ଭୁବନେଶ୍ୱର ୧୧।୦୨ : ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ । ଦୁଇମାସରେ ଦ୍ୱିତୀୟ ସଂଶୋଧିତ ପ୍ୟାକେଜ ଘୋଷଣା ହୋଇଛି । ଫେବୃୟାରୀ ୯ ତାରିଖରେ ଗୃହ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ, ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାରତୀୟସ୍ତରର କ୍ୟାଡରଙ୍କ ପାଇଁ ନୂଆ ନିୟମ ଯୋଡ଼ାଯାଇଛି।

ଏ ଖବର ବି ପଢ଼ନ୍ତୁ:- କ୍ୟାମ୍ପରେ ଅଘଟଣ, ନିଜକୁ ନିଜେ ଗୁଳି କଲେ CRPF ଯବାନ...

ତେବେ ନୂତନ ନିୟମ ଅନୁସାରେ, ଯଦି କୌଣସି ନକ୍ସଲ ଓଡ଼ିଶାର ବାସିନ୍ଦା ନୁହଁନ୍ତି କିନ୍ତୁ ଓଡ଼ିଶାରେ ସକ୍ରିୟ ଅଛନ୍ତି । ସେମାନେ ମଧ୍ୟ ଏହି ଯୋଜନାରେ ସମସ୍ତ ସୁବିଧା ପାଇପାରିବେ। ନୂଆ ନୀତିରେ ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ କମିଟି ସଭ୍ୟ ସଭ୍ୟଙ୍କ ପାଇଁ ସର୍ବାଧିକ ୧.୧୦ କୋଟି ଟଙ୍କା, ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଓ ଆଞ୍ଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ ୫ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଏକକାଳୀନ ରାଶି ଫିକ୍ସଡ୍ ଡିପୋଜିଟ୍ ଆକାରରେ ଦିଆଯିବ। ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡରଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦର ତାଲିକା ଜାରି କରିଛନ୍ତି । ଏଲଏମଜି ବନ୍ଧୁକ ପାଇଁ ୪.୯୫ଲକ୍ଷ ଟଙ୍କା, ଏକେ-୪୭ ପାଇଁ ୩.୩୦ଲକ୍ଷ ଟଙ୍କା, ଇନସାସ୍ ବା ଏସଏଲଆର ରାଇଫଲ୍ ପାଇଁ ୧.୬୫ଲକ୍ଷ ଟଙ୍କା ଅଲଗା ଭାବେ ପ୍ରଦାନ କରାଯିବ। ଏପରିକି ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତିଟି ଗୁଳି ପାଇଁ ୫୫ ଟଙ୍କାର ପୁରସ୍କାର ରଖାଯାଇଛି। କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ମଧ୍ୟ ସମସ୍ତଙ୍କୁ ଅତିରିକ୍ତ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ରାଜ୍ୟ ଗୃହ ବିଭାଗ ଗତ ୨୦୨୫ ନଭେମ୍ବର ୨୭ ତାରିଖରେ ଜାରି ସଂଶୋଧିତ ପୁନର୍ବାସ ନୀତିକୁ ମାତ୍ର ତିନିମାସ ମଧ୍ୟରେ ପୁଣି ଥରେ ସଂଶୋଧନ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛନ୍ତି।

ଏ ଖବର ବି ପଢ଼ନ୍ତୁ:- ତ୍ରିକୋଣୀୟ ପ୍ରେମ ପାଇଁ ତଣ୍ଟି କାଟିବା ମାମଲା, ଦିନେଶକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ