ଢାକା, ୨୪।୧୧ : ଖୁବ୍ ଶୀଘ୍ର ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା । ସେ ଡିସେମ୍ବର ୧୬ ତାରିଖରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଘୋଷଣା କରିଛନ୍ତି । ଦୀର୍ଘ ଦୁଇବର୍ଷ ହେଲା ସେ ଭାରତରେ ରହି ଆସୁଛନ୍ତି । ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ସେଖ୍ ହସିନାଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି ।

ଡିସେମ୍ବର ୧୬ ହେଉଛି ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମର ବାର୍ଷିକୀ । ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ହସିନା ନିଜ ଦେଶକୁ ଫେରିବା ପାଇଁ ତାରିଖ ବାବଦରେ ସୂଚନା ଦେଇଛନ୍ତି । ପୂର୍ବରୁ ସେ ଡିସେମ୍ବରରେ ଫେରିବେ ବୋଲି କହିଥିଲେ । ହେଲେ ତାରିଖ ବାବଦରେ ଘୋଷଣା କରିନଥିଲେ । ତେବେ ଫେରିବା ପାଇଁ ସେ ବାଂଲାଦେଶ ସରକାରଙ୍କ ଆଗରେ ସରକାରୀ ଏୟାରଲାଇନ୍ସରେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

Also Read :- NHରେ ଟ୍ରକକୁ ପିଟିଲା ସ୍କର୍ପିଓ : ୫ ମୃତ, ୪ ଗୁରୁତର

ରିପୋର୍ଟ ଅନୁଯାୟୀ, ଶେଖ ହସିନା ଡିସେମ୍ବରରେ ବାଂଲାଦେଶ ଫେରି ଅଦାଲତରେ ଆତ୍ମସମର୍ପଣ କରିବାକୁ ଯୋଜନା କରିଛନ୍ତି। ହେଲେ ତାଙ୍କର ସ୍ଵଦେଶ ପ୍ରତ୍ୟାବର୍ତ୍ତନ ବାଂଲାଦେଶରେ ନୂଆ ରାଜନୈତିକ ଉତ୍ତେଜନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ। ଏବେବି ବାଂଲାଦେଶ ଅଶାନ୍ତ ରହିଛି । ଅନେକ ସ୍ଥାନରେ ହିଂସା ଦଙ୍ଗା ହେଉଛି । ହସିନାଙ୍କ ସମର୍ଥକମାନେ ଧାରଣା ଦେବା ସହ ବିକ୍ଷୋଭ କରୁଛନ୍ତି । ତେବେ ୨୦୨୫ ନଭେମ୍ବରରେ ଏକ ଅଦାଲତ ୨୦୨୪ ବିରୋଧ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାତ୍ମକ ଘଟଣାକୁ ନେଇ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହାକୁ ବାତିଲ କରିବା ପାଇଁ ସମର୍ଥକମାନେ ଦାବି କରୁଛନ୍ତି ।

୨୦୨୪ରୁ ଭାରତରେ ଅଛନ୍ତି ଶେଖ ହସିନା

୨୦୨୪ ଜୁନରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସ୍ଵାଧୀନତା ସଂଗ୍ରାମୀ କୋଟା ପ୍ରଣାଳୀର ବ୍ୟବସ୍ଥା କରିଥିଲେ ଶେଖ ହସିନା। ଏହାକୁ ବିରୋଧ କରି ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଥିଲା। ଧିରେ ଧିରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ହିଂସାରେ ପୂରା ଜଳି ଉଠିଲା ବାଂଲାଦେଶ। ସ୍ଥିତି ଏମିତି ଉପୁଜିଲା ଯେ, ଶେଖ ସହିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶରୁ ପଳାୟନ କରିବାକୁ ପଡ଼ିଥିଲା। ତାଙ୍କ ପାର୍ଟି ଆବାମୀ ଲିଗକୁ ଦେଶରେ ନିଷେଧ ଘୋଷଣା କରାଗଲା। ଏହା ପରଠୁ ଭାରତରେ ଶରଣ ନେଇଛନ୍ତି ଶେଖ ହସିନା।