କାଠମାଣ୍ଡୁ, ୦୬ /୦୩: ସରିଛି ନେପାଳ ନିର୍ବାଚନ । ଚାଲିଛି ଭୋଟ୍ ଗଣତି । ହିମାଳୟର ପାଦଦେଶରେ ଥିବା ଏହି ଦେଶରେ ଏଥର ନୂଆ ସରକାର ଗଠନ ହେବା ଏକ ପ୍ରକାର ନିଶ୍ଚିତ । ଦେଶରେ ଜେନ୍-ଜି ସରକାର ଗଠନ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ବାଲେନ ଶାହ ନେପାଳର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ନିର୍ବାଚନରେ ଖୁବ୍ ଆଗରେ ରହିଛି । ଏବେସୁଦ୍ଧା ଦଳ ୭୭ଟି ସିଟରେ ଆଗୁଆ ରହିଛି ।

ବାଲେନ୍ ଶାହ ନେପାଳର ଜଣେ ରାପର୍ ଥିଲେ । ସେ ଜେନ୍-ଜି ଆନ୍ଦୋଳନର ମୁଖ୍ୟ ଭାବେ ଉଭା ହୋଇଥିଲେ । ଯାହା ନେପାଳ ସରକାର ପତନର ମୁଖ୍ୟ କାରଣ ଥିଲା । ଏହାପରେ ବାଲେନ୍ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ତିଆରି କରିଥିଲେ । ଏବେସୁଦ୍ଧା ନିର୍ବାଚନର ଭୋଟ୍ ଗଣତିରେ ବାଲେନଙ୍କ ଦଳ ମୋଟ୍ ୧୬୫ ଆସନରୁ ୭୭ଟି ସିଟରେ ଆଗୁଆ ରହିଛି । ଅନ୍ୟମାନଙ୍କ ମଧ୍ୟରେ ନେପାଳ କଂଗ୍ରେସ ୮ଟି ସିଟ୍ ଏବଂ ସିପିଏନ୍ ୟୁଏମଏଲ୍ ୬ଟି ସିଟରେ ଆଗୁଆ ରହିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ନେପାଳରେ ସାଧାରଣ ନିର୍ବାଚନ ଲାଗି ଭୋଟ ଗ୍ରହଣ ହୋଇଥିଲା । ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ସମାପ୍ତ ହୋଇଥିଲା। ଏବେ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା ରହିଛି । ଯେଉଁଥିରେ ବାଲେନ ଶାହଙ୍କ ପାର୍ଟି ବିଜୟ ହେବାକୁ ଯାଉଛି । ତେବେ ଜେନ-ଜୀ ଆନ୍ଦୋଳନ ପରେ ଦେଶରେ ହେଉଥିବା ପ୍ରଥମ ନିର୍ବାଚନକୁ ନେଇ ଲୋକେ ବେଶ୍ ଆଶାୟୀ ଥିଲେ। କିନ୍ତୁ କାର୍ଯ୍ୟକାରୀ ନିର୍ବାଚନ କମିଶନର ରାମପ୍ରସାଦ ଭଣ୍ଡାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ସାରା ଦେଶରୁ ମିଳୁଥିବା ପ୍ରାରମ୍ଭିକ ସୂଚନା ଅନୁସାରେ ପାଖାପାଖି ୬୦% ଭୋଟିଂ ହୋଇଛି ।

୧୯୯୧ ପରେ ସବୁଠୁ କମ୍ ଭୋଟିଂ

କୁହାଯାଉଥିଲା ଯେ, ଚୂଡ଼ାନ୍ତ ତଥ୍ୟରେ ଭୋଟିଂ ହାର ନ ବଢେ ତେବେ ଏହା ୧୯୯୧ ମସିହାରେ ହୋଇଥିବା ସାଧାରଣ ନିର୍ବାଚନ ପରେ ସବୁଠୁ କମ୍ ଭୋଟ୍ ହାର ହେବ। ୨୦୨୨ ନିର୍ବାଚନରେ ଦେଶର ଭୋଟର ଟର୍ଣ୍ଣାଉଟ୍ ୬୧.୪୧% ଥିଲା।