ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଜେନସେନ୍ ହୁଆଙ୍ଗ ପୁଣି Nvidiaରେ ସିଇଓ ପଦରେ ଅବସ୍ଥାପିତ ହୋଇଛନ୍ତି । ସେପଟେ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ପଛରେ ଟ୍ରମ୍ପଙ୍କ ବଡ଼ ଯୋଗଦାନ ରହିଛି । ଏନେଇ ଖୋଦ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି । ତାଙ୍କ ପାଇଁ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇଛି ବୋଲି ଦାବି କରିଛନ୍ତି ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଦାବି କରିଛନ୍ତି ଯେ, ଏନଭିଡିଆର ସିଇଓ ଭାବରେ ଜେନସେନ୍ ହୁଆଙ୍ଗଙ୍କୁ ପୁନଃନିଯୁକ୍ତ କରିବା ପାଇଁ ସେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିଥିଲେ । ସେ କମ୍ପାନୀର ବୋର୍ଡ ସଦସ୍ୟମାନଙ୍କୁ ମନାଇଥିଲେ । ଟ୍ରମ୍ପ କହିଛନ୍ତି ଯେ, ସେ ସିଧାସଳଖ ବୋର୍ଡ ସଦସ୍ୟଙ୍କ ସହ କଥା ହୋଇ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ।  କମ୍ପାନୀର ସହ-ପ୍ରତିଷ୍ଠାତା ହୁଆଙ୍ଗଙ୍କ ଦ୍ୱାରା ଜାତୀୟ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ବୁଝାଇଥିଲେ । 

​​​​​​​

ଏନଭିଡିଆ ପକ୍ଷରୁ ଜେନସେନଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ହେବାର ପରେ ସିଏନବିସିକୁ ଦେଇଥିବା ଏକ ଫୋନ୍ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଏଆଇ (AI) ସିଷ୍ଟମରେ ବ୍ୟବହୃତ ସେମିକଣ୍ଡକ୍ଟର ଚିପ୍ ନିର୍ମାଣକାରୀ ବିଶ୍ୱର ଅନ୍ୟତମ ପ୍ରମୁଖ କମ୍ପାନୀର ନେତୃତ୍ୱ ନେବା ପାଇଁ ହୁଆଙ୍ଗଙ୍କୁ ଫେରାଇ ଆଣିବାକୁ ସେ ବୋର୍ଡକୁ ଅନୁରୋଧ କରିଥିଲେ । ଏନଭିଡିଆ ବୋର୍ଡ ସହ ସେ ଯୋଗାଯୋଗ କରିଥିଲେ କି ବୋଲି ପଚରାଯିବାରୁ ଟ୍ରମ୍ପ ସ୍ପଷ୍ଟ ଭାବେ କହିଥିଲେ ଯେ, ସେ ସେମାନଙ୍କ ସହ କଥା ହୋଇଥିଲେ ।  ସେମାନଙ୍କୁ ମନାଇବାରେ ସଫଳ ହୋଇଥିଲେ । 

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ସୋସିଆଲ୍ ମିଡିଆରେ ଏନଭିଡିଆକୁ ପ୍ରଶଂସା କରି କହିଥିଲେ ଯେ, ଜେନସେନ୍ ହୁଆଙ୍ଗଙ୍କୁ ପୁଣିଥରେ ସିଇଓ ପଦକୁ ଫେରାଇ ଆଣିବା ପାଇଁ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ଏକ ସଠିକ୍ ଏବଂ ଉପଯୁକ୍ତ ନିଷ୍ପତ୍ତି ନେଇଛନ୍ତି । ସେ ଜେନସେନଙ୍କୁ ଜଣେ 'ଜାତୀୟ ସମ୍ପଦ' ବୋଲି ଅଭିହିତ କରିଥିଲେ । ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' ରେ ଟ୍ରମ୍ପ ଲେଖିଛନ୍ତି ଯେ, କେବଳ କମ୍ପାନୀ ନୁହେଁ ବରଂ ଆମେରିକାର ଅର୍ଥନୀତିର ସଫଳତା ଓ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଦେଶକୁ ଏନଭିଡିଆରେ ଜେନସେନଙ୍କ ନେତୃତ୍ୱର ଆବଶ୍ୟକତା ରହିଛି । ଜେନସେନଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଜାତୀୟ ସୁରକ୍ଷା ପ୍ରତି କୌଣସି ବିପଦ ଥିବା ନେଇ ଆମେରିକା ସରକାରଙ୍କ ପାଖରେ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।