କାଠମାଣ୍ଡୁ: ନେପାଳ ଦଶନ୍ଧିର ସବୁଠାରୁ ଭୟଙ୍କର ବନ୍ୟା ଓ ଭୂସ୍କଲନ ବିପତ୍ତିର ସାମ୍ନା କରୁଛି । ପାଣି, କାଦୁଅ ଏବଂ ମାଟି-ପଥରର ଅବଶେଷରେ ଘେରି ରହିଛି । ଏଭଳି ପରିସ୍ଥିତିରେ ନେପାଳ-ତିବ୍ବତ ସୀମା ନିକଟସ୍ଥ ରସୁୱାର ତିମୁରେ ଅଞ୍ଚଳରେ ଫସିରହିଥିବା ଲୋକଙ୍କ ପାଇଁ ହେଲିକପ୍ଟର ହିଁ ଜୀବନରେଖା ପାଲଟିଛି ।

ନେପାଳର ପ୍ରଥମ ମହିଳା ହେଲିକପ୍ଟର କ୍ୟାପଟେନ୍ ପ୍ରିୟା ଅଧିକାରୀ ଦେଶର ସବୁଠାରୁ ଭୟଙ୍କର ବନ୍ୟା ଓ ଭୂସ୍କଲନ ବିପତ୍ତି ମଧ୍ୟରେ ମାତ୍ର ଛଅ ଦିନରେ ପ୍ରାୟ ୧୦୦ଟି ଉଦ୍ଧାର ଅଭିଯାନ ସମ୍ପୂର୍ଣ୍ଣ କରିଛନ୍ତି । ନେପାଳ-ତିବ୍ବତ ସୀମା ନିକଟସ୍ଥ ରସୁୱା ଜିଲ୍ଲାର ତିମୁରେ ଅଞ୍ଚଳରେ ଫସିରହିଥିବା ଲୋକଙ୍କ ପାଇଁ ଆକାଶରୁ ଓହ୍ଲାଉଥିବା ହେଲିକପ୍ଟର ପ୍ରାୟତଃ ବାହାରକୁ ଆସିବାର ଏକମାତ୍ର ରାସ୍ତା ପାଲଟିଥିଲା । ପାଣି, କାଦୁଅ, ଅବଶେଷ ଏବଂ ସଂକୀର୍ଣ୍ଣ ହିମାଳୟ ଉପତ୍ୟକା ମଧ୍ୟରେ ଏହି ଉଡ଼ାଣଗୁଡ଼ିକ ସାଧାରଣ ଉଦ୍ଧାର କାର୍ଯ୍ୟ ନଥିଲା, ବରଂ ନିରନ୍ତର ବିପଦପୂର୍ଣ୍ଣ ଅଭିଯାନ ଥିଲା ।

ତିମୁରେରେ ପହଞ୍ଚିବା ଯେତିକି କଷ୍ଟକର ଥିଲା, ସେଠାରେ ହେଲିକପ୍ଟର ଓହ୍ଲାଇବା ତା'ଠାରୁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା । ସିଏନ୍ଏନର ଏଣ୍ଡରସନ୍ କୁପରଙ୍କ ସହ କଥା ହୋଇ ଅଧିକାରୀ କହିଛନ୍ତି, ଆକାଶରୁ ଯେଉଁ ସ୍ଥାନ ଟାଣ ଭୂଇଁ ପରି ଦେଖାଯାଏ, ତାହା ପ୍ରାୟତଃ ବହଳିଆ ଏବଂ ଅସ୍ଥିର କାଦୁଅ ହୋଇଥାଏ । ହେଲିକପ୍ଟର ତା' ଭିତରେ ପୋତି ହୋଇଯାଇପାରେ । ତେଣୁ ପାଇଲଟମାନଙ୍କୁ ଲ୍ୟାଣ୍ଡିଂ ପରେ ଇଞ୍ଜିନ୍ ତୁରନ୍ତ ବନ୍ଦ କରିବା ପରିବର୍ତ୍ତେ ଚାଲୁ ରଖିବାକୁ ପଡ଼ିଥାଏ, ଯାହାଫଳରେ ଆବଶ୍ୟକ ପଡ଼ିଲେ ତୁରନ୍ତ ଉଡ଼ାଣ ଭରାଯାଇପାରିବ ।

ସେ କହିଛନ୍ତି,  ପ୍ରଥମ ଦୁଇ ଦିନରେ ହିଁ ତିମୁରେରୁ ୨୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଏହି କାର୍ଯ୍ୟରେ ନେପାଳୀ ସେନାର ଅଗଷ୍ଟା ହେଲିକପ୍ଟର ସମେତ ଅନେକ ବିମାନ ସାମିଲ ଥିଲେ । ସେ କହିଛନ୍ତି ଯେ ସବୁକିଛି ଶେଷ ହୋଇଯାଇଛି । ପାଞ୍ଚଟି ଜଳବିଦ୍ୟୁତ୍ ପ୍ରକଳ୍ପ ନଷ୍ଟ ହୋଇଯାଇଛି, ଜୀବନ ଚାଲିଯାଇଛି । ତଥାପି ଯେଉଁ ଲୋକମାନେ ବଞ୍ଚିଗଲେ, ସେମାନଙ୍କୁ ଦେଖିଲେ ହିଁ ମୁହଁରେ ହସ ଆସିଯାଏ ।

ପୁରୁଷ ପ୍ରଧାନ ବିମାନ ଚାଳନା କ୍ଷେତ୍ରରେ ପ୍ରିୟା ଅଧିକାରୀଙ୍କ ଯାତ୍ରା ସହଜ ନଥିଲା । ସେ ପରିବେଶ ବିଜ୍ଞାନ ପଢ଼ିଥିଲେ ଏବଂ ଆରମ୍ଭରେ କ୍ୟାବିନ୍ କ୍ରୁ ଭାବରେ କାମ କରିଥିଲେ । ଗୋଟିଏ ହେଲିକପ୍ଟରର ରୋମାଞ୍ଚକର ଉଡ଼ାଣ ତାଙ୍କ ମନରେ ଉଡ଼ାଣ ଭରିବାର ଇଚ୍ଛା ସୃଷ୍ଟି କରିଥିଲା । ଏହା ପରେ ସେ ଫିଲିପାଇନ୍ସ ଯାଇ ହେଲିକପ୍ଟର ତାଲିମ ନେଲେ, ଜଣେ ବୃତ୍ତିଗତ ପାଇଲଟ୍ ହେବା ପାଇଁ ଆବଶ୍ୟକ ଉଡ଼ାଣ ଘଣ୍ଟା ସମ୍ପୂର୍ଣ୍ଣ କରିଥିଲେ । ୨୦୧୭ ମସିହାରେ ପୂର୍ଣ୍ଣକାଳୀନ ହେଲିକପ୍ଟର ପାଇଲଟ୍ ହୋଇଥିଲେ ।

ଏହା ପରେ ସେ ହିମାଳୟରେ ଉଚ୍ଚ ସ୍ଥାନରେ ସନ୍ଧାନ ଓ ଉଦ୍ଧାର କରିବା ଅଭିଯାନରେ ଦକ୍ଷତା ହାସଲ କଲେ । ତାଙ୍କ କାର୍ଯ୍ୟରେ ଆହତ ପାର୍ବତ୍ୟାରୋହୀମାନଙ୍କୁ ଉଦ୍ଧାର କରିବା ସାମିଲ ରହିଛି, ଯେଉଁଥିରେ ପ୍ରାୟ ୬,୨୦୦ ମିଟର ପର୍ଯ୍ୟନ୍ତ ଉଚ୍ଚତାର ଅଭିଯାନ ମଧ୍ୟ ଅନ୍ତର୍ଭୁକ୍ତ । କ୍ୟାରିୟରର ଆରମ୍ଭରେ ମିଳିଥିବା ସନ୍ଦେହ ଓ ଆଶଙ୍କାକୁ ଭାଙ୍ଗି ସେ ନେପାଳର ପ୍ରଥମ ମହିଳା ହେଲିକପ୍ଟର କ୍ୟାପଟେନ୍ ହୋଇପାରିଛନ୍ତି । ଅଧିକ ଉଚ୍ଚତା, ଖରାପ ପାଣିପାଗ ଏବଂ ଦୁର୍ଗମ ଅଞ୍ଚଳରେ ଉଡ଼ାଣର ଦୀର୍ଘ ଅନୁଭବ ଥିବା ସତ୍ତ୍ୱେ ସେ କହିଛନ୍ତି ଯେ ଏହି ବିପତ୍ତିର ଭୟାବହତା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା କଠିନ ଥିଲା।