India-China Trade: ଚୀନ ସହିତ ଭାରତର ବାଣିଜ୍ୟିକ ନିଅଣ୍ଟ ନେଇ IMF ବୈଠକରେ ଚିନ୍ତା ବ୍ୟକ୍ତ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତୀୟ ସାମଗ୍ରୀ ଉପରେ ଚୀନର ନନ ଟାରିଫ ପ୍ରତିବନ୍ଧକ ଦ୍ୱିପାକ୍ଷିକ ବାଣିଜ୍ୟରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ ନିର୍ମଳା। ଏହାର ତୁରନ୍ତ ପରେ ଚୀନ ପକ୍ଷରୁ ଜବାବ ଆସିଛି। ପରସ୍ପରର ଅର୍ଥନୈତିକ ଓ ବାଣିଜ୍ୟ ଚିନ୍ତାର ସମାଧାନ ପାଇଁ ଚୀନ ଭାରତ ସହ ମିଶି କାମ କରିବାକୁ ରାଜି ଅଛି ବୋଲି କହିଛି ବେଜିଂ।

ଶୁକ୍ରବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ମାଓ ନିଙ୍ଗ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି “ମୁଁ କେବଳ ଏତିକି କହିପାରେ ଯେ ଚୀନ କେବେ ବି ବାଣିଜ୍ୟ ବଳକା(ଟ୍ରେଡ୍ ସରପ୍ଲସ୍) ହାସଲ କରିବାକୁ ଚାହେଁ ନାହିଁ।” ନିର୍ମଳାଙ୍କ ଟ୍ରେଡ୍ ଡେଫିସିଟ୍କୁ ଚିନ୍ତାକୁ ନେଇ ତାଙ୍କୁ ପ୍ରଶ୍ନ କରିବାରୁ ଚୀନ ଭାରତ ସମସ୍ୟାର ସମାଧାନ ପାଇଁ ରାଜି ଅଛି ବୋଲି ସେ କହିଛନ୍ତି।

Also Read- ଦେଶରେ ବେକାରି ହାର ୫%କୁ ହ୍ରାସ, ଗ୍ରାମାଞ୍ଚଳରେ ମହିଳା ବେକାରି ସର୍ବନିମ୍ନ ସ୍ତରରେ

ସେ କହିଛନ୍ତି “ଆମେ ପରସ୍ପରର ଅର୍ଥନୈତିକ ଏବଂ ବାଣିଜ୍ୟିକ ଚିନ୍ତାକୁ ସନ୍ତୁଳିତ ଉପାୟରେ ସମାଧାନ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସହିତ କାମ କରିବାକୁ ପ୍ରସ୍ତୁତ ଅଛୁ।” ତେବେ ଏହି ପ୍ରଶ୍ନଟି ସମ୍ପୃକ୍ତ ଚୀନ କର୍ତ୍ତୃପକ୍ଷଙ୍କୁ ପଚାରିବା ଉଚିତ ବୋଲି ସେ କହିଛନ୍ତି।

ଚୀନ ସହ ବାଣିଜ୍ୟିକ ନିଅଣ୍ଟକୁ ନେଇ କଣ କହିଥିଲେ ନିର୍ମଳା ?

ବ୍ୟାଙ୍କକରେ ଆୟୋଜିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବୈଠକ ଅବସରରେ ଆଟଲାଣ୍ଟିକ କାଉନସିଲ ସହ ଆଲୋଚନା ବେଳେ ଚୀନ ସହ ବାଣିଜ୍ୟିକ ନିଅଣ୍ଟ ନେଇ ମତ ରଖିଥିଲେ ନିର୍ମଳା ସୀତାରମଣ। ସେ କହିଥିଲେ ଭାରତୀୟ ରପ୍ତାନୀ ଉପରେ ଚୀନର ନନ ଟାରିଫ ବ୍ୟାରିୟର(ଅଣଶୁଳ୍କ ପ୍ରତିବନ୍ଧକ) ଦ୍ୱିପାକ୍ଷିକ ବାଣିଜ୍ୟରେ ବଡ଼ ବାଧକ ସାଜୁଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ସୁଧାର ଆସିଥିଲେ ମଧ୍ୟ ଚୀନ ସହିତ ଭାରତର ବାଣିଜ୍ୟିକ କ୍ଷତି ବଢ଼ି ଚାଲିଛି।ଚୀନର ଅଣ-ଶୁଳ୍କ ପ୍ରତିବନ୍ଧକର ଅତ୍ଯଧିକ ବ୍ୟବହାର, ଭାରତୀୟ ଉତ୍ପାଦଗୁଡ଼ିକୁ ଚୀନ ବଜାରରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଥିଲେ।

ଚୀନ ସହ ଭାରତର ସମସ୍ୟାକୁ ଦର୍ଶାଇବା ପାଇଁ ନିର୍ମାଳା ଉଦ୍ଭିଦ କୀଟନାଶକ ଏବଂ ରୋଗ ବିସ୍ତାରକୁ ରୋକିବା ପାଇଁ ଡିଜାଇନ୍ ହୋଇଥିବା ଫାଇଟୋସାନିଟାରୀ ନିୟମାବଳୀ କଥା ଉଠାଇଥିଲେ। ଭାରତୀୟ ଉତ୍ପାଦକୁ ରୋକିବାରେ ଏହା ଏକ ପ୍ରତିବନ୍ଧକ ବୋଲି ସେ କହିଥିଲେ। ଚୀନ ମାର୍କେଟ୍ରେ ଭାରତୀୟ ଜେନେରିକ ଔଷଧ, ଗୋମାଂସ, ଏବଂ ପନିପରିବା ରପ୍ତାନୀର ପ୍ରଚୁର ସମ୍ଭାବନା ଥିବା ସତ୍ତ୍ୱେ ଏଗୁଡ଼ିକ ପ୍ରତିବନ୍ଧକର ଶିକାର ହେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ।

ତେବେ ବାଣିଜ୍ୟିକ ସନ୍ତୁଳନ ପାଇଁ ଭାରତ କିନ୍ତୁ ଚୀନ ସାମଗ୍ରୀ ଉପରେ ସେଭଳି କୌଣସି ଜବାବୀ ପଦକ୍ଷେପ ନେଇ ନାହିଁ। ଭାରତ ଆଲୋଚନା ମାଧ୍ୟମରେ ସମାଧାନକୁ ଗୁରୁତ୍ୱ ଦିଏ ବୋଲି ନିର୍ମଳା କହିଛନ୍ତି।

ଚୀନର ସୀମା ଶୁଳ୍କ ବିଭାଗ ଡାଟା ଜାରି ପରେ ନିର୍ମଳାଙ୍କ ସମାଲୋଚନା

ଚୀନ୍ ସୀମା ଶୁଳ୍କ ବିଭାଗ ବୁଧବାର ଭାରତ ସହିତ ଏହାର ୯ ମାସର ବାଣିଜ୍ୟ ରିପୋର୍ଟ ଜାରି କରିଥିଲା। ଯାହା ଉପରେ ସୀତାରମଣ ପ୍ରତିକ୍ରିୟା ଦେଇ ଚୀନର ନନ ଟାରିଫ ପ୍ରତିବନ୍ଧକକୁ ସମାଲୋଚନା କରିଥିଲେ। ଏହି ତଥ୍ୟ ଉପରେ ସୀତାରମଣ କହିଥିଲେ ଯେ ଚୀନ୍ ସହ ଭାରତର ବାଣିଜ୍ୟ ନିଅଣ୍ଟ (trade deficit) ବୃଦ୍ଧି ପାଇ ୧୦୫.୯୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ଗତ ବର୍ଷ ତୁଳନାରେ ୨୦.୭ ପ୍ରତିଶତ ଅଧିକ।

ଚୀନ ସୀମା ଶୁଳ୍କ ବିଭାଗ ଜାରି କରିଥିବା ରିପୋର୍ଟ ଅନୁସାରେ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଦୁଇ ଦେଶ ମଧ୍ୟରେ ମୋଟ ଦ୍ୱିପାକ୍ଷିକ ବାଣିଜ୍ୟ ୧୪୪.୪୫ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି। ଯାହା ଚୀନ ବ୍ୟବସାୟର ୨୫ ପ୍ରତିଶତ ବୋଲି ଚୀନ ସୀମା ଶୁଳ୍କ ବିଭାଗ କହିଛି। ଏଥିରେ ଚୀନ ଭାରତକୁ ୧୨୫.୧୯ ବିଲିଅନ ଡଲାରର ରପ୍ତାନୀ କରିଛି। ଏଥିରେ ୨୩.୩ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପଟେ ଚୀନକୁ ମଧ୍ୟ ଭାରତର ରପ୍ତାନୀ ବଢିଛି। ଏହା ୧୯.୨୬ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ତେବେ ବଡ଼ କଥା ହେଲା ଗତବର୍ଷ ସମାନ ଅବଧି ତୁଳନାରେ ଚୀନକୁ ଭାରତର ରପ୍ତାନୀ ୪୦.୭ ପ୍ରତିଶତ ବୃଦ୍ଧି ପାଇଛି।

ଚୀନ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସନ୍ତୁଳନ ବଜାଇ ରଖିବାକୁ ଭାରତ ଚେଷ୍ଟା ଜାରି ରଖିଛି। ଭାରତର ମଜଭୁତ କ୍ଷେତ୍ର ଯଥା ଆଇଟି, ଫାର୍ମା ଏବଂ କୃଷିଜାତ ଉତ୍ପାଦ ପାଇଁ ଚୀନ ଏହାର ମାର୍କେଟ୍ ଖୋଲୁ ବୋଲି ଭାରତ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛି। ହେଲେ ଏଥିରେ ଭାରତକୁ ବିଶେଷ ସଫଳତା ମିଳି ନାହିଁ।