ଭୋପାଳ: ସୁନ୍ଦରୀ ପୁଲିସ ଅଫିସରଙ୍କ କଳା କାରନାମା । ଏୟାର ହୋଷ୍ଟେସରୁ ଡିଏସ ହୋଇଥିବା ମହିଳା ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଚାନ୍ଦା ଆଦାୟ କରିବା ପାଖରୁ ତଦନ୍ତକୁ ବାଟବଣା କରିବାରେ ସେ ସିଦ୍ଧହସ୍ତ । ଏବେ ତାଙ୍କ ବିରୋଧରେ ତଦନ୍ତ ପାଇଁ ଆସିଛି ନିର୍ଦ୍ଦେଶ  । ମଧ୍ୟପ୍ରଦେଶ ପୋଲିସର DSP ନେହା ପଚିସିଆ ସନ୍ଦେହ ଘେରକୁ ଆସିଛନ୍ତି। ଗାଡ଼ି ଯାଞ୍ଚ ସମୟରେ ବେଆଇନ ଅର୍ଥ ଆଦାୟ ଏବଂ ହତ୍ୟା ମାମଲାର ତଦନ୍ତରେ ଅବହେଳା କରିଥିବା ନେଇ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଭିଯୋଗ ପରେ ବରିଷ୍ଠ ଅଧିକାରୀମାନେ ତାଙ୍କ ଡ୍ରାଇଭରଙ୍କୁ ନିଲମ୍ବିତ କରିବା ସହ ତାଙ୍କ ଅଧୀନରେ ଥିବା ୩ଟି ପୁଲିସ ଷ୍ଟେସନର ଦାୟିତ୍ୱ ପ୍ରତ୍ୟାହାର କରିନେଇଛନ୍ତି।

ବର୍ତ୍ତମାନ କାଟନିରେ ସିଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଭାବରେ କାର୍ଯ୍ୟରତ ନେହା ପଚିସିଆଙ୍କ ବିରୋଧରେ ବ୍ୟବସାୟୀ ମହେନ୍ଦ୍ର ଜୈନ ଅଭିଯୋଗ ଆଣିଛନ୍ତି। ଜୁଲାଇ ୨୧ ତାରିଖ ରାତିରେ ଗାଡ଼ି ଯାଞ୍ଚ ସମୟରେ ତାଙ୍କର ଏକ ଟ୍ରକକୁ ଅଟକାଇ ୩୦,୦୦୦ ଟଙ୍କା ଦାବି କରିଥିଲେ ଡିଏସପି ମ୍ୟାଡାମ । ଅଭିଯୋଗ ଅନୁସାରେ, ଘଟଣାସ୍ଥଳରେ ହିଁ ୨୫,୦୦୦ ଟଙ୍କା ନଗଦ ଆଦାୟ କରାଯାଇଥିଲା ଏବଂ ଅବଶିଷ୍ଟ ୫,୦୦୦ ଟଙ୍କା ପରଦିନ ଡ୍ରାଇଭର ଜରିଆରେ ଦେବାକୁ କୁହାଯାଇଥିଲା। ଟଙ୍କା ନଦେଲେ ଗାଡ଼ିକୁ ଜବତ କରି ଥାନାକୁ ନିଆଯିବ ବୋଲି ଧମକ ଦିଆଯାଇଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି।

ବାଲି ଏବଂ ଡୋଲୋମାଇଟ୍ ପରିବହନ କରୁଥିବା ୫ଟି ଗାଡ଼ିର ମାଲିକ ମହେନ୍ଦ୍ର ଜୈନ ଏହି ଅଭିଯୋଗ ସହିତ ଆବଶ୍ୟକୀୟ ପ୍ରମାଣ ମଧ୍ୟ ଦାଖଲ କରିଛନ୍ତି ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ନେହା ପଚିସିଆ ପୂର୍ବରୁ ଜଣେ ଏୟାର ହୋଷ୍ଟେସ୍ ଭାବରେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଚାକିରି ଛାଡ଼ି ପୁଲିସରେ ଯୋଗ ଦେଇଥିଲେ। ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କର ବହୁ ଫଲୋୟର୍ସ ରହିଛନ୍ତି ଏବଂ ସେ ନିଜର କାର୍ଯ୍ୟଶୈଳୀ ପାଇଁ ବେଶ୍ ଜଣାଶୁଣା।

ଅଭିଯୋଗ ପରେ କାଟନି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (SP) ଅଭିନୟ ବିଶ୍ୱକର୍ମା ତୁରନ୍ତ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଡିଏସପିଙ୍କ ଡ୍ରାଇଭର ତଥା କନଷ୍ଟେବଳ କେଶବ ସିଂହଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ବେଆଇନ ଅର୍ଥ ଆଦାୟ ଅଭିଯୋଗର ତଦନ୍ତ ଦାୟିତ୍ୱ ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ASP) କମଲ ମୌର୍ଯ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଏସପିଙ୍କ ନୂତନ ପ୍ରଶାସନିକ ଆଦେଶ ଅନୁଯାୟୀ, ନେହା ପଚିସିଆଙ୍କ ଅଧୀନରେ ଥିବା ୩ଟି ପୁଲିସ ଷ୍ଟେସନକୁ ତାଙ୍କ ଦାୟିତ୍ୱରୁ ହଟାଇ ଅନ୍ୟ ଜଣେ ଡିଏସପିଙ୍କୁ ଦିଆଯାଇଛି।