ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କକ୍ରୋଚ୍ ଜନତା ପାର୍ଟିର ବିରୋଧ ପ୍ରଦର୍ଶନକୁ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ଲେଖି ଆନ୍ଦୋଳର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ଦେଶହିତ, ବ୍ୟବସ୍ଥା ସୁଧାରିବା ଏବଂ ଛାତ୍ରଙ୍କ ହିତ ନାଁରେ ଆରମ୍ଭ ହୋଇଥିବା ପ୍ରଦର୍ଶନର ପ୍ରକୃତ ଚରିତ୍ର ଏବେ ସାମନାକୁ ଆସିଛି ।

ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, 'ଦେଶହିତ, ବ୍ୟବସ୍ଥାକୁ ଠିକ୍ କରିବା ଦାବି ଏବଂ ଛାତ୍ରଙ୍କ ହିତ ନାଁରେ ଆରମ୍ଭ ହୋଇଥିବା ଆନ୍ଦୋଳର ପ୍ରକୃତ ଚରିତ୍ର ଏବେ ଆଉ ଅଛପା ନାହିଁ । ଖୋଲାଖୋଲି ଭଊାବେ କ୍ଷମତା ପରିବର୍ତ୍ତନ ଏବଂ ବାଂଲାଦେଶରୁ ପ୍ରେରଣା ନେବା କରିବା ସ୍ପଷ୍ଟ କରୁଛି ଯେ ଏହା ଛାତ୍ରଙ୍କ ଆଢ଼ୁଆଳରେ କେବଳ ଦେଶରେ ଅରଜାକତା ସୃଷ୍ଟି କରିବା ଏବଂ ରାଜନୈତିକ ବ୍ୟବସ୍ଥାକୁ ଅସ୍ଥିର କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ଅଟେ ।'

 

ବିଜେପି ସାଂସଦ ଆହୁରି ଲେଖିଛନ୍ତି, 'ବିଦେଶୀ ଶକ୍ତିଙ୍କ ବଳରେ କ୍ଷମତାର ସ୍ୱପ୍ନ ଦେଖୁଥିବା ଲୋକଙ୍କ ଜାଣି ରଖନ୍ତୁ ଯେ ଭାରତରେ କ୍ଷମତା ପରିବର୍ତ୍ତନ କେବଳ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସ୍ଥିର ହୋଇଥାଏ ।' ଧର୍ମେନ୍ଦ୍ର ଦାବି କରିଛନ୍ତି ଯେ ଦେଶର ଜନତା ଏପରି ଅଗଣତାନ୍ତ୍ରିକ ଚିନ୍ତାଧାରାକୁ କେବେ ମଧ୍ୟ ସ୍ୱୀକାର କରିବେ ନାହିଁ ।

ନିଜ ପୋଷ୍ଟରେ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ବାରମ୍ବାର ଜନସାଧାରଣଙ୍କ ଜନାଦେଶକୁ ଅସମ୍ମାନ କରୁଛନ୍ତି । ଯେତେବେଳେ ନିର୍ବାଚନରେ ଇଚ୍ଛା ଅନୁସାରେ ଫଳାଫଳ ନ ଆସେ, ସେତେବେଳେ କଂଗ୍ରେସ ଦଳ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକରେ ଅବିଶ୍ୱାସ ଜାତ କରିବାକୁ ଚେଷ୍ଟା କରେ ।

ସେ କହିଛନ୍ତି ଯେ କଂଗ୍ରେସ ଦଳର ଉଦ୍ଦେଶ୍ୟ ରାଜନୈତିକ ଲାଭ ପାଇଁ ପ୍ରତିଦିନ ଜନସାଧାରଣଙ୍କୁ ହଇରାଣ କରିବା । ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ଯେ ଏହି ମାନସିକତା ଅଧୀନରେ ଦେଶବାସୀଙ୍କ ଅଧିକାରକୁ ଦମନ କରାଯାଇଛି । ଧର୍ମେନ୍ଦ୍ର ପ୍ରଧାନ ଆହୁରି ଲେଖିଛନ୍ତି ଯେ ହାତରେ ସମ୍ବିଧାନ ଧରି ବୁଲୁଥିବା ରାହୁଲ ଗାନ୍ଧୀଙ୍କୁ ଜନତା ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସତ୍ତ୍ୱେ, କ୍ଷମତା ଲୋଭରେ ସେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ପ୍ରଶ୍ନ କରି ଜନାଦେଶର ଅପମାନ କରୁଛନ୍ତି ଏବଂ ଗଣତନ୍ତ୍ରର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ସମ୍ବୋଧିତ କରି ସେ ଲେଖିଛନ୍ତି, "ରାହୁଲ ଗାନ୍ଧୀ ଜୀ, ଗଣତନ୍ତ୍ର ପ୍ରତି ଆପଣଙ୍କର ଘୃଣ୍ୟ ମନୋଭାବ ଅତ୍ୟନ୍ତ ଲଜ୍ଜାଜନକ ।"