India-China Trade: ଚୀନ ସହିତ ଭାରତର ବଢ଼ୁଥିବା ବାଣିଜ୍ୟିକ କ୍ଷତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯଦିଓ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧୁରୁଛି, ହେଲେ ବାଣିଜ୍ୟରେ ଭାରତ ଅଧିକ କ୍ଷତି ସହୁଛି ବୋଲି କହିଛନ୍ତି ନିର୍ମଳା। ବ୍ୟାଙ୍କକରେ ଆୟୋଜିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବୈଠକ ଅବସରରେ ଆଟଲାଣ୍ଟିକ କାଉନସିଲ ସହ ଆଲୋଚନା ବେଳେ ଏପରି କହିଛନ୍ତି ନିର୍ମଳା ସୀତାରମଣ।

ପୂର୍ବ ଅପେକ୍ଷା ଚୀନକୁ ଭାରତର ରପ୍ତାନୀ ବଢ଼ିଛି ସତ, ହେଲେ ରପ୍ତାନୀ ବଢ଼ିବା ସହ ବାଣିଜ୍ୟିକ କ୍ଷତି ମଧ୍ୟ ବଢ଼ି ବଢ଼ି ଚାଲିଛି। ଏପରି କାହିଁକି ହେଉଛି ବୋଲି ପଚାରିବାରୁ ସେ ଏହାର ଉତ୍ତର ରଖିଛନ୍ତି।

ନିର୍ମଳା କହିଛନ୍ତି ଭାରତୀୟ ରପ୍ତାନୀ ଉପରେ ଚୀନର ନନ ଟାରିଫ ବ୍ୟାରିୟର(ଅଣଶୁଳ୍କ ପ୍ରତିବନ୍ଧକ) ଦ୍ୱିପାକ୍ଷିକ ବାଣିଜ୍ୟରେ ବଡ଼ ବାଧକ ସାଜୁଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ସୁଧାର ଆସିଥିଲେ ମଧ୍ୟ ଚୀନ ସହିତ ଭାରତର ବାଣିଜ୍ୟିକ କ୍ଷତି ବଢ଼ି ଚାଲିଛି। ଚୀନର ଅଣ-ଶୁଳ୍କ ପ୍ରତିବନ୍ଧକର ଅତ୍ଯଧିକ ବ୍ୟବହାର, ଭାରତୀୟ ଉତ୍ପାଦଗୁଡ଼ିକୁ ଚୀନ ବଜାରରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

Also Read- ୨୦୨୭ରେ ଜାପାନକୁ ପଛରେ ପକାଇବ ଭାରତ! ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହେବାକୁ ଯାଉଛି ଦେଶ

ଚୀନ ସହ ଭାରତର ସମସ୍ୟାକୁ ଦର୍ଶାଇବା ପାଇଁ ନିର୍ମାଳା ଉଦ୍ଭିଦ କୀଟନାଶକ ଏବଂ ରୋଗ ବିସ୍ତାରକୁ ରୋକିବା ପାଇଁ ଡିଜାଇନ୍ ହୋଇଥିବା ଫାଇଟୋସାନିଟାରୀ ନିୟମାବଳୀ କଥା ଉଠାଇଛନ୍ତି। ଭାରତୀୟ ଉତ୍ପାଦକୁ ରୋକିବାରେ ଏହା ଏକ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଚୀନ ମାର୍କେଟ୍ରେ ଭାରତୀୟ ଜେନେରିକ ଔଷଧ, ଗୋମାଂସ, ଏବଂ ପନିପରିବା ରପ୍ତାନୀର ପ୍ରଚୁର ସମ୍ଭାବନା ଥିବା ସତ୍ତ୍ୱେ ଏଗୁଡ଼ିକ ପ୍ରତିବନ୍ଧକର ଶିକାର ହେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି।

ଚୀନ ସହ ଭାରତର ବାଣିଜ୍ୟିକ କ୍ଷତି ଚିନ୍ତାଜନକ

ଚଳିତ ବର୍ଷ ଏପର୍ଯ୍ୟନ୍ତ ଚୀନ ସହ ଭାରତର ବାଣିଜ୍ୟିକ କ୍ଷତି ୧୦୦ ବିଲିଅନ ଡଲାର ଅତିକ୍ରମ କଲାଣି। ଏଥିରେ ଭାରତରୁ ରପ୍ତାନୀ ଓ ଚୀନରୁ ଆମଦାନୀ ମଧ୍ୟରେ କେତେ ବଡ଼ ବ୍ୟବଧାନ ରହିଛି ତାହା ସ୍ପଷ୍ଟ ହେଉଛି। ତେବେ ଭାରତ କିନ୍ତୁ ଚୀନର ବିରୁଦ୍ଧରେ ସେଭଳି କୌଣସି ଅଣ ଶୁଳ୍କ ପ୍ରତିବନ୍ଧକ ଲଗାଇପାରୁ ନାହିଁ। ଯାହାଦ୍ୱାରା ବାଣିଜ୍ୟିକ କ୍ଷତି ବଢୁଛି ବୋଲି ନିର୍ମଳା କହିଛନ୍ତି।

ଚୀନ୍ ବ୍ୟତୀତ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଭାରତର ବାଣିଜ୍ୟ ସ୍ଥିତିକୁ ନେଇ ମଧ୍ୟ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକରେ ବର୍ତ୍ତମାନ ଯେଉଁ ଚୁକ୍ତିନାମାଗୁଡ଼ିକୁ ରହିଛି ସେଗୁଡ଼ିକ ଭାରତୀୟ ବାଣିଜ୍ୟ ବ୍ୟବସ୍ଥାକୁ ସୁହାଉ ନାହିଁ। ଭାରତ ବିରୁଦ୍ଧରେ ଅତି ଖରାପ ସ୍ଥିତି ସୃଷ୍ଟି କରୁଛି ବୋଲି ନିର୍ମଳା କହିଛନ୍ତି। ଯଦିଓ ଭାରତ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଘ (ASEAN) ସହ ବାଣିଜ୍ୟ ଚୁକ୍ତିନାମା ବଜାୟ ରଖିବାକୁ ଚାହୁଁଛି, କିନ୍ତୁ ଅସନ୍ତୁଳନକୁ ଦୂର କରିବା ପାଇଁ ଏହାର କିଛି ସର୍ତ୍ତାବଳୀକୁ ସଂଶୋଧନ କରିବାକୁ ପଡିବ ବୋଲି ସେ କହିଛନ୍ତି।

କେବଳ ସେତିକି ନୁହେଁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାପକ ନିର୍ଭରଶୀଳତା ଯୋଗୁ ବୈଦେଶିକ ମୁଦ୍ରାର ଖର୍ଚ୍ଚ ବଢ଼ୁଛି, ଯାହା ଭାରତର ଅର୍ଥନୀତି ଉପରେ ଚାପ ପକାଉଛି ବୋଲି ନିର୍ମଳା କହିଛନ୍ତି।