ନୂଆଦିଲ୍ଲୀ: ବିଶ୍ୱର ୧ ନମ୍ବର ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କ କାର୍ କମ୍ପାନି 'ଟେସଲା' ପୁଣି ଥରେ ଅଟୋମୋବାଇଲ୍ ଜଗତରେ ହଇଚଇ ସୃଷ୍ଟି କରିଛି । କାରଣ ଟେସଲା ଏହାର 'ରୋଡଷ୍ଟର' (Roadster) ସେକେଣ୍ଡ ଜେନେରେସନ୍ ଇଲେକ୍ଟ୍ରିକ୍ କାରର ଏକ ସ୍ୱତନ୍ତ୍ର ଡେମୋ ପ୍ରଦର୍ଶନ କରିଛି । ଏହାର ବିଶେଷତ୍ବ ହେଉଛି, ଏହା ଏକ ଉଡ଼ନ୍ତା କାର୍ । କମ୍ପାନି ଦେଖାଇଥିବା ଡେମୋରେ ଗାଡ଼ିଟି ଆକାଶରେ ଉଡ଼ିବା ସହ ଚମତ୍କାର ଷ୍ଟଣ୍ଟ ଦେଖାଇ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଛି ।

ପ୍ରଦର୍ଶନ ସମୟରେ ଟେସଲା ରୋଡଷ୍ଟର ଏକ ବଡ଼ ଅର୍ଦ୍ଧଗୋଲାକାର ରାମ୍ପ ଉପରେ ଚଢ଼ି ଓଲଟି ଯାଇଥିଲା। ଏହାପରେ ଗାଡ଼ିଟି ଶୂନ୍ୟରେ ଉଡ଼ିବା ସହ ଆକାଶରେ ଦିଗ ପରିବର୍ତ୍ତନ କରି ପୁନର୍ବାର ସୁରକ୍ଷିତ ଭାବେ ଓହ୍ଲାଇଥିଲା।

ଏହି କାରରେ ରକେଟରେ ବ୍ୟବହୃତ ହେଉଥିବା ବିଶେଷ 'କୋଲ୍ଡ ଗ୍ୟାସ୍ ଥ୍ରଷ୍ଟର' (Cold Gas Thrusters) ସଂଯୋଗ କରାଯାଇଛି। ଟେସଲା ଏବଂ ସ୍ପେସଏକ୍ସ (SpaceX)ର ରକେଟ୍ ଇଞ୍ଜିନିୟରମାନେ ମିଳିତ ଭାବେ ଏହି ବୈଷୟିକ ଜ୍ଞାନକୌଶଳ ବିକଶିତ କରିଛନ୍ତି । କାର ଭିତରେ ଥିବା ଅଲ୍ଟ୍ରା-ହାଇ ପ୍ରେସର୍ ଏୟାର ଟ୍ୟାଙ୍କ୍ ଏବଂ ଆଲଟିଚ୍ୟୁଡ୍ ଥ୍ରଷ୍ଟର ସାହାଯ୍ୟରେ ଗାଡ଼ିକୁ ଆକାଶକୁ ଉଠାଇବା ସହ କଣ୍ଟ୍ରୋଲ୍ କରାଯାଇପାରୁଛି ।

Also Read: IDBI ବ୍ୟାଙ୍କରେ ଅଂଶଧନ ବିକ୍ରି କରି ଦେବେ ସରକାର; ଫାଇନାନ୍ସିଆଲ ସେକ୍ଟରେ ମିଳିଲା ସବୁଠାରୁ ବଡ଼ FDI

ମାତ୍ର ୦.୮୧ ସେକେଣ୍ଡରେ ୯୭ କିମି ସ୍ପିଡ୍:

ଏହି ସୁପରକାର୍‌ ନିଜର ଦ୍ରୁତ ବେଗରେ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ମାତ୍ର ୦.୮୧ ସେକେଣ୍ଡ ମଧ୍ୟରେ ୦ରୁ ୯୭ କିଲୋମିଟର (୬୦ ମାଇଲ୍) ପ୍ରତିଘଣ୍ଟାର ବେଗ ହାସଲ କରିପାରିବ। ତେବେ ଟେସଲାର ସିଇଓ ଏଲନ୍ ମସ୍କଙ୍କ ସୂଚନା ଅନୁଯାୟୀ, ଏହି ଗାଡ଼ିର କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ସଫଳ ହୋଇଛି। ରୋଡଷ୍ଟରର ବ୍ୟବସାୟିକ ଉତ୍ପାଦନ ୨୦୨୮ରୁ ଆରମ୍ଭ ହେବ। ଏହା ଟେସଲାର ଏପରି ଏକ କାର୍ ହେବ, ଯାହାକୁ କେବଳ ମାନୁଆଲ୍ ଭାବେ ଚଲାଯାଇପାରିବ। ଡ୍ରାଇଭିଂ ପ୍ରେମୀଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ଆଣିଦେବ ବୋଲି ମସ୍କ କହିଛନ୍ତି।