ଭୁବନେଶ୍ବର ୧୬।୧୦: ହଙ୍ଗାମାରେ ସରିଲା ଛାତ୍ର ସଂସଦ ନିର୍ବାଚନ । ଏବିଭିପି ଜିତିଲା ୧୪୨, ବିସିଜେଡି ଜିତିଲା ୧୨୧ । ସବୁଠି ଦେଖିବାକୁ ମିଳିଛି କଡ଼ା ଟକ୍କର । ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହଙ୍ଗାମା, ପୋଲିସ ଛାଉଣୀ, ସ୍ଲୋଗାନବାଜି ଏବଂ ପ୍ରତିବାଦ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ରାତି ସାଢ଼େ ୨ଟା ପରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା ।

ଫଳାଫଳ ଅନୁସାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୪୨ଟି ଏବଂ ବିଜୁ ଛାତ୍ର ଜନତା ଦଳ ୧୨୧ଟି ଆସନରେ ବାଜିମାତ୍ କରିଥିବା ଦାବି କରିଛି । କେନ୍ଦୁଝର, ଗଞ୍ଜାମ, ସମ୍ବଲପୁରରେ ଏବିଭିପି ଦବଦବା ଦେଖାଇଥିବା ବେଳେ କଟକ, କେନ୍ଦ୍ରାପଡ଼ା, ବରଗଡ଼ରେ ବିସିଜେଡି ବିଜୟୀ ହୋଇଛି । ବାଣୀବିହାରରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଜେଡି ନିଜର ଗଡ଼ ରକ୍ଷା କରିଛି । ଏଠାରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ନିର୍ବାଚିତ ହୋଇଛନ୍ତି । ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ବିଜୟ ଉତ୍ସବ ପାଳନ କରିଛନ୍ତି । ଆଜି ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ ।

ତେବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗଟ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ । କିନ୍ତୁ ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି, ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ ଏବଂ କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଛୁ ।

Also Read:- ଗଣ୍ଡଗୋଳ, ସସପେନ୍ସ ଓ ସେଲିବ୍ରେସନରେ ସରିଲା କଲେଜ୍ ଇଲେକ୍ସନ : ଅଧିକାଂଶ କ୍ୟାମ୍ପସରେ ABVP ବନାମ BCJD

ଏହି ଅବସରରେ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ତଥା ସେମାନଙ୍କ ସ୍ୱରକୁ ସମ୍ମାନ ଜଣାଇ ଆପଣମାନେ ନିଜ ନିଜର ଦାୟିତ୍ୱକୁ ନିଷ୍ଠା ଓ ସଚ୍ଚୋଟତାର ସହ ତୁଲାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ । କ୍ୟାମ୍ପସରେ ଶୃଙ୍ଖଳା, ଶୈକ୍ଷିକ ବାତାବରଣ, ଏକତା ଓ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ଆହୁରି ସୁଦୃଢ଼ କରି ଏକ ବିକଶିତ ଓଡ଼ିଶା ଗଠନରେ ଆପଣମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ । ସମସ୍ତ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତଥା ସଫଳ କାର୍ଯ୍ୟକାଳ କାମନା କରୁଛି ।

Watch Video: