ଭୁବନେଶ୍ୱର : ଗାଡ଼ି ଚାଲୁଥିବା ବେଳେ ଆଖିରେ ନିଦ ଆସିଥାଏ, ଆଉ ନିଦରେ ଜୀବନ ହରାଉଛନ୍ତି ଅନେକ ଲୋକ। ତେବେ ଏବେ ଡ୍ରାଇଭରଙ୍କ ଆଖିରେ ନିଦ ଆସିବା ପୂର୍ବରୁ ଚେତାଇ ଦେବ ଏଆଇ ! ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଛାତ୍ରୀ ଶାରଭି ମହାଜନ ବିକଶିତ କରିଛନ୍ତି ଏପରି ଏକ ଏଆଇ ଡିଭାଇସ ଯାହା ଡ୍ରାଇଭରଙ୍କ ନିଦ୍ରାବସ୍ଥାକୁ ଚିହ୍ନଟ କରି ଠିକ୍ ସମୟରେ ଦେବ ସତର୍କ ସଙ୍କେତ। ଦାବି କରାଯାଉଛି, ଏହି ଟେକ୍ନୋଲୋଜି ସଡ଼କ ଦୁର୍ଘଟଣାକୁ ଅନେକ ମାତ୍ରାରେ କମାଇବାରେ ହୋଇପାରେ ସହାୟକ। ତେବେ ଏହି ଏଆଇ ଆଧାରିତ ସିଷ୍ଟମ ହେଉଛି ‘ନ୍ୟୁରୋଡ୍ରାଇଭ ଆଲର୍ଟ’। କ’ଣ ଏହି ‘ନ୍ୟୁରୋଡ୍ରାଇଭଆଲର୍ଟ’? କେମିତି କରିବ ଏହା କାମ? ଆସନ୍ତୁ ଜାଣିବା ।

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଛାତ୍ରୀ ଶାରଭି ମହାଜନଙ୍କ ଦ୍ୱାରା ବିକଶିତ ଏଆଇ ଅଧାରିତ ସିଷ୍ଟମ ‘ନ୍ୟୁରୋଡ୍ରାଇଭଆଲର୍ଟ’ ଏବେ ବେଶ ଚର୍ଚ୍ଚାରେ ରହିଛି। ଶାରଭିଙ୍କ ଦ୍ୱାରା ପ୍ରସ୍ତୁତ ଏହି ସିଷ୍ଟମ ଡ୍ରାଇଭରଙ୍କୁ ନିଦ ଲାଗିବା ପୂର୍ବରୁ ସତର୍କ କରାଇଦେବ । ଏହାଦ୍ଵାରା ସଡ଼କ ଦୁର୍ଘଟଣା ବହୁ ପରିମାଣରେ କମିଯିବ ବୋଲି ଶାରଭି ଦାବି କରିଛନ୍ତି । ଶାରଭି ଏବେ କାଲିଫର୍ଣ୍ଣିଆର ବର୍ନାଡୋ ହାଇଟ୍ସ ମିଡିଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ତାଙ୍କ ଅନୁସାରେ, ‘ନ୍ୟୁରୋଡ୍ରାଇଭ ଆଲର୍ଟ' EEG ଟେକନିକ୍ ଏବଂ ମେସିନ୍ ଲର୍ଣ୍ଣିଙ୍ଗ ବ୍ୟବହାର କରି ଡ୍ରାଇଭରଙ୍କ ମସ୍ତିଷ୍କର ଗତିବିଧି ଉପରେ ନଜର ରଖିବ। EEG ଡ୍ରାଇଭରଙ୍କ ମୁଣ୍ଡରେ ଲଗାଯାଇଥିବା ସେନସର ଦ୍ଵାରା ମସ୍ତିଷ୍କର ଇଲେକ୍ଟ୍ରିକ୍ ସିଗନାଲକୁ ରେକର୍ଡ କରିବ। ମେସିନ୍ ଲର୍ଣ୍ଣିଂ ସେହି ସିଗ୍ନାଲକୁ ବିଶ୍ଳେଷଣ କରିବ। ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କୁ ନିଦ ଲାଗିବା ମାତ୍ରେ ସିଷ୍ଟମ ତୁରନ୍ତ ଆଲର୍ଟ କରିବ। ବିଶେଷକରି ‘ମାଇକ୍ରୋସ୍ଟିପ୍' କୁ ଚିହ୍ନଟ କରିବା ଲାଗି ଏହି ସିଷ୍ଟମକୁ ବିକଶିତ କରାଯାଇଛି ।

ଏହା ଏପରି ସ୍ଥିତିରେ କାମ ଦେବ ଯେଉଁଥିରେ ବ୍ୟକ୍ତି ମାତ୍ର କିଛି ସେକେଣ୍ଡ ଲାଗି ଶୋଇଯାଇଥାନ୍ତି। ଏହି ଅବଧି ଅତି କମ୍ ହେଉଥିଲେ ମଧ୍ୟ ଡ୍ରାଇଭିଂ ସମୟରେ ଅତି ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ । ଏହାଯୋଗୁ ଭୟାବହ ସଡ଼କ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ । ଏଭଳିକ୍ଷେତ୍ରରେ ନିଦ ଲାଗିବା ମାତ୍ରେ ଡ୍ରାଇଭରଙ୍କୁ ଆଲର୍ଟ କରି ‘ନ୍ୟୁରୋଡ୍ରାଇଭ୍ ଆଲର୍ଟ’ ସମ୍ଭାବିତ ସଡ଼କ ଦୁର୍ଘଟଣାକୁ ରୋକିପାରିବ ବୋଲି ସେ କହିଛନ୍ତି। ଏହି ପ୍ରୋଜେକ୍ଟ ଯୋଗୁ ଶାରଭି ଚଳିତବର୍ଷର ୩ଏମ୍ ୟଙ୍ଗ ସାଇଣ୍ଟିଷ୍ଟ୍ ଚାଲେଞ୍ଜର ୧୦ ଜଣ ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାର ବିଜେତାଙ୍କୁ ୨୫ ହଜାର ଡଲାର ପୁରସ୍କାର ମିଳିବ ନେଇ ସୂଚନା ରହିଛି ।