ମୁମ୍ଵାଇ ୨୩।୧୦; ଟିଭି ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’ରେ ଭାବପ୍ରବଣ ହେଲେ ଅଭିନେତ୍ରୀ ମାହି ଭିଜ୍। ଝିଅ ତାରାକୁ ଏକାକୀ ପାଳିବା ଏବଂ ଜଣେ ସିଙ୍ଗଲ୍ ମଦର୍ ଭାବେ ନିଜ ଦାୟିତ୍ୱ ତୁଲାଇବା ବିଷୟରେ କହିବା ବେଳେ କାନ୍ଦି ପକାଇଲେ ମାହି। ଅରିଶଫା ଖାନଙ୍କ ସହ ଯୁକ୍ତିତର୍କ ପରେ ସେ ନିଜ ମନର କଥା ଖୋଲି କହିଥିଲେ।

ଆଲୋଚନା ସମୟରେ ମାହି କହିଥିଲେ ଯେ, ଛାଡ଼ପତ୍ର ପ୍ରକ୍ରିୟା ସମୟରେ ବିଚାରପତି ତାଙ୍କୁ ଚାରିଥର ଭରଣପୋଷଣ ଅର୍ଥାତ୍ ଏଲିମନି ନେବାକୁ କହିଥିଲେ। ହେଲେ ସେ ଏହାକୁ ଗ୍ରହଣ କରିନଥିଲେ। ତାଙ୍କ କହିବା ଅନୁସାରେ, ସେହି ଟଙ୍କା ଜୟ ଭାନୁଶାଳୀଙ୍କ କଠିନ ପରିଶ୍ରମର ଅର୍ଜିତ ଧନ।

ମାହି ଆହୁରି କହିଥିଲେ ଯେ, ତାଙ୍କ ଜୀବନ ଏବେ ଝିଅ ତାରାକୁ କେନ୍ଦ୍ର କରି ଗତି କରୁଛି। ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ସହ ନିଜେ ଆର୍ଥିକ ଭାବେ ସ୍ୱାଧୀନ ରହିବାକୁ ସେ ଚାହାଁନ୍ତି। ଜୟ ତାଙ୍କୁ ନିଜ ଜୀବନ ଜିଇଁବାକୁ ଓ ବାହାରକୁ ଯିବାକୁ କହୁଥିଲେ ମଧ୍ୟ, ଝିଅର ଯତ୍ନ ନେବା ତାଙ୍କ ପ୍ରାଥମିକତା ବୋଲି ମାହି କହିଛନ୍ତି। ତେବେ ମାହି ସ୍ପଷ୍ଟ କରିଥିଲେ ଯେ, ଜୟ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ମନା କରିନାହାନ୍ତି। ବରଂ ଜୟଙ୍କ ପରିଶ୍ରମର ଅର୍ଥ ନେବାକୁ ସେ ନିଜେ ଚାହିଁନଥିଲେ। ବିଗ୍ ବସ୍ରେ ମାହିଙ୍କ ଏହି ଭାବପ୍ରବଣ କଥାବାର୍ତ୍ତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।