ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍' (AISA)ର ମୁଖ୍ୟ ନେହା ବୋରାଙ୍କୁ ଦିଲ୍ଲୀ ପୁଲିସ ଅପହରଣ କରିଛି ବୋଲି ଅଭିଯୋଗ କରିଛନ୍ତି ନେହାଙ୍କ ସହଯୋଗୀ। ଏନେଇ ନେହା ବୋରାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି।

ନେହା ‘ଲେହେରା ଦୋ ତ୍ରିରଙ୍ଗା’ ଆନ୍ଦୋଳନରେ ଯୋଗ ଦେବାକୁ ଦିଲ୍ଲୀ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଅଟକ ରଖି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି। ଏଭଳି ଅଭିଯୋଗ କରି ନେହାଙ୍କ ଏକ୍ସ ଆକାଉଣ୍ଟରେ କରାଯାଇଥିବା ପୋଷ୍ଟରେ ଲେଖାଯାଇଛି “ନେହାଙ୍କୁ ଏକାକୀ ଅଟକ ରଖାଯାଇଛି। ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି। ତାଙ୍କ ପାଖରେ ତାଙ୍କ ଫୋନ ବି ନାହିଁ। ନେହା କେଉଁଠି ଅଛନ୍ତି ଦିଲ୍ଲୀ ପୁଲିସକୁ ଉତ୍ତର ଦେବାକୁ ପଡ଼ିବ। ଏହା ଅଟକ ନୁହେଁ ପୁଣି ଥରେ ଏକ ଅପହରଣ।”

ଶୁକ୍ରବାର ପୂର୍ବରୁ ପ୍ଲାନ ହୋଇଥିବା ଆନ୍ଦୋଳନରେ ଯୋଗ ଦେବାକୁ କକ୍ରୋଚ ଜନତା ପାର୍ଟି (ସିଜେପି) ନେତା ଅଭିଜିତ ଦୀପକେ ଯାଉଥିବା ବେଳେ ତାଙ୍କୁ ତାଙ୍କ ଝଣ୍ଡେୱାଲାନସ୍ଥିତ ତାଙ୍କ ବାସଭବନରୁ ଉଠାଇ ନିଆଯାଇଥିଲା। ଏହାର ଅଳ୍ପ ସମୟ ପରେ ନେହାଙ୍କୁ ମଣ୍ଡି ହାଉସ୍‌ରେ ଅଟକ ରଖାଯାଇଥିଲା। ଉଭୟ ଆନ୍ଦୋଳନରେ ଯୋଗ ଦେବାକୁ ଯାଉଥିଲେ। ଦୁଇ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିବା ପରେ କଡ଼ା ପୁଲିସ ଛାଉଣୀ ମଧ୍ୟରେ ପ୍ରବଳ ଅନ୍ୟ ବିକ୍ଷୋଭକାରୀ କ୍ୟାମେରା ମ୍ୟାନ୍ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।

ପୁଲିସ ସୂତ୍ରରୁ ପିଟିଆଇକୁ ମିଳିଥିବା ସୂଚନା ଅନୁସାରେ ଦୀପ୍କେଙ୍କୁ ଅଟକ ରଖିବା ପରେ ତାଙ୍କୁ ଜାଫରପୁର କଲାନ ଥାନାକୁ ନିଆଯାଇଛି। ତେବେ ନେହା ବୋରାଙ୍କୁ କେଉଁଠାକୁ ନିଆଯାଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ।

ଦୀପକେଙ୍କୁ ସତର୍କ କରାଇଥିଲା ପୁଲିସ

ଆଜି ସକାଳେ ପ୍ରାୟ ୨୦ରୁ ଅଧିକ ପୁଲିସ କର୍ମୀ ଦୀପକେଙ୍କ ଝଣ୍ଡେୱାଲାନସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ନୋଟିସ୍ ଜାରି କରିଥିଲେ। ନାଗରିକ, ବ୍ୟବସାୟୀ, ଯାତ୍ରୀ, ରୋଗୀ ଏବଂ ଅନ୍ୟମାନଙ୍କ ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଭଳି କୌଣସି କାମ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦୁଇ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଥିବା ଦିଲ୍ଲୀର ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ପରିସ୍ଥିତି ବର୍ତ୍ତମାନ ଶାନ୍ତ ରହିଛି ବୋଲି ସେ କହିଛନ୍ତି।

ଦିଲ୍ଲୀ ପୁଲିସର ବରିଷ୍ଠ ଅଫିସର କହିଛନ୍ତି “ ଆମେ ଦୀପ୍‌କେ ଓ ବୋରାଙ୍କୁ ଅଟକ ରଖିଛୁ। ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ରହିଛି। କିଛି ଆନ୍ଦୋଳନକାରୀ କନ୍ନଟ ପ୍ଲେସ୍‌ରେ ପହଞ୍ଚିଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ହଟାଇ ଦିଆଯିବ। ଆଇନ ଶୃଙ୍ଖଳା ବଜାଇ ରଖିବା ଓ ଗମନାଗମନ ସୁଗମ ରଖିବା ଆମର ମୁଖ୍ୟ ଉଦ୍ଦେଶ୍ୟ।”