ଭୁବନେଶ୍ବର ୧୬।୧୦: ହଙ୍ଗାମାରେ ସରିଲା ଛାତ୍ର ସଂସଦ ନିର୍ବାଚନ । ଏବିଭିପି ଜିତିଲା ୧୪୨, ବିସିଜେଡି ଜିତିଲା ୧୨୧ । ସବୁଠି ଦେଖିବାକୁ ମିଳିଛି କଡ଼ା ଟକ୍କର । ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହଙ୍ଗାମା, ପୋଲିସ ଛାଉଣୀ, ସ୍ଲୋଗାନବାଜି ଏବଂ ପ୍ରତିବାଦ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି ।

ତେବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏ ବିଜୟ ଓଡ଼ିଶାର GenZ, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି । ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ସାଧୁବାଦ ଜଣାଇଛନ୍ତି ନବୀନ । କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ ।

Also Read:- ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, କହିଲେ- ନିଷ୍ଠାର ସହ ତୁଲାନ୍ତୁ ଦାୟିତ୍ବ

ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଅନୁସାରେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୪୨ଟି ଏବଂ ବିଜୁ ଛାତ୍ର ଜନତା ଦଳ ୧୨୧ଟି ଆସନରେ ବାଜିମାତ୍ କରିଥିବା ଦାବି କରିଛି । କେନ୍ଦୁଝର, ଗଞ୍ଜାମ, ସମ୍ବଲପୁରରେ ଏବିଭିପି ଦବଦବା ଦେଖାଇଥିବା ବେଳେ କଟକ, କେନ୍ଦ୍ରାପଡ଼ା, ବରଗଡ଼ରେ ବିସିଜେଡି ବିଜୟୀ ହୋଇଛି । ବାଣୀବିହାରରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଜେଡି ନିଜର ଗଡ଼ ରକ୍ଷା କରିଛି । ଏଠାରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ନିର୍ବାଚିତ ହୋଇଛନ୍ତି । ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ବିଜୟ ଉତ୍ସବ ପାଳନ କରିଛନ୍ତି । ଆଜି ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ ।

Watch Video: