ନୂଆଦିଲ୍ଲୀ ୩୦।୦୮: ସବୁ କିଛି ସାରି ଦେଲା ପ୍ରଳୟଙ୍କାରୀ ବନ୍ୟା । ଘର, ପରିବାର ସବୁ ଭସାଇନେଲା । ନେପାଳରେ ଆସିଥିବା ଜଳପ୍ରଳୟ ଶହ ଶହ ଲୋକଙ୍କ ଜୀବନ ନେବା ପରେ ହଜାର ହଜାର ପରିବାର ଉଜାଡ଼ି ଦେଇଛି । ବନ୍ୟା ପରେ ଏବେ ସେମାନେ ବୁଡ଼ି ରହିଛନ୍ତି ଶୋକ ସାଗରରେ । ସମୟ ବିତୁଛି । ଅପେକ୍ଷା ବି ବଢ଼ୁଛି । କିନ୍ତୁ ନିଖୋଜ ପ୍ରିୟଜନଙ୍କ କିଛି ପତ୍ତା ମିଳୁନି । ପ୍ରତିଟି ମୁହୂର୍ତ୍ତ ନିରାଶା ଆଣୁଥିଲେ ବି ଆଶା ରହିଛି ନିଖୋଜ ବ୍ୟକ୍ତିଙ୍କ ପରିବାର ମନରେ । କାଳେ କିଛି ଚମତ୍କାର ହୋଇଯିବ, କେଉଁଠୁ ଫୋନ୍ କଲ୍ ଆସିଯିବ କିମ୍ବା ନିଖୋଜ ପ୍ରିୟଜନର କଥା ଶୁଣିବାକୁ ମିଳିଯିବ ସେହି ଆଶାରେ ପ୍ରତି ମିନିଟ୍ ବିତୁଛି । ନିଜର ଲୋକଟି ଯେ ଫେରିଆସୁ ସେଥିପାଇଁ ଯେପରି ଆହୁରି ଦିନ ପରେ ଦିନ ଅପେକ୍ଷା କରିବାକୁ ସେମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଉଦ୍ଧାର ହେଉଥିବା ଶବ କାଳେ ସେମାନଙ୍କ ପ୍ରିୟଜନ ହୋଇଥିବ ଭାବି ତାହା ନିକଟକୁ ଯିବାକୁ ଭୟ ଲାଗୁଛି, ତଥାପି ସେହି ଶବକୁ ଥରେ ଚାହିଁ ଆସୁଛନ୍ତି । ନେପାଳ ହସ୍ପିଟାଲଗୁଡ଼ିକ ବାହାରେ ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ମୃତ୍ୟୁ ସଂଖ୍ୟା ୭୬୩ରେ ପହଞ୍ଚିଛି।

ବନ୍ୟାର ୪ ଦିନ ପରେ ବି ପ୍ରବଳ ସ୍ରୋତରେ ଭାସିଯାଇଥିବା ଆପଣାର ଲୋକଙ୍କୁ ପରିବାରଗୁଡ଼ିକ ଚାରିଆଡ଼େ ଖୋଜି ବୁଲୁଛନ୍ତି । ୩,୦୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି । ଏହି ସଂଖ୍ୟା ପ୍ରତିଦିନ ବଢ଼ୁଛି । ହସ୍ପିଟାଲଗୁଡ଼ିକରେ ଶବ ପରେ ଶବ ଗଦା ହୋଇଚାଲିଛି । ଆହତଙ୍କୁ ମଧ୍ୟ ଚିକିତ୍ସା ଲାଗି ଭର୍ତ୍ତି କରାଯାଉଛି । ସେମାନଙ୍କ ଭିତରୁ ଲୋକେ ନିଜ ନିଜ ଲୋକଙ୍କୁ ଅଣ୍ଡାଳିବାରେ ଲାଗିଛନ୍ତି । କିଏ କୁଢ଼ କୁଢ଼ ମୃତଦେହ ଭିତରୁ ନିଜ ଲୋକଙ୍କୁ ଖୋଜୁଛି ତ କିଏ ଆହତଙ୍କ ଭିତରେ ପ୍ରିୟଜନର ମୁହଁ ଦେଖିବାକୁ ପ୍ରାର୍ଥନା କରୁଛି ।

ତ୍ରିଶୁଳୀ ଅଞ୍ଚଳରେ ବନ୍ୟାରେ ଏକ ଗୋଦାମ ଘର ଭାଙ୍ଗି ଯିବା ପରେ ଦିନେଶ ଏବଂ ତାଙ୍କ ପରିବାର ୩ ଦିନ ହେଲାଣି ନିଖୋଜ ଥିବା ତାଙ୍କର ଦୁଇ ଭାଇଙ୍କୁ ଖୋଜିବାରେ ଲାଗିଛନ୍ତି । ଦିନେଶ କହିଛନ୍ତି, ‘ଆମେ ୧୭ ବର୍ଷ ହେଲା ତ୍ରିଶୂଳୀରେ ରହିଆସିଛୁ । ଆମର ଏକ ସ୍କ୍ରାପ ବ୍ୟବସାୟ ଏବଂ ଏକ ଗୋଦାମ ଥିଲା, ଯାହା ବନ୍ୟା ଭସାଇନେଇଛି । ଚୀନ୍ ସୀମା ନିକଟରେ ଥିବା ଦୁଇ ଭାଇ ନିଖୋଜ ଅଛନ୍ତି । ଏଯାଏ ସେମାନଙ୍କ ବିଷୟରେ କିଛି ବି ଜଣାପଡ଼ିନି । ବନ୍ୟା ବାବଦରେ ସେମାନଙ୍କୁ ଫୋନ୍ କରି ଜଣାଇଥିଲୁ ଏବଂ ତୁରନ୍ତ ସେ ସ୍ଥାନ ଛାଡ଼ିବାକୁ କହିଥିଲୁ । ସେମାନଙ୍କୁ ଖୋଜି ଖୋଜି ଥକିଲୁଣି । ତଥାପି କିଛି ବି ଜଣାପଡ଼ିନି ।

ବନ୍ୟା ପ୍ରଭାବିତ ଆଉ ଜଣେ ମହିଳା କହିଛନ୍ତି, ଆଖି ପିଛୁଳାକେ ବନ୍ୟା ପାଣି ମାଡ଼ିଆସିଲା । କେବଳ ଜୀବନ ବଞ୍ଚାଇବା ଛଡ଼ା ସେତେବେଳେ କିଛି ବି ଦେଖାଯାଇ ନଥିଲା । ବହୁତ କଷ୍ଟରେ ଉଚ୍ଚସ୍ଥାନକୁ ପଳାଇଆସିଥିଲୁ । କିନ୍ତୁ ଘର ଏବଂ ଘରେ ଥିବା ସବୁ ସାମଗ୍ରୀ, ମୂଲ୍ୟବାନ ଜିନିଷ ଭାସିଗଲା । କେବଳ ଏହି ମହିଳା ନୁହନ୍ତି, ବନ୍ୟା ବାବଦରେ କେହି ଅବଗତ ନ ଥିବାରୁ ପୀଡ଼ିତମାନେ ଜରୁରିକାଳୀନ ଭିତ୍ତିରେ ଆଗେ ସେମାନଙ୍କ ଜୀବନ ବଞ୍ଚାଇବା କଥା ଭାବିଥିଲେ ଏବଂ ସବୁକିଛି ଛାଡ଼ି ସୁରକ୍ଷିତ ସ୍ଥାନକୁ ଧାଇଁଥିଲେ । ଯିଏ ଯେପରି ଭାବେ ଚେଷ୍ଟା କରି କେବଳ ବଞ୍ଚିଯିବାକୁ ଉଦ୍ୟମ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ କେତେଜଣ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବାବେଳେ ଅନେକେ ପ୍ରାଣ ହରାଇଛନ୍ତି ।