଯ୍ୟନ୍ତ ଜମି ହେଲେ ପୁରା BMV ଦେବାକୁ ପଡିବ । କୃଷି ଜମି କ୍ଷେତ୍ରରେ ମଧ୍ୟ ଭିନ୍ନ ନିୟମ ରହିଛି । ସେବକମାନେ ୧ ଏକର ପର୍ଯ୍ୟନ୍ତ ଜମି ପାଇଁ ବେଞ୍ଚ ମାର୍କ ଭଲ୍ୟୁ ୫୦ ପ୍ରତିଶତ ଦେବେ । ୧ରୁ ୨ ଏକର ଜମି ହେଲେ ପୁରା ବେଞ୍ଚ ମାର୍କ ଭଲ୍ୟୁ ଦେବାକୁ ପଡିବ । ମଠ ପାଇଁ ପ୍ରଥମ ୧୦୦ ଡିସିମିଲ ମାଗଣା ଏବଂ ପରବର୍ତ୍ତୀ ୨୫୦ ଡିସିମିଲ ଯାଏଁ ବେଞ୍ଚମାର୍କ ଭାଲ୍ୟୁ ଦେବାକୁ ପଡିବ । ମହାପ୍ରଭୁଙ୍କର ୩୬ ହଜାର ଏକର ଜମିର ରେକର୍ଡ ରହିଛି କିନ୍ତୁ ୫୮ ହଜାର ଏକର ଜମି ରାଜ୍ୟ ଏବଂ ରାଜ୍ୟ ବାହାରେ ଦେଶ ବାହାରେ ମଧ୍ୟ ରହିଛି ।